ଆଜି ଜଣାପଡ଼ିବ ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳୁଛି ନା’ ଜେଲ, କାଲି ସମୟ ଅଭାବରୁ ସମ୍ପୂର୍ଣ୍ଣ ହୋଇପାରିନଥିଲା ଶୁଣାଣି

ଆଜି ପୁଣିଥରେ କୋର୍ଟରେ ହେବ ଆର୍ଯ୍ୟନ୍‌ ଖାନ୍‌ଙ୍କ ଡ୍ରଗ୍ସ ମାମଲାର ଶୁଣାଣି। ଗତକାଲି ମୁମ୍ବାଇର ସେସନ୍ସ କୋର୍ଟରେ ଦିନ ସାରା ଆର୍ଯ୍ୟନ୍‌ଙ୍କ ଜାମିନ୍‌ ମାମଲାର ଶୁଣାଣି ଉପରେ ଓକିଲଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା। କିନ୍ତୁ ସମୟ ନ ଅଣ୍ଟିବାରୁ ଆଜି ଦିନ ୧୨ଟାକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା। ତେଣୁ ଆଜି ପୁଣିଥରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଜାମିନ୍‌ ମିଳିବ କି ନାହିଁ ସେ ବିଷୟରେ ଶୁଣାଣି ହେବ।

ଆର୍ଯ୍ୟନ୍‌ଙ୍କ ଓକିଲ ଅମିତ ଦେଶାଇ ଦାବି କରିଛନ୍ତି ଯେ ତାଙ୍କ ମହକିଲଙ୍କ ପାଖରୁ କୌଣସି ନିଶାଜାତୀୟ ଦ୍ରବ୍ୟ ମିଳିନାହିଁ। ଏହି କଥାକୁ ଏନ୍‌ସିବି ମଧ୍ୟ ସ୍ୱୀକାର କରିଛି। କିନ୍ତୁ ଏନ୍‌ସିବି ଦାବି କରୁଛି, ଆର୍ଯ୍ୟନ୍‌ ମାନିଛନ୍ତି ଯେ ସେ ଡ୍ରଗ୍ସ ନିଅନ୍ତି। ତେବେ ଆଜି ୧୨ଟାରେ ଉଭୟ ପକ୍ଷ ପୁଣି ମୁହାଁମୁହିଁ ହେବେ। ପ୍ରକାଶ ଯେ ୨୦୦୨ ହିଟ ଆଣ୍ଡ ରନ ମାମଲାରେ ସଲମାନ ଖାନଙ୍କ ପାଇଁ ଲଢିଥିଲେ ଅମିତ ଦେଶାଇ । ଏହି ମାମଲାରେ ସଲମାନ ଦୋଷମୁକ୍ତ ହୋଇଥିଲେ ।

ଅନ୍ୟପଟେ ମୁମ୍ବାଇ କ୍ରୁଜ୍‌ ସିପ୍‌ରେ ଡ୍ରଗ୍ସ ମାମଲାରେ ଇତି ମଧ୍ୟରେ ୨ ବିଦେଶର ନାଗରିକଙ୍କୁ ମିଶାଇ ମୋଟ୍‌ ୨୦ ଜଣଙ୍କୁ ଗିରଫ କରିଛି ଏନ୍‌ସିବି। ତେବେ କାଲି ଜାମିନ୍‌ ଶୁଣାଣି ହୋଇନପାରିବାରୁ ପୁଣିଥରେ ଆର୍ଥର ଜେଲକୁ ଫେରିଯାଥିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌।

ମିଳିଥିବା ସୂଚନା ମୁତାବକ,ଜେଲରେ ରହିବା ଦିନଠାରୁ ହିଁ ଆର୍ଯ୍ୟନଙ୍କର ଖାଇବାରେ ମନ ଲାଗୁନାହିଁ । କେବଳ କ୍ୟାଣ୍ଟିନରୁ ଖାଦ୍ୟ କିଣି ଖାଇବାକୁ ହିଁ କୋର୍ଟଙ୍କ ଅନୁମତି ରହିଛି । ଏଣୁ ଜେଲ କ୍ୟାଣ୍ଟିନରୁ କିଣିଥିବା ବିସ୍କୁଟ ଖାଇ ରହିଛନ୍ତି ଆର୍ଯ୍ୟନ୍‌। ସେ କ୍ୟାଣ୍ଟିନ ରୁ କିଣି ପାଣି ମଧ୍ୟ ପିଉଛନ୍ତି । ଜେଲରେ ରହିବା ଠାରୁ ଗାଧୋଇ ନାହାନ୍ତି ଆର୍ଯ୍ୟନ୍‌। ଖାଇବା ପିଇବା ଠିକ୍‌ ଭାବେ କରୁନଥିାରୁ ତାଙ୍କ ପେଟ ସମସ୍ୟା ମଧ୍ୟ ଦେଖାଦେଇଛି । ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଜେଲ ତରଫରୁ ଗୋଟିଏ କମ୍ବଳ ମିଳିଛି । ଘରୁ ଦୁଇଟି ଚାଦର ଓ ପୋଷାକ ଆସିଛି । ଘରୁ ଆଣିଥିବା ସାମଗ୍ରୀକୁ ଆର୍ଯ୍ୟନ୍ ବ୍ୟବହାର କରୁଥବା ଜଣାଯାଇଛି।

ତେବେ ଶାହାରୁଖ ଖାନ୍‌ଙ୍କ ଏହି ବିପଦ ସମୟରେ ତାଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌। ଶାହାରୁଖଙ୍କୁ ସପୋର୍ଟ କରିବାକୁ ଇତି ମଧ୍ୟରେ ସଲମାନ୍‌ ଏକାଧିକ ଥର ତାଙ୍କବଙ୍ଗଳା ମନ୍ନତକୁ ଯାଇଥିବା ଦେଖାଯାଇଛି। ତେବେ ଆଜି ଅପରାହ୍ନରେ ଜଣାପଡ଼ିବ ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳୁଛି ନା ପୁଣି ଯିବାକୁ ପଡ଼ୁଛି ଜେଲ୍‌।

Leave A Reply

Your email address will not be published.