ଛିଃ ଏତେ ନୃଶଂସ! ସ୍ତ୍ରୀ ଆଉ ଝିଅକୁ ହାଣିବା ପରେ କଟା ମୁଣ୍ଡ ଧରି ଶ୍ୱଶ୍ୱର ଘରେ ପହଞ୍ଚିଲା ଜ୍ୱାଇଁ

ବିହାରର ମଧେପୁରାରୁ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନିର୍ଦ୍ଦୟ ସ୍ୱାମୀ ପାଶବିକତାର ସବୁ ସୀମା ଟପିଯାଇଛି। ଏହି ରାକ୍ଷସ ନିଜ ସ୍ତ୍ରୀ ଓ ଦେଢ଼ ବର୍ଷର ଝିଅର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି। ପତ୍ନୀର ମୁଣ୍ଡ କାଟି ସେ ଶ୍ୱଶୁର ଘରେ ରଖିଆସିଥିବା ବେଳେ ଝିଅର କଟା ମୁଣ୍ଡକୁ ଘର ଟେବୁଲ ଉପରେ ରଖି ଅନ୍ୟ ଦୁଇ ପିଲାଙ୍କୁ ଧରି ଫେରାର ହୋଇଯାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି। ଶ୍ରୀନଗର ଥାନା ଅଞ୍ଚଳର ରାମ ନଗର ମହେଶ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଓ୍ଵାର୍ଡ ନମ୍ବର ୧ର ନିବାସୀ ମ.ଜିବ୍ରାଇଲ ପାରିବାରିକ ଝଗଡ଼ା ଯୋଗୁ ଶୁକ୍ରବାର ରାତିରେ ସ୍ତ୍ରୀ ମୁରସୁଦା ଖାତୁନ୍‌ ଓ ଦେଢ଼ ବର୍ଷର ଝିଅ ଜିୟା ପରବିନ୍‌ଙ୍କୁ ହତ୍ୟା କରିଛି। ସେ ଉଭୟଙ୍କର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି। ଏହି ରାକ୍ଷସ ଝିଅର ମୁଣ୍ଡ କାଟି ଟେବୁଲ ଉପରେ ରଖିବା ପରେ ସ୍ତ୍ରୀର କଟା ମୁଣ୍ଡକୁ ଧରି ଶ୍ୱଶୁର ଘର ଗାଁକୁ ଯାଇଥିଲା। ଶ୍ୱଶୁର ଘର ଠାରୁ ୨୦୦ ମିଟର ଦୂରରେ ସେ ସ୍ତ୍ରୀର କଟାମୁଣ୍ଡକୁ ରଖି ଫେରାର ହୋଇଯାଇଛି। ନିଜ ସହ ସେ ଦୁଇ ପିଲାଙ୍କୁ ବି ନେଇ ଯାଇଛି।

ଶନିବାର ସକାଳେ ଗାଁ ମୁଣ୍ଡରେ କଟା ମୁଣ୍ଡ ଦେଖିବା ପରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ଗାଁ ଲୋକେ କଟା ମୁଣ୍ଡକୁ ଦେଖି ତୁରନ୍ତ ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କଟା ମୁଣ୍ଡକୁ ଜବତ କରିବା ବେଳକୁ ତା’ ତଳୁ ଏକ ଚିଠି ମିଳିଥିଲା। ପୋଲିସ ଉଭୟ ଚିଠି ଓ କଟା ମୁଣ୍ଡକୁ ଜବତ କରିଛି।

ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଜିବ୍ରାଇଲର ମା’ଙ୍କୁ ଗିରଫ କରିଥିବା ବେଳେ ବାପା ଫେରାର ହୋଇଯାଇଛନ୍ତି। ହତ୍ୟାକାରୀ ଶ୍ୱଶୁର ଘର ଲୋକଙ୍କୁ ହ୍ଵାଟ୍ସଆପ୍‌ରେ ମର୍ଡରର ଭିଡିଓ ଓ ଧମକପୂର୍ଣ୍ଣ ଭଏସ୍‌ ରେକର୍ଡିଂ ମଧ୍ୟ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକ ଥାନାରେ ପହଞ୍ଚି ଗଣ୍ଡଗୋଳ କରିଛନ୍ତି। ଏଥିସହ ଦୁଇ ପିଲାଙ୍କୁ ତୁରନ୍ତ ଖୋଜିବାକୁ ଦାବି କରିଛନ୍ତି।

Also Read: ୟୁରୋପ ଉପରେ ଆଣବିକ ବିପର୍ଯ୍ୟୟ ବିପଦ, ଜାପୋରଝିଆ ପାଓ୍ଵାର ପ୍ଲାଣ୍ଟ ଉପରେ ପୁଣି ରକେଟ୍‌ ମାଡ଼ କଲା ରୁଷ୍‌

Leave A Reply

Your email address will not be published.