ଆସନ୍ତା ସପ୍ତାହରେ ଘୋଷଣା ହେବ ଖରିଫ ଫସଲର ଏମଏସପି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଘୋଷଣା ହେବ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି। ୫ଟି ରାଜ୍ୟର ଚାଷୀଙ୍କ ସହ ଆଲୋଚନା ବେଳେ, ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ୟାବିନେଟ ଅନୁମୋଦନ ପରେ ଏମଏସପି ଘୋଷଣା ହେବ। ସାଧାରଣତଃ ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା ଏମଏସପି ଘୋଷଣା ହୁଏ। ଏଥର କିନ୍ତୁ ବିଳମ୍ବ ହୋଇଛି। ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ,ଏମଏସପିକୁ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ଅଧିକ କରାଯିବ। କିନ୍ତୁ ଏଥି ଯୋଗୁଁ ଅଧିକ ରାଜସ୍ୱ ଖର୍ଚ୍ଚ ହେବା ସହ ମୁଦ୍ରାସ୍ଫୀତି ବଢିବା ଆଶଙ୍କା ରହିଛି।

ତେଣୁ ଏ ପ୍ରସଙ୍ଗରେ ବିଚାର ବିମର୍ଷ ଜାରି ରହିଛି। ୨୦୧୪-୧୫ରେ ଧାନର ଏମଏସପି ଥିଲା ୧୩୬୦ ଟଙ୍କା। ୧୫-୧୬ରେ ୧୪୧୦ ଟଙ୍କା, ୧୬-୧୭ରେ ୧୪୭୦ ଟଙ୍କା ଓ ୧୭-୧୮ରେ ୧୫୫୦ ଟଙ୍କା ଏମଏସପି ରହିଛି। ଅର୍ଥାତ ବର୍ଷକୁ ହାରାହାରି ୫୦-୬୦ ଟଙ୍କା ବଢ଼ିଛି। ଉଚିତ୍ ପ୍ରାପ୍ୟ ମିଳୁନାହିଁ ବୋଲି ଚାଷୀ ବାରମ୍ବାର ଅଭିଯୋଗ କରୁଛନ୍ତି। ଚାଷୀ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ତୁଷ୍ଟୀକରଣ ପାଇଁ ଏଥର କେନ୍ଦ୍ର ଗତ ୪ ବର୍ଷ ତୁଳନାରେ ଏମଏସପି ଅଧିକ ବଢ଼ାଇପାରେ। ଏମଏସପିକୁ ୨୯୩୦ ଟଙ୍କା କରିବା ପାଇଁ ଓଡ଼ିଶା ଦାବି କରୁଛି। ଗତବର୍ଷ ବିଧାନସଭାରେ ସର୍ବସମ୍ମତରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.