ଅନ୍ଧାରୀ ଗୁମ୍ଫାରେ ୧୮ ଦିନ : ଲୋମଟାଙ୍କୁରା ଅନୁଭୂତିକୁ ବଖାଣିଲେ ବାରୋସ୍ ଟିମର ଖେଳାଳି

ନୂଆଦିଲ୍ଳୀ : ଅନ୍ଧାରୀ ଓ ପାଣି କାଦୁଅ ଭର୍ତ୍ତି ଗୁମ୍ଫା ଭିତରେ କେମିତି କଟିଥିଲା ୧୮ ଦିନ ? କେମିତି ଫସି ଯାଇଥିଲେ ଗୁମ୍ଫା ଭିତରେ । ଲୋମଟାଙ୍କୁରା ଓ ଭୟଙ୍କର ଅନୁଭୂତିକୁ ବଖାଣିଛନ୍ତି ଥାଇଲାଣ୍ଡ ଗୁମ୍ଫାରୁ ଉଦ୍ଧାର ହୋଇଥିବା ୧୨ ଜଣ ବାଳକ ଓ ସେମାନଙ୍କ ଫୁଟବଲ କୋଚ୍ । ଆଜି ହସ୍ପିଟାଲରୁ ସମସ୍ତେ ଡିସଚାର୍ଜ ହୋଇଛନ୍ତି । ସର୍ବସାଧାରଣରେ ପ୍ରଥମ ଥର ପାଇଁ ଓ୍ଵାଇଲ୍ଡ ବାରୋସ୍ ଟିମ୍ର ଏହି ଖେଳାଳିମାନେ ଏକାଠି ନଜର ଆସିଥିଲେ । ହସ୍ପିଟାଲରୁ ଡିସ୍ଚାର୍ଜ ପରେ ସାମ୍ବାଦିକ ସମ୍ମିଳନୀରେ ବଖାଣିଥିଲେ ସେହି ୧୮ ଦିନର ଅନୁଭୂତି । ଉଦ୍ଧାର ଅଭିଯାନକୁ ଚମତ୍କାରିତା ବୋଲି ସେମାନେ କହିଛନ୍ତି ।

ନିଖୋଜ ହେବା ପରଠୁ ଓ ଠାବ ହେବା ଭିତରେ ସେମାନଙ୍କ ପାଖରେ ଖାଇବାକୁ କିଛି ନଥିଲା । ଗୁମ୍ଫାରୁ ଝରୁଥିବା ପାଣି ପିଇ ଜୀବନ ବଞ୍ଚାଇଥିଲେ । ସେହିପରି ତାଙ୍କ କୋଚ୍ କହିଛନ୍ତି, ସେମାନଙ୍କୁ ଡାଇଭର୍ ଠାବ କରିବା ଭିତରେ ଗୁମ୍ଫାକୁ ଖୋଲି ରାସ୍ତା ବାହାର କରିବାକୁ ଉଦ୍ୟମ ବି କରିଥିଲେ । ଏବେ ସେମାନେ ନୂଆ ଜୀବନ ପାଇଛନ୍ତି । ଏଥିପାଇଁ ଉଦ୍ଧାରକାରୀ ଦଳ, ଚିକିତ୍ସା କରୁଥିବା ଡାକ୍ତର, ପରିବାର ଓ ସାଙ୍ଗସାଥିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ଡାକ୍ତର କହିଛନ୍ତି, ସମସ୍ତେ ଏବେ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅଛନ୍ତି । ଧୀରେ ଧୀରେ ସେମାନଙ୍କ ଓଜନ ବଢୁଛି ।

ସେହିପରି ଏତେ ଦିନ ପରେ ନିଜ ପିଲାମାନଙ୍କୁ ପାଇ ପରିବାର ଲୋକ ବି ବେଶ ଖୁସି ପ୍ରକାଶ କରିଛନ୍ତି । ଗତ ଜୁନ୍ ୨୩ ତାରିଖ ଦିନ ଥାଇଲାଣ୍ଡର ୧୨ ଜଣ ବାଳକ ଫୁଟବଲ୍ ଖେଳାଳି ଓ ସେମାନଙ୍କର ଜଣେ କୋଚ୍ ଥାମ ଲୁଆଙ୍ଗ ଗୁମ୍ଫା ଭିତରକୁ ବୁଲିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ୯ ଦିନ ପରେ ସେମାନଙ୍କୁ ଠାବ କରାଯାଇଥିଲା । ଏହାପରେ ଚାରି ଦିନ ଧରି ସମସ୍ତଙ୍କୁ ରେସ୍କ୍ୟୁ କରାଯାଇ ଗୁମ୍ଫା ବାହାରକୁ ଅଣାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.