ଜାମ୍ମୁ ଓ କାଶ୍ମୀରରେ ଭାଙ୍ଗିଲା ସରକାର : ପିଡିପି ସହ ମେଣ୍ଟରୁ ଓହରିଲା ବିଜେପି

ବିଜେପି ଆଉ ସମ୍ଭାଳି ପାରିଲାନି ଜାମ୍ମୁ ଓ କାଶ୍ମୀର । ପିଡିପି ସହ ମେଣ୍ଟ ସରକାରରୁ ଓହରି ଆସିଲା ।

ଶ୍ରୀନଗର : ବିଜେପି ଆଉ ସମ୍ଭାଳି ପାରିଲାନି ଜାମ୍ମୁ ଓ କାଶ୍ମୀର । ପିଡିପି ସହ ମେଣ୍ଟ ସରକାରରୁ ଓହରି ଆସିଲା । ସମର୍ଥନ ପ୍ରତ୍ୟାହାର କଲା । ଏହା ପୂର୍ବରୁ ଜାମ୍ମୁ ଓ କାଶ୍ମୀରର ବର୍ତ୍ତମାନ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ଆଲୋଚନା କରିଥିଲେ । ପରେ ଦଳ ଘୋଷଣା କଲା, ପିଡିପି ସହ ଆଉ ମେଣ୍ଟ ସରକାର ଚଳାଇବା ସମ୍ଭବ ନୁହେଁ । ବିଜେପିର ଅଭିଯୋଗ, ରାଜ୍ୟରେ ନାଗରିକଙ୍କ ବଞ୍ଚିବା ଓ ମତଦେବା ଭଳି ମୌଳିକ ଅଧିକାର ଏବେ ବିପଦରେ । ତେଣୁ ସରକାରରୁ ହଟି ରାଜ୍ୟପାଳ ଶାସନ ସପକ୍ଷରେ ମତ ଦେଇଛି ବିଜେପି ।

ପିଡିପି-ବିଜେପି ମେଣ୍ଟରେ ବେଶ୍‌ କିଛିଦିନ ହେଲା ଫାଟ ସୃଷ୍ଟି ହୋଇଥିଲା । ବିଶେଷକରି କଠୁଆ ନାବାଳିକା ଦୁଷ୍କର୍ମ ମାମାଲରେ ଏହା ପଦାକୁ ଆସିଲା । ଦୁଇ ବିଜେପି ମନ୍ତ୍ରୀ ଦୁଷ୍କର୍ମ ଅଭିଯୁକ୍ତ ସପକ୍ଷରେ ମତ ଦେଇ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିଲେ । ରମ୍‌ଜାନରେ ଆତଙ୍କବାଦ ବିରୋଧୀ ଅପରେସନ ସ୍ଥଗିତ ରଖିଥିଲା କେନ୍ଦ୍ର । ରମ୍‌ଜାନ ପରେ ଏହି ଅପରେସନ ପୁଣି ଆରମ୍ଭ କରାଯିବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରିଥିଲା ପିଡିପି । ଏବେ ବିଜେପି ସମର୍ଥନ ପ୍ରତ୍ୟାହାର ପରେ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି । ଏପରି ହେବାର ଥିଲା ବୋଲି ପିଡିପି କହିଛି । କିନ୍ତୁ କୌଣସି ସୂଚନା ନଦେଇ ବିଜେପିର ଏହି ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ବୋଲି ଦଳ କହିଛି ।

୨୦୧୫ରେ ଜାମ୍ମୁ ଓ କାଶ୍ମୀରରେ ମେଣ୍ଟ ସରକାର କରିଥିଲେ ବିଜେପି ଓ ପିଡିପି । ୨୦୧୬ରେ ବୁର୍‌ହାନ ୱାନିଙ୍କୁ ସୁରକ୍ଷାକର୍ମୀମାନେ ମାରିବା ପରେ ରାଜ୍ୟରେ ବଡ଼ ଧରଣର ଅଶାନ୍ତି ସୃଷ୍ଟି ହୋଇଥିଲା । ସେ ସମୟରେ ଯେଉଁ ନିଆଁ ଲାଗିଥିଲା, ତାହା ଏପର୍ଯ୍ୟନ୍ତ ଲିଭିନାହିଁ। ସୀମା ପାର୍‌ ଆତଙ୍କବାଦ ବଢ଼ିବା ସହ ବହୁ ସଂଖ୍ୟାରେ ସ୍ଥାନୀୟ ଯୁବକ ଆତଙ୍କବାଦ ମୁହାଁ ହୋଇଛନ୍ତି । ପ୍ରତିଦିନ ହିଂସା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକ ପଥର ମାଡ଼ କରୁଛନ୍ତି, ସୁରକ୍ଷାକର୍ମୀ ଗୁଳିମାଡ଼ କରୁଛନ୍ତି। କେତେବେଳେ ସହିଦ ହେଉଛନ୍ତି ଯବାନ, ଆଉ କେତେବେଳେ ଆତଙ୍କବାଦୀଙ୍କ ସହ ମରୁଛନ୍ତି ନିରିହ ନାଗରିକ।

ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍‌ ସମୟ ଅଛି । ନିର୍ବାଚନ ପାଖେଇ ଆସୁଥିବାରୁ ଜାମ୍ମୁ ଓ କାଶ୍ମୀରକୁ ନେଇ ବିଜେପି ଆଡ଼କୁ ଅଙ୍ଗୁଳି ଉଠୁଛି । କାରଣ କେନ୍ଦ୍ର ସହ ରାଜ୍ୟରେ ଥିଲା ବିଜେପି ସରକାର । ଅଭିଯୋଗ ହେଉଛି, ବିଜେପି ନିଜ ଉପରୁ ଦୋଷ ହଟାଇ ପିଡିପି ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରୁଛି।

ଜମ୍ମୁ କଶ୍ମୀର ବିଧାନସଭା ଗଣିତ : 

ପିପୁଲ୍ସ ଡେମୋକ୍ରାଟିକ ପାର୍ଟି-ପିଡିପି ନେତୃତ୍ୱାଧୀନ ମେଣ୍ଟ ସରକାରରୁ ବିଜେପି ଓହରିବା ପରେ ଏବେ ରାଜ୍ୟପାଳ ଶାସନ ଲାଗିବା ଏକପ୍ରକାର ସ୍ପଷ୍ଟ। ବର୍ତ୍ତମାନ ସ୍ଥିତିରେ କାଶ୍ମୀରରେ ସରକାର ଗଠନ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ।

ଜାମ୍ମୁ ଓ କାଶ୍ମୀର ବିଧାନସଭାରେ ମୋଟ ସିଟ୍‌ ସଂଖ୍ୟା ୮୭ । ସରକାର ଗଠନ ଲାଗି ମ୍ୟାଜିକ ନମ୍ବର ୪୪ । ଗତ ୨୦୧୪ ବିଧାନସଭା ନିର୍ବାଚନରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି-ପିଡିପିକୁ ସର୍ବାଧିକ ୨୮ଟି ଆସନ ମିଳିଥିଲା। ସେହିପରି ବିଜେପିକୁ ୨୫, ନ୍ୟାସନାଲ କନ୍‌ଫରେନ୍‌ସ-୧୫, କଂଗ୍ରେସ-୧୨, ଜାମ୍ମୁ ଓ କାଶ୍ମୀର ପିପୁଲ୍ସ କନଫେରନସ-୨, ସିପିଏମ୍‌-୧, ଜାମ୍ମୁ ଓ କାଶ୍ମୀର ପିଡିଏଫ୍‌-୧ ଓ ସ୍ୱାଧୀନ-୩ଟି ଆସନରେ ଜିତିଥିଲେ । ଏହାପରେ ଦୁଇଟି ବିପରୀତ ଆଭିମୁଖ୍ୟ ରଖୁଥିବା ପିଡିପି ଓ ବିଜେପି ମିଳିତ ଭାବେ ସରକାର ଗଠନ କରିଥିଲେ । ୨୦୧୬ ମାର୍ଚ୍ଚ ୧ ତାରିଖରେ ପିଡିପି ମୁଖ୍ୟ ମୁଫ୍‌ତି ମହମ୍ମଦ ସହିଦ୍‌ ମୁଖ୍ୟମନ୍ତ୍ରୀ ଓ ବିଜେପିରୁ ନିର୍ମଳ କୁମାର ସିଂହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ।

ମନ୍ତ୍ରିମଣ୍ଡଳରେ ଉଭୟ ଦଳରୁ ୧୨ ଜଣ ଲେଖାଏଁ ସ୍ଥାନ ପାଇଲେ । କମନ୍‌ ମିନିମମ ପ୍ରୋଗ୍ରାମ ଜରିଆରେ ସରକାର କାମ କରିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ମୁଫ୍‌ତି ମହମ୍ମଦ ସହିଦଙ୍କ ପରଲୋକ ପରେ ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା ୨୦୧୬ ଅପ୍ରେଲ ୪ ତାରିଖ ପର୍ଯ୍ୟନ୍ତ । ୪ ଅପ୍ରେଲ ୨୦୧୬ରେ ମୁଫ୍‌ତିଙ୍କ ଝିଅ ମେହବୁବା ମୁଫ୍‌ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସରକାରରୁ ବିଜେପି ଓହରିଯିବାରୁ ୨ ବର୍ଷ ୭୬ ଦିନ ଶାସନ କରିବା ପରେ ମେହବୁବା ମୁଫ୍‌ତି ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଜେପି ମେଣ୍ଟରୁ ଓହରିଯିବା ପରେ ଜାମ୍ମୁ ଓ କାଶ୍ମୀରରେ ଏବେ ବିକଳ୍ପ ସରକାର ଗଠନ ନେଇ ଚର୍ଚ୍ଚା ମଧ୍ୟ ହେଉଛି। କଂଗ୍ରେସର-୧୨, ପିଡିପିର-୨୮, ଜାମ୍ମୁ ଓ କାଶ୍ମୀର ପିପୁଲ୍ସ କନଫେରନସ-୨, ସିପିଏମ୍‌ର ଜଣେ ଓ ସ୍ୱାଧୀନ ୩ ବିଧାୟକଙ୍କୁ ନେଇ ସରକାର ଗଠନ ମଧ୍ୟ ହୋଇପାରେ।

ସେହିପରି ବିଜେପି- ନ୍ୟାସନାଲ କନ୍‌ଫେରେନ୍ସ ଯଦିଓ ମିଳିତ ସରକାର ଗଠନ କରିବା ଏକପ୍ରକାର ଅସମ୍ଭବ କିନ୍ତୁ ସଂଖ୍ୟା ଦୃଷ୍ଟିରୁ ସରକାର ଗଠନ ପାଇଁ ସମ୍ଭାବନା ରହିଛି। କିନ୍ତୁ କେନ୍ଦ୍ର ସରକାର ଓ ନ୍ୟାସନାଲ କନ୍‌ଫେରେନ୍ସ ରାଜ୍ୟରେ ରାଜ୍ୟପାଳ ଶାସନ ସପକ୍ଷରେ ମତ ଦେଇଛନ୍ତି। ସେହିଦୃଷ୍ଟିରୁ ରାଜ୍ୟପାଳ ଶାସନ ଲାଗୁ ହେବାର ସମ୍ଭାବନା ଅଧିକ।

ବିଜେପି ପାଇଁ ବଡ଼ ସମସ୍ୟା : 

ବିଜେପି ପାଇଁ ସହଯୋଗୀ ସମସ୍ୟା ଉତ୍କଟ ହେଲାଣି । ବର୍ତ୍ତମାନ ପିଡିପିଠାରୁ ନିଜେ ଓହରିଛି ଦଳ । ଏହା ପୂର୍ବରୁ ଏନ୍‌ଡିଏରୁ ଓହରିଥିଲା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ନମିଳିବାରୁ ଚନ୍ଦ୍ରବାବୁ ଏନ୍‌ଡିଏ ଛାଡିଥିଲେ । କେବଳ ମେଣ୍ଟ ଛାଡ଼ି ନଥିଲେ, ବିଜେପି ବିରୋଧୀ ମେଣ୍ଟରେ ମଧ୍ୟ ସେ ନିଜକୁ ସାମିଲ କରିଛନ୍ତି । କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ଶପଥଗ୍ରହଣ ଉତ୍ସବରେ କଂଗ୍ରେସ ସହ ମଞ୍ଚରେ ଥିଲେ, ଚନ୍ଦ୍ରବାବୁ । ଏହାସହ କିଛିଦିନ ତଳେ ଦିଲ୍ଲୀରେ କେଜରିୱାଲ-ଏଲ୍‌ଜି ବିବାଦରେ ୪ ଆଞ୍ଚଳିକ ଦଳର ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ । ସେପଟେ ଶିବସେନା, ୨୦୧୯ରେ ବିଜେପିଠାରୁ ଅଲଗା ହେବ ବୋଲି କହିସାରିଛି । ବର୍ତ୍ତମାନ ଉଭୟ କେନ୍ଦ୍ର ଓ ମହାରାଷ୍ଟ୍ର ସରକାରରେ ବିଜେପି ସହ ଶିବସେନା ଅଛି। କିନ୍ତୁ ୨୦୧୯ରେ ନିଜ ରାସ୍ତା ନିଜେ ଦେଖିବ ବୋଲି କହିସାରିଛି ଶିବସେନା । ଏପରିକି ଉପନିର୍ବାଚନରେ ଦଳ ବିଜେପି ବିରୋଧରେ ଲଢ଼ିଥିଲା । ଶିବସେନାକୁ ମନେଇବା ପାଇଁ କିଛିଦିନ ତଳେ ଉଦ୍ଧବ ଠାକ୍‌ରେଙ୍କୁ ଅମିତ ଶାହା ଭେଟିଥିଲେ । କିନ୍ତୁ ଏଥିରୁ କିଛି ସୁଫଳ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.