କେରଳରେ ବଡ଼ ଧରଣର ବସ୍‌ ଦୁର୍ଘଟଣା; ୫ ଛାତ୍ରଛାତ୍ରୀ ଓ ଜଣେ ଶିକ୍ଷକଙ୍କ ସମେତ ଚାଲିଗଲା ୯ ଜଣଙ୍କ ଜୀବନ

କେରଳର ପଲକ୍କଡ଼ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣ ଲୋକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପଲକ୍କଡ଼ ଜିଲ୍ଲାର ଓ୍ଵଡକ୍କନଚେରି ଅଞ୍ଚଳରେ ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ମୁତାବକ, କେରଳ ରାଜ୍ୟ ସଡ଼କ ପରିବହନ ନିଗମ (KSRTC)ର ଏକ ବସ୍‌କୁ ଏକ ଟୁରିଷ୍ଟ୍‍ ବସ୍‌ ଜୋରଦାର ଧକ୍କା ଦେଇଥିଲା।

ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବସ୍‌ଟି ପାଖରେ ଥିବା କାଦୁଅରେ ଗଳି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୮ ଜଣ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ଖବର ମୁତାବକ, କେରଳ ସରକାରର ମନ୍ତ୍ରୀ ଏମ୍‌.ବି. ରାଜେଶ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି କି, କେରଳର ପଲକ୍କଡ଼ ଜିଲ୍ଲାର ଓ୍ଵଡକ୍କନଚେରି ଅଞ୍ଚଳରେ KSRTCର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୩୮ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଟୁରିଷ୍ଟ ବସ୍‌ ଏକ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନେଇ ଏର୍ନାକୁଲମ୍‌ରୁ ଉଟି ଅଭିମୁଖେ ଯାଉଥିଲା। ସେହି ସମୟରେ KSRTCର ବସ୍‌ କୋୟମ୍ବଟୁର ଆଡ଼କୁ ଆସୁଥିଲା। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନଙ୍କ ମଧ୍ୟରେ ୫ ଛାତ୍ର, ଜଣେ ଶିକ୍ଷକ ଏବଂ ୩ ଜଣ ଯାତ୍ରୀ ସାମିଲ ଅଛନ୍ତି।

ସେପଟେ ଦୁର୍ଘଟଣାରେ ଆହତ ମୋଟ ୩୮ ଜଣ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହା ପୂର୍ବରୁ ଉତ୍ତରାଖଣ୍ଡର ପୌଡ଼ି ଗଢ଼ଓ୍ଵାଲରେ ମଧ୍ୟ ଏହିପରି ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଥିଲା। ଏଥିରେ ୩୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.