ହିଜାବ ନ ପିନ୍ଧିବାରୁ ଗିରଫ ହେଲେ ଯୁବତୀ, ପୋଲିସ ହେପାଜତରେ ମୃତ୍ୟୁ

ନୂଆଦିଲ୍ଲୀ : ଇରାନରେ ୨୨ ବର୍ଷର ଏକ ଯୁବତୀଙ୍କ ପୋଲିସ ହେପାଜତରେ ଘଟିଛି ମୃତ୍ୟୁ । ପୋଲିସ ଉକ୍ତ ଯୁବତୀଙ୍କୁ ହିଜାବ ନ ପିନ୍ଧିବା ଅଭିଯୋଗରେ ଗିରଫ କରିଥିଲା । ରିପୋର୍ଟ ଅନୁଯାୟୀ, ଯୁବତୀ ଅମିନଙ୍କ ପରିବାର ଓ ସାମାଜିକ କର୍ମୀ ତାଙ୍କର ମୃତ୍ୟୁକୁ ସନ୍ଦେହଜନକ ବୋଲି କହିଛନ୍ତି । ଏଥିସହିତ ଏହି ଘଟଣା ପାଇଁ ଦାୟୀ ଲୋକଙ୍କ ଗିରଫ ପାଇଁ ଦାବି କରିଛନ୍ତି । ମୃତକାଙ୍କ ମା’ ତାଙ୍କ ଝିଅଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ହେଲେ ପୋଲିସ ଯୁବତୀଙ୍କୁ ମାରପିଟ କରିଥିବା କଥାକୁ ଅସ୍ୱୀକାର କରିଛି ।

ଯୁବତୀ ମହସା ଅମିନୀ ନିଜ ପରିବାର ସହ ଇରାନ ରାଜଧାନୀ ତେହେରାନ ଯାତ୍ରା କରୁଥିବା ବେଳେ ତାଙ୍କୁ ହିଜାବ ନ ପିନ୍ଧିବା ଯୋଗୁ ଗିରଫ କରାଯାଇଥିଲା । ତେବେ ଏହାର ୩ ଦିନ ପରେ ଅର୍ଥାତ ୧୬ ସେପ୍ଟେମ୍ବରରେ ପୋଲିସ ହେପାଜତରେ ଥିବା ବେଳେ ଅମିନୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଅମିନୀ ଗିରଫ ହେବାର କେଇ ଘଣ୍ଟା ପରେ କୋମାକୁ ଚାଲିଯାଇଥିଲେ । ଏହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପରିବାର ଲୋକ କହିଛନ୍ତି ଯେ ଅମିନୀଙ୍କ କୌଣସି ରୋଗ ନଥିଲା । ତେଣୁ ତାଙ୍କର ମୃତ୍ୟୁ ସନ୍ଦେହ ଘେରରେ ରହିଛି । ଅମିନୀ ଥାନାରେ ପହଞ୍ଚିବା ଓ ହସପିଟାଲ ଯିବା ମଝିରେ କ’ଣ ହୋଇଛି ଏହା ସ୍ପଷ୍ଟ ହୋଇନାହିଁ ।

ତେବେ ଅମିନୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଏକ ଟିଭି ଚ୍ୟାନେଲ କହିଛନ୍ତି । ସୋସିଆଲ ମିଡିଆରେ ଅମିନୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ପରେ କିଛି ଲୋକ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଦେଖାଯାଇଛି । ପୋଲିସ ବିରୋଧରେ ଶାରିରୀକ ଯନ୍ତ୍ରଣା ଅଭିଯୋଗ କରାଯାଇଥିବା ବେଳେ ପୋଲିସ କହିଛି ଯେ ଅମିନୀଙ୍କ ସହ କୌଣସି ମାରପିଟ ହୋଇନାହିଁ । ଯେତେବେଳେ ଅମିନୀଙ୍କୁ ପୋଲିସ ଷ୍ଟେସନ ଅଣାଯାଇଥିଲା,ସେତେବେଳେ ସେ ବେହୋସ ହୋଇଯାଇଥିଲେ ବୋଲି ପୋଲିସ କହିଛି ।

Leave A Reply

Your email address will not be published.