ବାକ୍‌ ଯୁଦ୍ଧ: ବିଜେପିକୁ ‘ରାକ୍ଷସ ଦଳ’ କହିଲେ ମମତା, ଏମିତି କଠୋର ପ୍ରଧାନମନ୍ତ୍ରୀ ଦେଖି ନାହାନ୍ତି ରାଜନୈତିକ ଜୀବନରେ

ପଶ୍ଚିମବଙ୍ଗ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ପାଣିପାଗ ସେତିିକି ସରଗରମ ହୋଇଉଠୁଛି। ବିଭିନ୍ନ ଦଳ ପରସ୍ପର ମଧ୍ୟରେ ବାକ୍‌ ଲଢ଼େଇ ଜାରି ରଖିଛନ୍ତି। ଏମିତି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ସିଧା ବିଜେପିକୁ ଟାର୍ଗେଟ କରି ତାହାକୁ ‘ରାକ୍ଷସ ଦଳ’ ବୋଲି କହିଛନ୍ତି। ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଆକ୍ରମଣାତ୍ମକ ଢଙ୍ଗରେ କହିଛନ୍ତି କି, ସେ ଏମିତି ନିର୍ମମ ଏବଂ କଠୋର ପ୍ରଧାନମନ୍ତ୍ରୀ କେବେ ବି ଦେଖି ନାହାନ୍ତି।

ସୂଚନା ମୁତାବକ, ମମତା ବାନାର୍ଜୀ ୨୧ ମାର୍ଚ୍ଚ ରବିବାର ବଙ୍ଗର ନନ୍ଦକୁମାର ଅଞ୍ଚଳରେ ଜନସଭାକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ମୋଦିଙ୍କୁ ଟାର୍ଗେଟ କରିଥିଲେ। ବିଜେପି ଅଶାନ୍ତ ଏବଂ ଆତଙ୍କୀ ଦଳ ବୋଲି କହିଥିଲେ। ମମତା କହିଥିଲେ ଯେ ଭାଜପାର ଅର୍ଥ ହେଉଛି ‘ଭାରତୀୟ ଜୋଗୋନୋ ପାର୍ଟି’। କହି ରଖୁଛୁ, ବଙ୍ଗାଳୀରେ ବହୁତ ଖରାପ ଜିନିଷକୁ ଜୋଗୋନା ବୋଲି କୁହାଯାଇଥାଏ। ମମତା ଆହୁରି କହିଥିଲେ, ସେ ୭ ଥର ସାଂସଦ ରହିଛନ୍ତି ଏବଂ ଅନେକ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛନ୍ତି। କିନ୍ତୁ ଏମିତି ପ୍ରଧାନମନ୍ତ୍ରୀ କେବେ ବି ଦେଖି ନାହାନ୍ତି। ବିଜେପି ହେଉଛି ରାକ୍ଷସ, ଦାନବ, ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନ, ଅଶାନ୍ତ ଏବଂ ଆତଙ୍କୀ ଲୋକଙ୍କ ଦଳ।

ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଉଛନ୍ତି ମମତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଙ୍ଗ ନିର୍ବାଚନରେ ଟିଏମ୍‌ସିର ଶୋଚନୀୟ ପରାଜୟ ନେଇ ଦାବି କରିସାରିଛନ୍ତି। ଏହାରି ଭିତରେ ମମତା ସେହି ଇଭିଏମ୍‌ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଦେଇଛନ୍ତି, ଯେଉଁଥିପାଇଁ ସେ ୧୦ ବର୍ଷ ପୂର୍ବେ ପାଓ୍ଵାରକୁ ଆସିଥିଲେ। ମୋଦି ବାଙ୍କୁରା ର‍୍ୟାଲିରେ ବି କହିଛନ୍ତି କି, ଦିଦି ହାର୍‌ର ପ୍ରତିକାର ଆରମ୍ଭ କରିଦେଇଛନ୍ତି। କାରଣ, ସେ ସେହି ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଉଛନ୍ତି, ଯାହା ତାଙ୍କୁ ୧୦ ବର୍ଷ ପୂର୍ବେ ପାଓ୍ଵାରକୁ ଆଣିଥିଲା।

କହି ରଖୁଛୁ, ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟ ମତଦାନ ୨୭ ମାର୍ଚ୍ଚ ଏବଂ ଶେଷ ପର୍ଯ୍ୟାୟ ୨୯ ଏପ୍ରିଲରେ ହେବ। ୨ ମେ’ରେ ଫଳାଫଳ ସାମ୍ନାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.