ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ : ମୌସୁମୀ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଟ୍ଟଗୋଳ । ପ୍ରଥମ ଦିନରେ ଏନ୍‌ଡିଏ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଏହା ଗ୍ରହଣ କରିଛନ୍ତି । ଗତକାଲି ଟିଡିପି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା । ସେହିପରି ଆଜି କଂଗ୍ରେସ ସମେତ ଏକାଧିକ ବିରୋଧୀ ସାଂସଦ ଅନାସ୍ଥା ନୋଟିସ ଦେଇଥିଲେ । ତେବେ ଲଟେରୀ ମାଧ୍ୟମରେ ଟିଡିପି ସାଂସଦ କେ. ଶ୍ରୀନିବାସନଙ୍କ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି । ଆସନ୍ତା ଶୁକ୍ରବାର ଦିନ ଏହା ଉପରେ ଆଲୋଚନା ହେବ । ୧୫ ବର୍ଷ ପରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି, ମୋଦି ସରକାରଙ୍କ ଉପରେ ବିରୋଧୀଙ୍କର ଆସ୍ଥା ଥାଇ ନପାରେ, ହେଲେ ପୂରା ଦେଶବାସୀଙ୍କର ପୂର୍ଣ୍ଣ ଆସ୍ଥା ରହିଛି ।

ଅନାସ୍ଥା ପ୍ରସ୍ତାବ କେବଳ ଲୋକସଭାରେ ଆସିପାରିବ । ସରକାର ବହୁମତ ସାବ୍ୟସ୍ତ କରିବା ସ୍ଥିତିରେ ନାଥିବା ହୃଦ୍‌ବୋଧ ହେଲେ ଯେ କେହି ସାଂସଦ ଅନାସ୍ଥା ପ୍ରସ୍ତାବ ଆଣିପାରିବେ । ତେବେ ଏହି ପ୍ରସ୍ତାବରେ ଅନ୍ୟୂନ ୫୦ ଜଣ ସାଂସଦଙ୍କ ଦସ୍ତଖତ ଥିବା ଦରକାର । ପ୍ରସ୍ତାବ ଆଣିବାକୁ କୌଣସି କାରଣ ଦର୍ଶାଇବାକୁ ପଡ଼ିବନାହିଁ । ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ଏହା ଉପରେ ଆଲୋଚନା କରାଯିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି । ତେବେ ଏହି ପ୍ରସ୍ତାବ ପାସ୍‌ ପାଇଁ ବିରୋଧୀଙ୍କ ପାଖରେ ସଂଖ୍ୟା ନଥିବା ବିଜେପି କହିଛି । ଏହା ଉପରେ ପ୍ରତିକ୍ରିୟା ଦେଇ ସୋନିଆ ଗାନ୍ଧୀ ପ୍ରଶ୍ନ କରିଛନ୍ତି, କିଏ କହିଲା ବିରୋଧୀଙ୍କ ପାଖରେ ସଂଖ୍ୟା ନାହିଁ ?

ଲୋକସଭା ଗଣିତ : 

ଲୋକସଭାର ମୋଟ୍‌ ସଦସ୍ୟ ସଂଖ୍ୟା ୫୪୫ । ଅନାସ୍ଥା ପ୍ରସ୍ତାବ ଅନୁମୋଦନ ପାଇଁ ଗୃହର ୨୭୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏପରିସ୍ଥିତିରେ ଲୋକସଭା ଗଣିତ କହୁଛି, ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ଏବେ ଲୋକସଭାରେ ବିଜେପିର ୨୭୩ ସାଂସଦ ଅଛନ୍ତି । ଯାହାକି ବହୁମତ ସାବ୍ୟସ୍ତ ପାଇଁ ଯଥେଷ୍ଟ । ଏନ୍‌ଡିଏ ସହଯୋଗୀ ଶିରୋମଣି ଅକାଳୀ ଦଳ-୪, ଶିବସେନା-୧୮, ଏଲ୍‌ଜେପି-୬, ଜେଡିୟୁ-୨ ଏବଂ ଆପ୍‌ନା ଦଳର ୨ ଜଣ ସାଂସଦ ଅଛନ୍ତି । ଅନ୍ୟପଟେ କଂଗ୍ରେସର ଅଛନ୍ତି ୪୮ ଜଣ ସାଂସଦ । ସେହିପରି ଏଆଇଏଡିଏମ୍‌କେ-୩୭, ଟିଏମ୍‌ସି-୩୪, ବିଜେଡି-୧୯, ଟିଡିପି-୧୬ ଏବଂ ଟିଆରଏସର ୧୧ ଜଣ ସାଂସଦ ଅଛନ୍ତି । କିଛିଦିନ ହେଲା ଶିବସେନା ଖାପଛଡ଼ା ଦେଉଥିବାରୁ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍‌ ଦେବ ନା ଭୋଟଦାନରୁ ବିରତ ରହିବ, ତା’ ଉପରେ ରହିବ ନଜର । ସେହିପରି ଏଆଇଏଡିଏମ୍‌କେ ଏବଂ ବିଜେଡିର ଭୂମିକା ମଧ୍ୟ କ’ଣ ହେବ, ସେଥିପାଇଁ ଆଗାମୀ ଦିନକୁ ଅପେକ୍ଷା । ଅନାସ୍ଥା ଭୋଟ୍‌ରୁ ସ୍ପଷ୍ଟ ହୋଇଯିବ, ୨୦୧୯ ନିର୍ବାଚନରେ କିଏ ବିଜେପି ସହ ରହିବ ଓ କିଏ ବିରୋଧରେ ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.