ବ୍ରିଟେନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ; ସେପ୍ଟେମ୍ବର ୧୧ରେ ସାରା ଦେଶରେ ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ଚିରନିଦ୍ରା ଯାଇଥିବା ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସମ୍ମାନରେ ଗୋଟିଏ ଦିନର ରାଷ୍ଟ୍ରୀୟ ଶୋକ ପାଳିବ ଭାରତ। ସେପ୍ଟେମ୍ବର ୧୧ ରବିବାର ଦିନ ପୂରା ଦେଶରେ ଜାତୀୟ ଧ୍ୱଜ ଅର୍ଦ୍ଧନମିତ ରହିବ। ଭାରତ ସରକାର ମହାରାଣୀଙ୍କ ସମ୍ମାନାର୍ଥେ ଏହି ଦିନିକିଆ ରାଜକୀୟ ଶୋକର ଘୋଷଣା କରିଛନ୍ତି। ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮ ଗୁରୁବାର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ପାଖାପାଖି ୭ ଦଶନ୍ଧି ଧରି ବ୍ରିଟେନର ରାଜଗାଦି ଉପରେ ଶାସନ କରିଥିଲେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ।

ଭାରତର ଗୃହ ମନ୍ତ୍ରାଳୟ ତରଫରୁ ଜାରି ଏକ ବୟାନରେ କୁହାଯାଇଛି କି, ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮ରେ ନିଧନ ହୋଇଛି। ଦିବଂଗତ ମହାରାଣୀଙ୍କ ସମ୍ମାନରେ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସେପ୍ଟେମ୍ବର ୧୧ରେ ପୂରା ଭାରତରେ ଗୋଟିଏ ଦିନର ରାଜକୀୟ ଶୋକ ପାଳନ କରାଯିବ। ଘୋଷଣାରେ ଆହୁରି କୁହାଯାଇଛି, ଭାରତର ଯେଉଁ ସ୍ଥାନରେ ଜାତୀୟ ପତାକା ନିୟମିତ ରୂପେ ଉଡ଼ୁଛି, ସେହି ସ୍ଥାନମାନଙ୍କରେ ଶୋକ ଦିନ ପତାକା ଅର୍ଦ୍ଧନମିତ ରହିବ। ଏହି ଦିନ କୌଣସି ବି ଅଫିସିଆଲ ମନୋରଞ୍ଜନ କାର୍ଯ୍ୟକ୍ରମ ହେବନାହିଁ।

ବକିଙ୍ଗ୍‌ହମ୍‌ ପ୍ୟାଲେସ୍‌ ସେପ୍ଟେମ୍ବର ୮ରେ ଏକ ବିବୃତ୍ତି ଜାରି କରି ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଏଲିଜାବେଥ୍ ଦ୍ୱିତୀୟ ହେଉଛନ୍ତି ବ୍ରିଟେନରେ ସବୁଠାରୁ ଦୀର୍ଘ ସମୟ ଧରି ରାଜ୍‌ କରିଥିବା ରାଜକୀୟ ବ୍ୟକ୍ତିତ୍ୱ। ସେ ୭୦ ବର୍ଷ ଶାସନର ଶୀର୍ଷରେ ରହିଥିଲେ। ଏକ ରିପୋର୍ଟରୁ ଜଣାପଡ଼ିଛି, ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ପୁଅ ତଥା ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲସ ୧୪ ରାଷ୍ଟ୍ରମଣ୍ଡଳ ଦେଶର ଅଧ୍ୟକ୍ଷ ରୂପେ ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମର ନେତୃତ୍ୱ ନେବେ।

ପୂର୍ଣ୍ଣ ରାଜକୀୟ ସମ୍ମାନର ସହିତ ମହାରାଣୀଙ୍କ ଅନ୍ତିମ ସଂସ୍କାର କରାଯିବ। ଆଶା କରାଯାଉଛି ଯେ ସାଧାରଣ ଜନତାଙ୍କ ଅନ୍ତିମ ଦର୍ଶନ ନିମନ୍ତେ ମହାରାଣୀଙ୍କ ପାର୍ଥିବ ଶରୀରକୁ ରଖାଯିବ। କହି ରଖୁଛୁ, ମହାରାଣୀ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ, ଯାହାଫଳରେ ଚଳିତ ସପ୍ତାହ ପ୍ରାରମ୍ଭରେ ସ୍କଟଲାଣ୍ଡରେ ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ନିଯୁକ୍ତି ସମ୍ବନ୍ଧିତ ନିଜ ଗସ୍ତକୁ ସେ ହ୍ରାସ କରିଥିଲେ। ଏଲିଜାବେଥ୍‌ ଦ୍ୱିତୀୟ ୧୯୫୨ ମସିହା ଫେବୃୟାରୀ ୬ରେ ନିଜ ବାପା କିଙ୍ଗ୍‌ ଜର୍ଜ ଷଷ୍ଠଙ୍କ ମୃତ୍ୟୁ ପରେ ମହାରାଣୀ ହୋଇଥିଲେ। ପରବର୍ତ୍ତୀ ବର୍ଷ ୱେଷ୍ଟମିନଷ୍ଟର ଆବେରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା। ତାଙ୍କ ୭୦ ବର୍ଷର ଶାସନ ରାଣୀ ଭିକ୍ଟୋରିଆଙ୍କ ଶାସନ କାଳଠାରୁ ସାତ ବର୍ଷ ଅଧିକ ଥିଲା।

ରାଣୀ ଏଲିଜାବେଥ୍ ଦ୍ୱିତୀୟ ହେଉଛନ୍ତି ରାଜା ଜର୍ଜ ଷଷ୍ଠ ଏବଂ ରାଣୀ ଏଲିଜାବେଥଙ୍କର ପ୍ରଥମ ସନ୍ତାନ। ବାପାଙ୍କ ମୃତ୍ୟୁ ପରେ ସେ ବ୍ରିଟେନର ରାଣୀ ହୋଇଥିଲେ। ସେ ସମୟରେ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା। ତେବେ ବର୍ତ୍ତମାନ ଏଜିଲାବେଥ୍‌ ଦ୍ୱିତୀୟଙ୍କ ମୃତ୍ୟୁ ପରେ ରାଜଗାଦିର ଅଧିକାରୀ ହୋଇଛନ୍ତି ପ୍ରିନ୍ସ ଚାର୍ଲସ। ମା’ଙ୍କ ମୃତ୍ୟୁ ପରେ ଏବେ ରାଜଗାଦି ସମ୍ଭାଳିବେ ଚାର୍ଲସ।

Leave A Reply

Your email address will not be published.