ପଶ୍ଚିମବଙ୍ଗ ନିର୍ବାଚନ: ହିଂସାକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ପରେ ସୀତଲକୁଚୀରେ ଭୋଟିଂ ବନ୍ଦ, EC ମାଗିଲେ ରିପୋର୍ଟ

ପଶ୍ଚିମବଙ୍ଗରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି। ଉତ୍ତର ବଙ୍ଗର କୁଚ୍‌ ବିହାର, ଅଲୀପୁରଦ୍ୱାର, ଦକ୍ଷିଣ ୨୪ ପ୍ରାଗଣା, ହାଓଡା ଏବଂ ହୁଗଳିର ୪୪ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏଥର ହାଇ ପ୍ରୋଫାଇଲ୍‌ ଲଢ଼େଇରେ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ହାର୍ଟ କୁହାଯାଉଥିବା ଟଲିଗଞ୍ଜରୁ ବାବୁଲ ସୁପ୍ରିୟୋ ଓ ବିଧାୟକ ଅରୂପ ବିଶ୍ୱାସଙ୍କ ମଧ୍ୟରେ କଡ଼ା ଟକ୍କର ହେବ।

ସେପଟେ ଏହାରି ଭିତରେ ନିର୍ବାଚନ ଆୟୋଗ(EC) ବିଶେଷ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ କୁଚ୍‌ ବିହାରର ସୀତଲକୁଚୀରେ ୧୨୫ ନମ୍ବର ବୁଥ୍‌ରେ ମତଦାନ ସ୍ଥଗିତ ରଖିବାକୁ ଆଦେଶ ଦେଇଛନ୍ତି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ବିସ୍ତତ ରିପୋର୍ଟ ମଗାଯାଇଛି। ସୂଚନାଥାଉ କି, ନିର୍ବାଚନୀ ହିଂସାରେ ୪ ଜଣଙ୍କ ମୃତ୍ୟୁ ପରେ ଏଠି ଭୋଟିଂ ବନ୍ଦ ରହିଛି।

୩୭୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଜଣାପଡ଼ିଛି, ଚତୁର୍ଥ ପର୍ଯ୍ୟାୟ ପାଇଁ ୧୫,୯୪୦ ମତଦାନ କେନ୍ଦ୍ର ବନାଯାଇଥିବା ବେଳେ ମୋଟ ୧,୧୫,୮୧,୦୨୨ ମତଦାତା ୩୭୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିରେ ହାଓଡା ପାର୍ଟ-୨ ସହିତ ଦକ୍ଷିଣ ୨୪ ପ୍ରାଗଣା ପାର୍ଟ-୨, ହୁଗଳି ପାର୍ଟ-୨, ଅଲୀପୁରଦ୍ୱାର ଏବଂ କୁଚ୍‌ ବିହାର ଆସନ ସାମିଲ ରହିଛି। ରାଜ୍ୟର ଦକ୍ଷିଣ ୨୪ ପ୍ରାଗଣା ଜିଲାରେ ମହିଳାମାନଙ୍କର ନିର୍ଣ୍ଣାୟକ ଭୂମିକା ରହିବ। ଜିଲାର ୧୧ଟି ନିର୍ବାଚନ ମଣ୍ଡଳୀରେ ମହିଳା ମତଦାତାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ରହିଛି। ମହିଳା ମତଦାତାଙ୍କର ମୋଟ ସଂଖ୍ୟା ୧୫,୭୦,୩୯୨ ଥିବା ବେଳେ ପୁରୁଷଙ୍କ ସଂଖ୍ୟା ରହିଛି ୧୫,୬୬,୧୬୧।

୧୫,୯୪୦ ମତଦାନ କେନ୍ଦ୍ରରେ ସୁରକ୍ଷାବଳ ନିୟୋଜିତ

୪୪ ବିଧାନସଭା ଆସନ ପାଇଁ କରାଯାଇଥିବା ୧୫,୯୪୦ ମତଦାନ କେନ୍ଦ୍ରରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ୍‌)ର ୭୮୯ ଦଳ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସବୁଠୁ ଅଧିକ ୧୮୭ ଦଳ କୁଚ୍‌ ବିହାରରେ ମୁତୟନ ହେବେ, ଯେଉଁଠି ନିର୍ବାଚନ ପ୍ରଚାର ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଯେମିତି କି, ଏକ ଘଟଣାରେ ତୃଣମୂଳ କଂଗ୍ରେସର ସମର୍ଥକମାନେ ଭାଜପାର ରାଜ୍ୟ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ଉପରେ ଆକ୍ରମଣ କରିଥିଲେ।

ନିର୍ବାଚନ ମଣ୍ଡଳୀରେ ହୋଇଛି ଅନେକ ଜନସଭା

ହାଓଡାରେ ୯ ବିଧାନସଭା ଆସନ, ଦକ୍ଷିଣ ୨୪ ପ୍ରାଗଣାରେ ୧୧, ଅଲୀପୁରଦ୍ୱାରରେ ୫, କୁଚ୍‌ ବିହାରରେ ୯ ଏବଂ ହୁଗଳିରେ ୧୦ ଆସନରେ ମତଦାନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ, ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଭିନ୍ନ ସ୍ଥାନରେ ଭାଜପା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ସେପଟେ ଟିଏମ୍‌ସି ତରଫରୁ ମମତା ବାନାର୍ଜୀ ଓ ତାଙ୍କ ଭଣଜା ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀ ମଧ୍ୟ ଅନେକ ନିର୍ବାଚନ ମଣ୍ଡଳୀରେ ଜନସଭା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.