‘ପ୍ରତି ଦୁଇ ବର୍ଷରେ କାତି ଛାଡ଼ି ଥାଆନ୍ତି ନୀତୀଶ’! ଏମିତି ଦିନେ ନୀତୀଶଙ୍କୁ ସାପ ସହିତ କରିଥିଲେ ତୁଳନା; ଜାଣନ୍ତୁ କ’ଣ ଥିଲା ଲାଲୁଙ୍କ ସେଦିନର କଥା

ବିହାରରେ ବିଜେପି ସହିତ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆର୍‌ଜେଡି ସହ ମିଶି ଆଉ ଥରେ ସରକାର ଗଠନ କରିବାକୁ ଯାଉଛନ୍ତି। ସିଏମ୍‌ ପଦରୁ ଇସ୍ତଫା ଦେବା ପରେ ନୀତୀଶ କୁମାର ରାବଡ଼ି ଦେବୀଙ୍କ ବାସଭବନରେ ତେଜସ୍ୱୀ ଯାଦବଙ୍କ ସହିତ ବୈଠକ କରିଥିଲେ। ଏଥିରୁ ବିହାରରେ ପୁଣି ଥରେ ମହାମେଣ୍ଟ ସରକାର ଗଠନ ହେବାର ରାସ୍ତା ସ୍ପଷ୍ଟ ହୋଇ ଯାଇଛି।

ଇତି ମଧ୍ୟରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ଏକ ପୁରୁଣା ଟ୍ଵିଟ୍‌ ଖୁବ୍‌ ଭାଇରାଲ ହେଉଛି। ଏହି ଟ୍ଵିଟ୍‌ରେ ସେ ନୀତୀଶ କୁମାରଙ୍କୁ ସାପ ସହିତ ତୁଳନା କରିଥିଲେ। ଲାଲୁ କହିଥିଲେ କି, ‘ସେ (ନୀତୀଶ) ପ୍ରତି ଦୁଇ ବର୍ଷରେ ଥରେ ନୂଆ ଚମଡ଼ା ଧାରଣ କରନ୍ତି’।

୨୦୧୭ ମସିହାରେ ଆର୍‌ଜେଡିରୁ ସମ୍ପର୍କ ଭାଙ୍ଗିବା ପରେ ନୀତୀଶ କୁମାର ବିଜେପି ସହ ମିଶି ସରକାର ଗଠନ କରିଥିଲେ। ସେହି ସମୟରେ ଅର୍ଥାତ୍‌ ୨୦୧୭ ଅଗଷ୍ଟ ୩ରେ ଲାଲୁ ପ୍ରସାଦ ଯାଦବ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରୁ ଏହି ଟ୍ଵିଟ୍‌ କରିଥିଲେ।

ଟ୍ଵିଟ୍‌ କରି ଲାଲୁ ଲେଖିଥିଲେ ଯେ ‘ନୀତୀଶ ଏକ ସାପ। ଯେମିତି ସାପ କାତି ଛାଡ଼ିଥାଏ, ସେମିତି ନୀତୀଶ ମଧ୍ୟ କାତି ଛାଡ଼ି ଥାଆନ୍ତି ଏବଂ ପ୍ରତି ୨ ବର୍ଷରେ ଥରେ ସାପ ଭଳି ନୂଆ ଚମଡ଼ା ଧାରଣ କରି ଥାଆନ୍ତି। କାହାର ସନ୍ଦେହ ଅଛି’?

lalu
photo: navbharat times

୨୦୧୭ରେ ବିହାରରେ ମହାମେଣ୍ଟରେ ଫାଟ ସୃଷ୍ଟି ହୋଇଥିଲା। ବିହାରର ତତ୍କାଳୀନ ଡେପୁଟି ସିଏମ୍‌ ତଥା ଲାଲୁଙ୍କ ପୁଅ ତେଜସ୍ୱୀଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ ଲାଗିଥିଲା। ଏହା ପରେ ପଦରୁ ଇସ୍ତଫା ପାଇଁ ତାଙ୍କ ଉପରେ ଚାପ ପଡ଼ିଥିଲା। ହେଲେ ଆର୍‌ଜେଡି ଏହାକୁ ମନା କରି ଦେଇଥିଲା।

ସେହି ବର୍ଷ ଜୁଲାଇ ୨୬ରେ ନୀତୀଶ କୁମାର ନିଜେ ଇସ୍ତଫା ଦେଇଥିଲେ। ଏଥି ସହ ଲାଲୁ ଯାଦବଙ୍କ ଦଳ ଆର୍‌ଜେଡିରୁ ସମ୍ପର୍କ ଭାଙ୍ଗି ଏନ୍‌ଡିଏ ସହିତ ବନ୍ଧୁତା କରିଥିଲେ। ଜୁଲାଇ ୨୭ରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିଲେ।

ଏହା ପୂର୍ବରୁ ମଧ୍ୟ ୧୯୯୪ ମସିହାରେ ନୀତୀଶ କୁମାର ନିଜର ପୁରୁଣା ସହଯୋଗୀ ଲାଲୁ ପ୍ରସାଦ ଯାଦବଙ୍କ ହାତ ଛାଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସେ ଜର୍ଜ ଫର୍ଣ୍ଣାଡିସ୍‌ଙ୍କ ସହ ମିଶି ସମତା ଦଳ ଗଠନ କରିଥିଲେ। ବିଜେପି ଓ ସମତା ଦଳ ମଧ୍ୟରେ ୧୭ ବର୍ଷ ଧରି ବନ୍ଧୁତା ତିଷ୍ଠି ଥିଲା। ୨୦୦୩ ମସିହାରେ ସମତା ଦଳ ପରିବର୍ତ୍ତନ ହୋଇ ଜେଡିୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.