ପଶ୍ଚିମବଙ୍ଗ ନିର୍ବାଚନ: ଆଜି ସରୁଛି ପ୍ରଚାର, ୩୦ ଆସନ ପାଇଁ ୧୯୧ ପ୍ରାର୍ଥୀ ମଇଦାନରେ, ଭିଆଇପି ଆସନ ଉପରେ ସମସ୍ତଙ୍କ ନଜର

ଦିନକ ପରେ ପଶ୍ଚିମବଙ୍ଗ ନିର୍ବାଚନ। ବଙ୍ଗ ଏବେ ଉଠୁଛି ପଡ଼ୁଛି। ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରଚାର ଜୋରଦାର କରାଇଛନ୍ତି। କାରଣ, ଆଜି ହେଉଛି ପ୍ରଚାରର ଶେଷ ଦିନ। ଶନିବାର ଏଠାରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ପାଇଁ ୧୯୧ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଭୋଟରମାନଙ୍କୁ ମନାଇବା ପାଇଁ ଆଉ ମାତ୍ର କିଛି ଘଣ୍ଟାର କଥା। ତେଣୁୁ ଦଳଗୁଡ଼ିକ ନିଜର ପୂରା ଦମ୍‌ ଲଗାଇ ଦେଇଛନ୍ତି।

୫ ଜିଲାର ୪୭ ଆସନ

ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୫ ଜିଲା ବାଙ୍କୁଡ଼ା, ପୁରୁଲିଆ, ଝାରଗ୍ରାମ, ପଶ୍ଚିମୀ ଏବଂ ପୂର୍ବ ମିଦନାପୁରର ୪୭ ଆସନ ଉପରେ ଭୋଟ ଗ୍ରହଣ କରାଯିବ। ଜଙ୍ଗଲ ମହଲ ଏରିଆ ନାଁରେ ପ୍ରସିଦ୍ଧ ଏହି ଅଞ୍ଚଳରେ ଆଦିବାସୀ ସମୁଦାୟର ଭୋଟକୁ ଗୁରୁତ୍ୱ ଦିଆଯାଇଥାଏ। ଦିନ ଥିଲା ଏହି ଅଞ୍ଚଳକୁ ବାମ ଦଳଗୁଡ଼ିକର ମଜଭୁତ ଗଡ଼ କୁହାଯାଉଥିଲ। କିନ୍ତୁ ଗତ ଦୁଇ ବିଧାନସଭା ନିର୍ବାଚନରୁ ଏଠାରେ ଟିଏମ୍‌ସି ହିଁ ବିଜୟ ହାସଲ କରିଆସୁଛି। ଯଦିଓ ୨୦୧୯ ଲୋକ ସଭା ନିର୍ବାଚନରେ ଟିଏମ୍‌ସି ଗଡ଼ରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବାରେ ସଫଳ ରହିଛି। ଏମିତି ସ୍ଥିତିରେ ଏହି ୫ ଜିଲାରୁ ଭୋଟ ପାଇବା ଅଧିକ ଗୁରୁତ୍ୱ ବହନ କରୁଛି।

କହି ରଖୁଛୁ, ୨୦୧୬ ନିର୍ବାଚନରେ ଟିଏମ୍‌ସି ଏଠାରେ ପାଖାପାଖି କ୍ଲିନ୍‌ ସ୍ୱୀପ୍‌ କରି ନେଇଥିଲା। ୩୦ ଆସନରୁ ଦଳ ୨୭ ଆସନରେ ଜିତିଥିଲା। କିନ୍ତୁ ବିଜେପି ଆଦୌ ଖାତା ଖୋଲିପାରି ନ ଥିଲା। ବାକି ୨ଟି ଆସନକୁ କଂଗ୍ରେସ ଅକ୍ତିଆର କରି ନେଇଥିବା ବେଳେ ଅନ୍ୟ ଏକ ଆସନରେ ରେଭୋଲ୍ୟୁଶନାରୀ ସୋସିଆଲିଷ୍ଟ ପାର୍ଟି ବିଜୟ ହାସଲ କରିଥିଲା। ହେଲେ ଏଥର ନିର୍ବାଚନ ସମୀକରଣ ଗତ ନିର୍ବାଚନ ତୁଳନାରେ ବହୁତ ଅଲଗା ରହିଛି। ଗତଥର ଗୋଟିଏ ବି ଆସନ ପାଇ ନ ଥିବା ବିଜେପି ଏଥର ଅନେକ ଆଶା ରଖିଛି।

ପ୍ରଥମ ପର୍ଯ୍ୟାୟରେ ଭିଆଇପି ଆସନ

ପୁରୁଲିଆ ଆସନରେ ବିଜେପି, କଂଗ୍ରେସ ଛାଡ଼ି ଆସିଥିବା ସୁଦୀପ ମୁଖାର୍ଜୀଙ୍କୁ ଛିଡ଼ା କରେଇଛି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସର ପ୍ରୀତମ ବାନାର୍ଜୀ ଏବଂ ଟିଏମ୍‌ସିର ସୁଜୟ ବାନାର୍ଜୀ ଛିଡ଼ା ହୋଇଛନ୍ତି। ବାଙ୍ଘମୁଣ୍ଡୀ ଆସନରେ ଦୁଇ ଦୁଇଥର କଂଗ୍ରେସ ବିଧାୟକ ହୋଇଥିବା ନେପାଳ ଚନ୍ଦ୍ର ମହତୋ ପୁଣିଥରେ ନିଜ ଭାଗ୍ୟ ସହିତ ଲଢ଼ିବାକୁ ଯାଉଛନ୍ତି। ତାଙ୍କ ବିପକ୍ଷରେ ଟିଏମ୍‌ସିରୁ ସୁଶାନ୍ତ ମହତୋ ଛିଡ଼ା ହୋଇଥିବା ବେଳେ ବିଜେପି ନିଜ ସହଯୋଗୀ ଏଜେଏସ୍‌ୟୁ ପାଇଁ ଏହି ଆସନ ଛାଡ଼ି ଦେଇଛି। ଦଳ ଏଠି ଆଶୁତୋଷ ମହତୋଙ୍କ ଉପରେ ଭରସା ରଖିଛି।

ତେବେ ଖଡ଼ଗପୁର ବିଧାନସଭା ଆସନ ସବୁଠୁ ହାଇ ପ୍ରୋଫାଇଲ ଆସନ ଭାବେ ଜଣାଯାଇଥାଏ। ଏହା ବିଜେପିର ରାଜ୍ୟ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ସଂସଦୀୟ ଅଞ୍ଚଳରେ ଆସୁଛି। ଏଠାରେ ଟିଏମ୍‌ସିର ଦିନେନ ରାୟ ଓ ବିଜେପିର ତପନ ଭୁୟାଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି। ମେଦନୀପୁର ଆସନରେ ବିଜେପିର ସାମିତ କୁମାର ଦାସ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଟିଏମ୍‌ସି ନିଜ ବିଧାୟକ ମୃଗେନ୍ଦ୍ରନାଥ ମ୍ୟାଏତିଙ୍କ ଜାଗାରେ ଆକ୍ଟର ଜୁନେ ମଲିହାଙ୍କୁ ଛିଡ଼ା କରେଇଛି। ଖେଜରୀ ଆସନରୁ ବିଜେପିର ଶାନ୍ତନୁ ପ୍ରମାଣିକ ପ୍ରାର୍ଥୀ ହୋଇଥିବା ବେଳେ ସିପିଏମ୍‌ର ହିମାଂଗଶୁ ଦାସ ଛିଡ଼ା ହୋଇଛନ୍ତି। ସେପଟେ ଟିଏମ୍‌ସି ନିଜ ବିଧାୟକ ରଞ୍ଜିତ୍‌ ମଣ୍ଡଳଙ୍କ ଜାଗାରେ ପ୍ରୀତମ ଦାସଙ୍କୁ ଏଠି ଟିକେଟ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.