ବିହାରରେ ମହାମେଣ୍ଟ ପାର୍ଟ-୨, ଆଜି ଶପଥ ନେବେ ନୀତୀଶ କୁମାର ,ଅଷ୍ଟମ ଥର ଲାଗି ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ବିହାରରେ ପୁଣି ମହାମେଣ୍ଟ ସରକାର । ଆରଜେଡି ସହ ମିଶି ସରକାର ଗଢ଼ିବ ଜେଡିୟୁ । ଆଜି ଶପଥ ନେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଅପରାହ୍‌ଣ ୨ଟାରେ ରାଜଭବନରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟପାଳ ଫଗୁ ଚୌହ୍ଵାନ ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ନୀତିଶ କୁମାର ଅଷ୍ଟମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ । ତେଜସ୍ୱୀ ଯାଦବ ହେବେ ଉପମୁଖ୍ୟମନ୍ତ୍ରୀ । ଗତକାଲି ବିହାରରେ ବିଜେପି ମେଣ୍ଟରୁ ଓହରିଥିଲା ଜେଡିୟୁ । ନୀତିଶ କୁମାର ରାଜ୍ୟପାଲଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ମହାମେଣ୍ଟ ସରକାର ନେଇ ଦାବି ଉପସ୍ଥାପନ କରିଥିଲେ । ରାଜ୍ୟପାଳଙ୍କୁ ଦେଇଥିବା ଦାବିପତ୍ରରେ ସେମାନଙ୍କୁ ୧୬୪ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇଛନ୍ତି ।

ଏହାପରେ ଉଭୟ ନୀତିଶ ଓ ତେଜସ୍ୱୀ ଯାଦର ମିଳିତ ସାମ୍ବାଦିକ ସମ୍ମିଳନୀରେ ନୂଆ ସରକାର ଗଠନ ନେଇ ସୂଚନା ଦେଇଥିଲେ । ମହାମେଣ୍ଟ ସରକାର ପ୍ରତି ୭ଟି ଦଳର ସମର୍ଥନ ଥିବା କହିଛନ୍ତି ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଶପଥ ପରେ ଖୁବଶୀଘ୍ର ମହାମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳର ରୂପରେଖ ସ୍ଥିର ହେବ । କୁହାଯାଉଛି ମହାମେଣ୍ଟ ସରକାରରେ ଜେଡିୟୁ ଓ ଆରଜେଡିର ୧୪ ଜଣ ଲେଖାଏ ମନ୍ତ୍ରୀ ହେବ । କଂଗ୍ରେସକୁ ମିଳିପାରେ ୩ଟି ମନ୍ତ୍ରୀ ପଦ ।

Leave A Reply

Your email address will not be published.