ଆଧାର କାର୍ଡରେ ଝିଅର ନାଁ ‘ମଧୁର ୫ମ ଛୁଆ’! ଫେରାଇ ଦେଲା ସ୍କୁଲ, ହୋଇ ପାରିଲାନି ନାମଲେଖା…

ଆଧାର କାର୍ଡରେ ଭୁଲ୍‌ ଫଟୋ ଏବଂ ଭୁଲ୍‌ ନାମକୁ ନେଇ ଗତ କିଛି ବର୍ଷ ହେବ ଅଜବ ମାମଲା ସବୁ ସାମ୍ନାକୁ ଆସୁଛି। ଏଭଳି ଘଟଣା ବିଷୟରେ ଜାଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ଏବେ ଠିକ୍‌ ଏମିତି ହିଁ ଏକ ମାମଲା ଲୋକଲୋଚନକୁ ଆସିଛି। ଘଟଣାଟି ଉତ୍ତର ପ୍ରଦେଶର। ଏଠାରେ ବଦାଁୟୁ ଜିଲ୍ଲାରେ ଆଧାର କାର୍ଡ ତିଆରି ସମୟରେ ଏକ ବଡ଼ ଭୁଲ୍‌ ହୋଇଛି, ଯାହାକି ସୋସିଆଲ ମିଡିଆରେ ଫୋନକୁ ଫୋନ ଘୂରି ବୁଲୁଛି।

ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଜଣେ ବାପା ଝିଅର ନାମ ଲେଖାଇବା ପାଇଁ ପ୍ରାଥମିକ ବିଦ୍ୟାଳୟ ଯାଇଥିଲେ। ଝିଅର ଆଧାର କାର୍ଡ ଦେଖିବା ପରେ ସେଠାରେ ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ନାମ ଲେଖାଇବାକୁ ମନା କରି ଦେଇଥିଲେ। କାହିଁକି ନା, ଆଧାର କାର୍ଡରେ ଝିଅର ନାମ ଲେଖା ହୋଇଥିଲା ‘ମଧୁର ୫ମ ଛୁଆ’। ଘଟଣାକୁ ନେଇ ସେଠାରେ ହୋ ହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଥିଲା।

ମିଡିଆ ରିପୋର୍ଟ ମୁତାବକ, ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବଦାଁୟୁ ଜିଲ୍ଲା ବିଲ୍‌ସିର ରାୟପୁର ଗ୍ରାମାଞ୍ଚଳରେ। ଏଠାରେ ଦିନେଶ ନାମକ ବ୍ୟକ୍ତିଙ୍କର ୫ ସନ୍ତାନ ଅଛନ୍ତି ଏବଂ ୩ ଜଣ ଗାଁ ପ୍ରାଥମିକ ସ୍କୁଲରେ ପାଠ ପଢ଼ନ୍ତି। ଆଧାର କାର୍ଡ ତିଆରିର ଦୁଇ ବର୍ଷ ପରେ ଯେତେବେଳେ ଦିନେଶ ଝିଅ ଆରତିର ନାମ ଲେଖାଇବା ପାଇଁ ସ୍କୁଲ ଯାଇଥିଲେ, ତ ସମସ୍ତେ ଚକିତ ହୋଇ ପଡ଼ିଥିଲେ।

ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଆଧାର କାର୍ଡ ସମେତ ନାମଲେଖାର ସମସ୍ତ ଡକ୍ୟୁମେଣ୍ଟ ଦିନେଶଙ୍କୁ ମାଗିଥିଲେ। ହେଲେ ଯେତେବେଳେ ଆଧାର କାର୍ଡ ଦେଖିଥିଲେ, ତ ସହଜରେ ବିଶ୍ୱାସ କରିପାରି ନ ଥିଲେ। ଝିଅର ନାମ ଆରତି ବଦଳରେ ‘ମଧୁର ୫ମ ଛୁଆ’ ଲେଖା ଯାଇଥିଲା। ଘଟଣା ପରେ ଶିକ୍ଷୟିତ୍ରୀ ଜଣକ ଯଥାଶୀଘ୍ର ଆଧାର କାର୍ଡ ସଂଶୋଧନ କରାଇ ନେବାକୁ କହିଥିଲେ।

ସେପଟେ ଏହି କଥା ପ୍ରଶାସନ ପାଖରେ ପହଞ୍ଚିବା ପରେ ଅଧିକାରୀମାନେ କହିଥିଲେ ଯେ ଆଧାର କାର୍ଡ ତିଆରି କରିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି ଏବଂ ଏଭଳି ଭୁଲ୍‌ ଯୋଗୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ମାମଲା ବିଷୟରେ ବ୍ୟାଙ୍କ ଓ ଡାକଘର ଅଧିକାରୀମାନଙ୍କୁ ସୂଚିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.