ଭାରତରେ ପ୍ରଥମ ଥର ଦେଖାଦେଲା ଓମିକ୍ରନର ନୂଆ ଭ୍ୟାରିଏଣ୍ଟ BA.4; ପୁଣି ଏକ ଲହର ଆସିବା ନେଇ ଆଶଙ୍କା

କରୋନା ଏବେ ବି ତା’ର ନୂଆ ନୂଆ ରୂପ ଦେଖାଉଛି। ଦେଶରେ କିଛି ଦିନ ହେବ କରୋନା ମାମଲା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏହାରି ଭିତରେ ଆଉ ଏକ ନୂଆ ଭ୍ୟାରିଏଣ୍ଟ ଭାରତରେ ପାଦ ଥାପିଛି। ହାଇଦ୍ରାବାଦରେ BA.4 ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଭାରତୀୟ ରୋଗୀମାନଙ୍କଠାରେ କୋଭିଡ୍‌ର ନୂଆ ଭ୍ୟାରିଏଣ୍ଟ ଚିହ୍ନଟ କରୁଥିବା ବୈଜ୍ଞାନିକମାନଙ୍କ ଡାଟାରୁ ଏହି ସୂଚନା ମିଳିଛି। ଯେଉଁ ରୋଗୀଙ୍କଠାରେ BA.4 ଓମିକ୍ରନ ଭ୍ୟାରିଏଣ୍ଟ ମିଳିଛି, ତାଙ୍କ ନମୁନା ଗତ ମେ’ ୯ରେ ନିଆଯାଇଥିଲା। ଜାନୁଆରୀଠାରୁ ଆମେରିକା ଏବଂ ୟୁରୋପରେ ଓମିକ୍ରନର ଅନେକ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି। ତେବେ ଏହା ପ୍ରଥମ ଥର ଭାରତରେ BA.4 ଭ୍ୟାରିଏଣ୍ଟର ମାମଲା ସାମ୍ନାକୁ ଆସିଛି।

ସଂକ୍ରାମକ ରୋଗଗୁଡ଼ିକ ଉପରେ ନଜର ରଖୁଥିବା ୟୁରୋପୀୟ ଏଜେନ୍ସି ୧୨ ମେ’ରେ BA4 ଏବଂ BA5 ଓମିକ୍ରନ ଭ୍ୟାରିଏଣ୍ଟକୁ ‘ଭ୍ୟାରିଏଣ୍ଟ୍‌ ଅଫ୍‌ କନ୍‌ସର୍ନ’ ଘୋଷିତ କରିଥିଲା। ଏଜେନ୍ସିର କହିବା ହେଲା, ଏହି ଭ୍ୟାରିଏଣ୍ଟର ଗମ୍ଭୀର ପ୍ରଭାବ ପଡ଼ିପାରେ। ବିଭିନ୍ନ ସ୍ଥାନରେ ମହାମାରୀ ସ୍ଥିତି ଉପରେ ଏହା ପ୍ରଭାବ ପକାଇପାରେ। ସୂଚନାଥାଉ କି, BA4 ଏବଂ BA5 ଓମିକ୍ରନ ଭ୍ୟାରିଏଣ୍ଟ ପ୍ରଥମ ଥର ଜାନୁଆରୀ ଓ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଥିଲା। ତେବେ ଭାରତୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ହେଲା, ଆଗାମୀ କିଛି ସପ୍ତାହ ଭିତରେ BA4 ଭ୍ୟାରିଏଣ୍ଟର ପ୍ରଭାବ ଦେଖାଯାଇପାରେ। ଏହାପରେ ହିଁ ଓମିକ୍ରନର BA2 ସହିତ ଏହାର ତୁଳନା କିମ୍ବା ଗମ୍ଭୀରତାର ଆକଳନ କରାଯାଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.