ଭେଣ୍ଟିଲେଟରରେ ବିଶିଷ୍ଟ ଲେଖକ ସଲମାନ ରୁସଦି: ୧୫ରୁ ୨୦ ଥର ମୁଥ ମାରିବା ସହିତ ଛୁରାମାଡ଼ କରିଥିଲା ଦୁର୍ବୃତ୍ତ, ଆଖି ନଷ୍ଟ ହେବାର ସମ୍ଭାବନା !

ଲୋକପ୍ରିୟ ଲେଖକ ସଲମାନ ରୁସଦିଙ୍କ ଉପରେ ପଶ୍ଚିମ ନ୍ୟୁୟର୍କରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସକାଳ ୧୧ଟା ବେଳେ ବୁକର୍ ପୁରସ୍କାର ଜିତିଥିବା ରୁସଦି ନ୍ୟୁୟର୍କର ଚୌତୌକ୍ୱା ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବା ବେଳେ ଜଣେ ବ୍ୟକ୍ତି ମଞ୍ଚରେ ଚଢ଼ି ତାଙ୍କୁ ଛୁରୀ ଭୁସିଥିଲା। ସଲମାନ ରୁସଦି ଏବଂ ତାଙ୍କ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଏଥିରେ ରୁସଦିଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ତେବେ ତାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିର ପରିଚୟ ମିଳିନାହିଁ।

ଆକ୍ରମଣ ପରେ ରୁସଦିଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ରୁସଦିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି । ଅନେକ ଘଣ୍ଟାର ସର୍ଜରୀ ପରେ ଭେଣ୍ଟିଲେଟରରେ ରହିଛନ୍ତି ରୁସଦି। ଡାକ୍ତରମାନେ ତାଙ୍କ ଆଖି ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି। ଡାକ୍ତର ତାଙ୍କୁ ସୁସ୍ଥ କରିବା ପାଇଁ ଯଥାସମ୍ଭବ ଚେଷ୍ଟା ଜାରି ରଖିଛନ୍ତି।

ରୁସଦିଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ହାତ ଶିରା କଟିଯାଇଛି । ଛୁରାମାଡରେ ତାଙ୍କର ଯକୃତ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଆକ୍ରମଣକାରୀ ଯୁବକ ଜଣଙ୍କ ତାଙ୍କୁ ମଞ୍ଚରେ ୧୫ରୁ ୨୦ ଥର ମୁଥ ମାରିବା ସହିତ ଛୁରାମାଡ଼ କରିଥିଲା। ତାହାପରେ ସେ ତଳେ ପଡ଼ିଯାଇଥିଲେ। ଲୋକମାନେ ତୁରନ୍ତ ମଞ୍ଚ ଉପରକୁ ଚଢ଼ି ଆକ୍ରମଣକାରୀକୁ କାବୁ କରି ପୋଲିସ ହାତରେ ଦେଇଥିଲେ । ପୋଲିସ ଆକ୍ରମଣକାରୀକୁ ଗିରଫ କରିଛି ।

ଭାରତୀୟ ବଂଶୋଦ୍ଭବ ସଲମାନ ରୁସଦି ନିଜ ଲେଖାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୧୯୮୦ ମସିହାରେ ତାଙ୍କ ପୁସ୍ତକ ପାଇଁ ଇରାନରୁ ହତ୍ୟା ଧମକ ଆସିଥିଲା । ତାଙ୍କ ଲେଖା ସାଟାନିକ୍ ଭର୍ସେସ୍କୁ ୧୯୮୮ରୁ ଇରାନରେ ବ୍ୟାନ୍ କରାଯାଇଛି । ଗତ କିଛିବର୍ଷ ହେଲାଣି ଆମେରିକାରେ ରହୁଛନ୍ତି। ଏଠାରେ କିଛି ପୁସ୍ତକକୁ ନେଇ ଅନେକ ଥର ଧମକ ମଧ୍ୟ ମିଳିଛି। ଯାହାକୁ ନେଇ ତାଙ୍କୁ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇଛି। କିନ୍ତୁ ଏହି ଆକ୍ରମଣ ପଛରେ କେଉଁ ସଂଗଠନର ହାତ ରହିଛି, ତାହାର ତଦନ୍ତ କରୁଛି ପୋଲିସ।

Leave A Reply

Your email address will not be published.