ଭାରତକୁ ଆମେରିକାର ଦୃଢ଼ ସମର୍ଥନ, କହିଲା ଚୀନ୍ ବିରୋଧରେ ଆମେ କରିବୁ ସାହାଯ୍ୟ…

ନୂଆଦିଲ୍ଲୀ : ଭାରତକୁ ଆମେରିକାର ଦୃଢ଼ ସମର୍ଥନ । ଚୀନକୁ ତେରେଛା ବାଣ । ଆମେରିକା ଓ ଭାରତ ମଧ୍ୟରେ ଟୁ ପ୍ଲସ୍‌ ଟୁ ଆଲୋଚନା ପରେ ଏମିତି କିଛି ଚିତ୍ର ସାମନା ମିଳିଛି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ଲୟଡ୍‌ ଅଷ୍ଟିନ୍‌ କହିଥିଲେ, ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଜଣେ ପ୍ରତିରକ୍ଷା ସାମଗ୍ରୀ ନିର୍ମାତା ଭାବରେ ଆମେରିକା ଭାରତକୁ ସମର୍ଥନ କରୁଛି । ପରୋକ୍ଷରେ ଚୀନର ବିସ୍ତାରବାଦ ନୀତିକୁ ଆକ୍ଷେପ କରିଛନ୍ତି ଲୟଡ୍‌ ଅଷ୍ଟିନ୍‌ ।

ସେ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିଜର ସ୍ୱାର୍ଥ ପାଇଁ ଚୀନ୍‌ ଆଧିପତ୍ୟ ବିସ୍ତାର କରି କାମ ଚଳାଇଛି । ଲୟଡ୍‌ କହିଛନ୍ତି, ଆମେରିକା ନିଜର ସାମରିକ ଶକ୍ତିକୁ ଅଧିକ ବ୍ୟାପକ କରିବା ପାଇଁ ନୂଆ ସୁଯୋଗ ପାଇଛି । ଗତ ଗ୍ରୀଷ୍ମ ଋତୁରେ ଭାରତର ନୌସେନା ଓ ବାୟୁସେନା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକା ସମରାଭ୍ୟାସ କରିଥିଲା । ପ୍ରଥମ ଥର ଆଣ୍ଟି ସବମେରାଇନ୍‌ ଓ୍ଵାରଫେୟାର୍‌ ଓ ଥିଓଡୋର୍‌ ରୋଜରଭେଲ୍‌ଟ୍‌ କ୍ୟାରିୟର ଷ୍ଟ୍ରାଇକ୍‌ ଗ୍ରୁପ୍‌ ସମରାଭ୍ୟାସରେ ସାମିଲ ହୋଇଥିଲା । ଆଗକୁ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଓ ଆମେରିକା ମିଳିତ ଭାବରେ କାମ କରିବେ ବୋଲି ଲୟଡ୍‌ କହିଛନ୍ତି ।

ସେହିପରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ମଧ୍ୟରେ ବାଣିଜ୍ୟ ଜାତୀୟ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ସଂପର୍କରେ ଆଲୋଚନା ହୋଇଛି । ସେପଟେ ୟୁକ୍ରେନ୍‌ ସହ ଯୁଦ୍ଧ ଭିତରେ ରୁଷରୁ ତୈଳ ଆମଦାନୀ ଉପରେ ବିଭିନ୍ନ ଦେଶ କଟକଣା ଲଗାଇଛନ୍ତି । ଏଭଳି ସ୍ଥିତିରେ ମସ୍କୋରୁ ଅଶୋଧିତ ତୈଳ ଆମଦାନୀ କରିବା ପ୍ରସଙ୍ଗରେ ଭାରତକୁ କ୍ଲିନ୍‌ଚିଟ୍‌ ଦେଇଛି ଆମେରିକା । ଏଥିରେ ଯୁଦ୍ଧ କଟକଣାର ଉଲ୍ଲଂଘନ ହେଉ ନଥିବା କହିଛି ଆମେରିକା । ଗତକାଲି ମୋଦି-ବାଇଡେନ୍‌ ବି ଆଲୋଚନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.