ରାଜପଥ ନୁହେଁ, ଆଜିଠୁ ‘କର୍ତ୍ତବ୍ୟ ପଥ’ ଭାବେ ଜଣାଯିବ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ରାସ୍ତା; ସନ୍ଧ୍ୟା ୭ଟାରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୮ ଅର୍ଥାତ୍‌ ଆଜି ସନ୍ଧ୍ୟା ୭ଟାରେ ‘କର୍ତ୍ତବ୍ୟ ପଥ’କୁ ଉଦ୍‌ଘାଟନ କରିବେ। ଏହି ଅବସରରେ ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ। ଦିନକ ପୂର୍ବରୁ ହିଁ ନୂଆଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏନ୍‌ଡିଏମ୍‌ସି) ରାଜପଥର ନାମ ବଦଳାଇ ‘କର୍ତ୍ତବ୍ୟ ପଥ’ କରାଯିବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା। ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ଏହି ସଡ଼କର ଲମ୍ବ ରହିଛି ୩.୨୦ କିଲୋମିଟର। ରାଜପଥରେ ହିଁ ପ୍ରତ୍ୟେକ ବର୍ଷ ସ୍ୱାଧୀନତା ଦିବସରେ ପରେଡ୍‌ ଆୟୋଜନ ହୋଇଥାଏ।

୧୦୨ ବର୍ଷରେ ୩ ଥର ହେଲାଣି ନାମକରଣ

୧୦୨ ବର୍ଷରେ ୩ ଥର ରାଜପଥର ନାମକରଣ କରାଯାଇଛି। ବ୍ରିଟିଶ ଶାସନରେ ଏହି ସଡ଼କର ନାମ ଥିଲା ‘କିଙ୍ଗ୍‌ସେଓ୍ଵ’। ସ୍ୱାଧୀନତା ପରେ ଏହାର ନାମ ବଦଳାଯାଇ ‘ରାଜପଥ’ କରାଯାଇଥିଲା, ଯାହାକି କିଙ୍ଗ୍‌ସେଓ୍ଵର ହିଁ ହିନ୍ଦୀ ଅନୁବାଦ। ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ସଡ଼କର ନାମ ବଦଳାଯାଇ କର୍ତ୍ତବ୍ୟ ପଥ କରାଯାଇଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୨୮ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତିର ହେବ ଲୋକାର୍ପଣ

ପିଏମ୍‌ ମୋଦି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ। ଚଳିତ ବର୍ଷ ପ୍ରାରମ୍ଭରେ ଅର୍ଥାତ୍‌ ଜାନୁଆରୀ ୨୩ରେ ଯେଉଁ ସ୍ଥାନରେ ନେତାଜୀଙ୍କ ହୋଲୋଗ୍ରାମ ପ୍ରତିମୂର୍ତ୍ତିକୁ ଅନାବରଣ କରାଯାଇଥିଲା, ସେହି ସ୍ଥାନରେ ହିଁ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଗ୍ରାନାଇଟ୍‌ରେ ତିଆରି ଏହି ମୂର୍ତ୍ତିର ଉଚ୍ଚତା ୨୮ ଫୁଟ୍‌ ଥିବା ବେଳେ ଓଜନ ରହିଛି ୬୫ ମେଟ୍ରିକ୍‌ ଟନ୍‌। ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ ନେତାଜୀଙ୍କ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। ଏହାକୁ ଗୋଟିଏ ମାତ୍ର ଗ୍ରାନାଇଟ୍‌ ପଥରରେ ଆକାର ଦିଆଯାଇଛି।

ନୂଆ ରୂପ ରଙ୍ଗରେ ଶୋଭା ପାଇବ କର୍ତ୍ତବ୍ୟ ପଥ

କର୍ତ୍ତବ୍ୟ ପଥ ଏବେ ନୂଆ ରୂପ ରଙ୍ଗରେ ଶୋଭା ପାଇବ। ଏହା ଆଖାପାଖରେ ପାଖାପାଖି ୧୫.୫ କିଲୋମିଟର ପର୍ଯ୍ୟନ୍ତ ଲାଲ୍‌ ଗ୍ରାନାଇଟ୍‌ରେ ପାଦଚଲା ରାସ୍ତା ତିଆରି କରାଯାଇଛି। ପାର୍ଶ୍ୱରେ ପ୍ରାୟ ୧୯ ଏକରରେ କେନାଲ ମଧ୍ୟ ରହିଛି। ଏହା ଉପରେ ଲୋକଙ୍କ ଯିବା ଆସିବା ପାଇଁ ୧୬ଟି ବ୍ରିଜ୍‌ ତିଆରି ହୋଇଛି। ଫୁଡ୍‌ ଷ୍ଟଲ୍‌ ସହିତ ସଡ଼କର ଉଭୟ ପାର୍ଶ୍ୱରେ ବସିବା ପାଇଁ ବି ବ୍ୟବସ୍ଥା କରାଯାଇଛି। ଏହି ପୂରା ଅଞ୍ଚଳରେ ପାଖାପାଖି ୩.୯୦ ଲକ୍ଷ ବର୍ଗ ମିଟରରେ ପରିବ୍ୟାପ୍ତ ସବୁଜ ବନାନୀ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ପଥଚାରୀମାନଙ୍କ ପାଇଁ ନୂଆ ଅଣ୍ଡରପାସ୍‌ ତିଆରି କରାଯାଇଛି। ସନ୍ଧ୍ୟା ସମୟରେ ଏହି ସ୍ଥାନକୁ ଆଲୋକିତ କରିବା ପାଇଁ ଆଧୁନିକ ଲାଇଟ୍‌ସ ବ୍ୟବସ୍ଥା କରାଯାଇଛି। ଉଦ୍‌ଘାଟନ ପରେ ଶୁକ୍ରବାର ଠାରୁ ସାଧାରଣ ଲୋକେ ଏହାକୁ ଦେଖି ପାରିବେ।

ଏତଦ୍‌ ବ୍ୟତୀତ ଲୋକମାନେ ଯିବା ଆସିବା କରିବା ପାଇଁ ୧୫.୫ କିଲୋମିଟରର ଲମ୍ବା ରାସ୍ତା ତିଆରି କରାଯାଇଛି। ପୂରା ଅଞ୍ଚଳର ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା କରାଯାଇଛି। ଏଠାରେ ପାଦଚଲା ରାସ୍ତା ସାଙ୍ଗକୁ ସବୁଜ ବାନାନୀ, ନବୀକୃତ କେନାଲ, ପାର୍କିଂ ସ୍ଥଳ ଏବଂ ନୂଆ ପ୍ରଦର୍ଶନୀ ପ୍ୟାନେଲ ବି ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.