ଏୟାରପୋର୍ଟରେ ଧାରଣାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ, ଦାବି ପୂରଣ ନ ହେବା ଯାଏଁ ଛୁଇଁବେନି ଅନ୍ନଜଳ

ଧାରଣାରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ। ଲକ୍ଷ୍ନୌ ପୋଲିସର କାର୍ଯ୍ୟଶୈଳୀରେ ନାରାଜ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି ଲକ୍ଷ୍ନୌର ଅମୌସୀ ଏୟାରପୋର୍ଟରେ ଧାରଣା ଦେଇଛନ୍ତି। ପ୍ରକୃତ କଥାଟି ହେଉଛି, ପ୍ରହ୍ଲାଦ ମୋଦି ନିଜ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉତ୍ତର ପ୍ରଦେଶ ଆସିଥିଲେ। କିନ୍ତୁ ଯେଉଁମାନେ ତାଙ୍କୁ ନେବାକୁ ଆସିଥିଲେ, ତାଙ୍କୁ ଉତ୍ତର ପ୍ରଦେଶ ପୋଲିସ ପୂର୍ବରୁ ହିଁ ଗିରଫ କରିନେଇଥିଲା। ଏଥିରେ କ୍ଷୁବ୍ଧ ହୋଇ ପ୍ରହ୍ଲାଦ ଏୟାରପୋର୍ଟରେ ଧାରଣାରେ ବସିଛନ୍ତି। ତେବେ ଏହି ମାମଲାରେ ଏବେ ଯାଏଁ ପୋଲିସଠାରୁ କୌଣସି ସୂଚନା ହସ୍ତଗତ ହୋଇପାରିନାହିଁ।

modi2
Photo credit: punjab kesari

ଅନ୍ୟପଟେ ପ୍ରହ୍ଲାଦ ମୋଦିଙ୍କ କହିବାନୁସାରେ, ତାଙ୍କୁ ଉକ୍ତ ନିର୍ଦ୍ଦେଶର କପି ଦରକାର, ଯାହା ଆଧାରରେ ତାଙ୍କ ଲୋକଙ୍କୁ ଗିରଫ କରାଯାଇଛି। ଏଥିସହ ସେ କହିଛନ୍ତି, ଯେତେବେଳେ ଯାଏଁ ତାଙ୍କୁ ନ୍ୟାୟ ନ ମିଳିଛି, ସେତେବେଳ ଯାଏଁ ସେ ଅନ୍ନଜଳ ତ୍ୟାଗ କରି ଧାରଣାରେ ବସିରହିବେ। ଏହା ସହିତ ସେ ନିଜ କର୍ମୀଙ୍କୁ ଖଲାସ କରିବାକୁ ଦାବି କରି ଅଡ଼ି ବସିଛନ୍ତି।

modi
Photo credit: punjab kesari

ପ୍ରହ୍ଲାଦ ମୋଦି କହିଛନ୍ତି, ସେ ଫେବ୍ରୁଆରୀ ୪ରେ ସୁଲତାନପୁର, ୫ରେ ଜୋନ୍‌ପୁର ଓ ୬ରେ ପ୍ରତାପଗଡ଼ ଯାଇଥାନ୍ତେ। ଏଣୁ ଆଜି ଲକ୍ଷ୍ନୌ ଏୟାରପୋର୍ଟରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ଲୋକଙ୍କୁ ପୋଲିସ ବାନ୍ଧି ନେଇଛି।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଭାଇଙ୍କ ନାଁରେ ଟଙ୍କା ଆଦାୟ କରୁଥିବା ଜଣେ ବ୍ୟକ୍ତିକୁ ସୁଲତାନପୁର ପୋଲିସ ମଙ୍ଗଳବାର ଗିରଫ କରିଛି। ପ୍ରଧାନମନ୍ତ୍ରୀଙ୍କ ଅଫିସରୁ ଖବର ପାଇ ପୋଲିସ ତାଙ୍କୁ ଗିରଫ କରିଛି। ଉକ୍ତ ବ୍ୟକ୍ତିଙ୍କ ନାଁ ଜିତେନ୍ଦ୍ର ତିଓ୍ଵାରୀ ବୋଲି ଜଣାପଡ଼ିଛି। ତାଙ୍କ ପାଖରୁ ପ୍ରହ୍ଲାଦ ମୋଦିଙ୍କ ପୋଷ୍ଟର ଲାଗିଥିବା କାର ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.