ଆଫଗାନିସ୍ତାନ ପୂର୍ବତନ ସେନା ଅଧିକାରୀଙ୍କୁ ତାଲିବାନଙ୍କ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ

କାବୁଲ : ଆଫଗାନୀସ୍ତାନ ସେନାର ପୂର୍ବତନ ଅଧିକାରୀଙ୍କୁ ତାଲିବାନମାନେ ମାଡ଼ ମାରୁଥିବାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ତାଲିବାନୀମାନେ ଆଫଗାନର ଜଣେ ପୂର୍ବତନ ସେନା ଅଧିକାରୀଙ୍କୁ ହାତକଡ଼ି ପକାଇ ମାଡ଼ ମାରୁଛନ୍ତି । ତାଲିବାନମାନେ ପୂର୍ବ ସରକାରର ସେନା କର୍ମଚାରୀଙ୍କୁ କ୍ଷମା କରିଦେବେ ବୋଲି ପ୍ରକାଶ କରିଥିଲେ ।

ହେଲେ ଏବେ ସେମାନଙ୍କୁ ମାଡ଼ ମାରି ନିର୍ଯାତନା ଦେଉଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଦେଶରେ ଉତ୍ତେଜନା ଦେଖାଯାଇଛି । କ୍ଷମତାକୁ ଆସିବା ପରେ ତାଲିବାନୀମାନେ ତାଙ୍କ କଥା ପାଳନ କରୁନଥିବା ନେଇ ଆଲୋଚନା ଜୋର ଧରିଛି ।

ଏ ସମ୍ପର୍କରେ ଏକ ୟୁନିଭରସିଟିର ପ୍ରଫେସର ହେକମତୁଲ୍ଲା ମିର୍ଜାଦ କହିଛନ୍ତି ଯେ କ୍ଷମତାକୁ ଆସିବା ପୂର୍ବରୁ ତାଲିବାନୀମାନେ ଘୋଷଣା କରିଥିବା କଥା ରକ୍ଷା କରିବା ଉଚିତ୍‌ । କାରଣ ଏହାଦ୍ୱାରା ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଇବ । ଯାହାକି ଏକ ସୁସ୍ଥ ଉତ୍ତରଦାୟୀ ସରକାର ପାଇଁ ନିହାତି ଜରୁରୀ ବୋଲି ମିର୍ଜାଦ କହିଛନ୍ତି ।

ପୂର୍ବ ସରକାରୀ ସୁରକ୍ଷା ସଦସ୍ୟଙ୍କ ହତ୍ୟା ଓ ଗିରଫ ନେଇ ହ୍ୟୁମାନ ରାଇଟ୍ସ ଓ ଅନ୍ତରାଷ୍ଟ୍ରୀୟ ସଂଗଠନ ପକ୍ଷରୁ ରିପୋର୍ଟ ଜାରି କରାଯାଇଥିଲା । ହେଲେ ଏହାକୁ ତାଲିବାନୀ ସରକାର ଖଣ୍ଡନ କରିଥିଲେ । ମାତ୍ର ଏହି ଅତ୍ୟାଚାର ଭିଡ଼ିଓ ପ୍ରକାଶ ପାଇବା ପରେ ତାଲିବାନୀ ସରକାରଙ୍କ ଅସଲ ମୁଖା ପଦାରେ ପଡ଼ିଛି । ଏହାକୁ ନେଇ ସାରା ବିଶ୍ୱରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.