ଅମରୁଲ୍ଲା ସାଲେହଙ୍କ ଟ୍ଵିଟ୍‌ ଦେଖି ଡରିଗଲା ତାଲିବାନ, ପଞ୍ଜଶୀରରେ ବ୍ଲକ୍‌ କଲା ଇଣ୍ଟରନେଟ୍‌

୨ ସପ୍ତାହ ହେଲାଣି ଆଫଗାନିସ୍ତାନରେ ତାଲିବାନ୍‌ ରାଜ୍‌ ଚଳାଇଛି। କିନ୍ତୁ ଏବେ ଯାଏଁ ସେମାନେ ସେଠାକାର ପଞ୍ଜଶୀରକୁ କବ୍‌ଜା କରିପାରୁନାହାନ୍ତି। ପଞ୍ଜଶୀର ଉପରେ ବିରକ୍ତ ହୋଇ ତାଲିବାନ ରବିବାର ସେଠାକାର ଇଣ୍ଟରନେଟ୍‌ ବନ୍ଦ କରି ଦେଇଛି।

କୁହାଯାଉଛି ଯେ ପଞ୍ଜଶୀରରେ ଥିବା ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ତାଲିବାନ୍‌ ବିରୋଧୀ ଟ୍ଵିଟ୍‌ କରୁଥିଲେ। ଏଥିରେ ରୋକ୍‌ ଲଗାଇବାକୁ ଅନ୍ୟ ଉପାୟ ନ ପାଇ ସେହି ଘାଟୀ ଅଞ୍ଚଳର ଇଣ୍ଟରନେଟ୍‌କୁ ତାଲିବାନ୍‌ ବନ୍ଦ କରିଦେଇଛି। ସାଲେହ ଲଗାତାର ଟ୍ଵିଟରରେ ସକ୍ରିୟ ଅଛନ୍ତି ଓ ପ୍ରାୟତଃ ତାଲିବାନ୍‌ ବିରୋଧୀ ଟ୍ଵିଟ୍‌ କରିଥାନ୍ତି। ଶନିବାର ଦିନ ସେ ଟ୍ଵିଟ୍‌ କରି ଲେଖିଥିଲେ- ‘ରେଜିଷ୍ଟାନ୍ସ’ ଅର୍ଥାତ୍‌ ପ୍ରତିରୋଧ।

ପଞ୍ଜଶୀର ଘାଟିରେ ସାଲେହଙ୍କ ସହ ଆଫଗାନୀ କମାଣ୍ଡର ଅହମ୍ମଦ ଶାହ ମସୁଦଙ୍କ ପୁଅ ଅହମ୍ମଦ ମସୁଦ ମଧ୍ୟ ଅଛନ୍ତି। ଉଭୟେ ତାଲିବାନ୍‌କୁ ତୀବ୍ର ବିରୋଧ କରୁଛନ୍ତି। ଏମାନଙ୍କ ବ୍ୟତୀତ ଅନେକ ତାଲିବାନ ବିରୋଧୀ ମଧ୍ୟ ପଞ୍ଜଶୀରରେ ଜମା ହୋଇଛନ୍ତି। ପ୍ରକାଶ ଯେ ନିକଟରେ ତାଲିବାନ ଦାବି କରିଥିଲା ଯେ ସେମାନେ ପଞ୍ଜଶୀର ଘାଟିରେ ପଶିସାରିଛନ୍ତି। କିନ୍ତୁ ଅହମ୍ମଦ ଏହାକୁ ଖଣ୍ଡନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.