ଆଜିଠାରୁ ଚେନ୍ନାଇରେ ଆରମ୍ଭ ହେବ ୪୪ ତମ ଚେସ୍‌ ଅଲିମ୍ପିଆଡ୍‌, ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଆଜିଠାରୁ ଚେନ୍ନାଇରେ ଆରମ୍ଭ ହେବ ୪୪ ତମ ଚେସ୍‌ ଅଲିମ୍ପିଆଡ୍‌। ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ଆୟୋଜିତ ହେଉଛି। ଚେନ୍ନାଇର ଜେଏଲ୍‌ଏନ୍‌ ଇନ୍‌ଡୋର ଷ୍ଟାଡିୟମରେ ଏହି ଚେସ୍‌ ଅଲିମ୍ପିଆଡ ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୯୨୭ରୁ ଆୟୋଜିତ ହେଉଛି ଚେସ୍‌ ଅଲିମ୍ପିଆଡ୍‌।

ପ୍ରଥମ ଥର ପାଇଁ ଭାରତରେ ଏବଂ ୩୦ ବର୍ଷ ପରେ ଏସିଆରେ ଅନୁଷ୍ଠିତ ହେଉଛି ଏହି ପ୍ରତିଯୋଗିତା। ୪୪ ତମ ଅଲିମ୍ପିଆଡ୍‌ରେ ୧୮୭ ଦେଶ ଭାଗ ନେଉଛନ୍ତି। ଯେ କୌଣସି ଚେସ୍‌ ଅଲିମ୍ପିଆଡଠାରୁ ଏହା ସବୁଠାରୁ ବଡ଼ ଅଂଶଗ୍ରହଣ ହେବ। ୬ଟି ଦଳରେ ୩୦ ଜଣ ଖେଳାଳିଙ୍କୁ ନେଇ ପ୍ରତିଯୋଗିତାରେ ଭାରତ ମଧ୍ୟ ସର୍ବବୃହତ ଦଳ ଭାବେ ଯୋଗ ଦେଉଛି। ଏଥିରେ ପଦ୍ମିନୀ ରାଉତଙ୍କ ସହ ଓଡ଼ିଶାରୁ ୬ ଜଣ ଖେଳାଳି ଭାଗନେଉଛନ୍ତି।

ଏହି ଚେସ୍‌ ଅଲିମ୍ପିଆଡ୍‌ ପାଇଁ ଜୁନ ୧୯ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟର୍ଚ୍ଚ ରିଲେର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ଟର୍ଚ୍ଚ ଯାତ୍ରା ସ୍ୱିଜରଲାଣ୍ଡର ଫିଡେ ମୁଖ୍ୟାଳୟକୁ ଯିବା ପୂର୍ବରୁ ୪୦ ଦିନରେ ୨୦ ହଜାର କିଲୋମିଟର ଯାତ୍ରାରେ ୭୫ଟି ପବିତ୍ର ସ୍ଥାନ ଅତିକ୍ରମ କରି ମହାବଳିପୁରମରେ ଶେଷ ହୋଇଥିଲେ। ଜୁଲାଇ ୧୫ ତାରିଖରେ ଟର୍ଚ୍ଚ ରିଲେ ଓଡ଼ିଶାରେ ପହଞ୍ଚି ଭୁବନେଶ୍ୱର, ପୁରୀ ଓ କୋଣାର୍କ ଯାତ୍ରା କରିଥିଲା। ଦେଶର କ୍ରୀଡ଼ା କ୍ୟାପିଟାଲ ଭୁବନେଶ୍ୱରରେ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ମଶାଲକୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା। ଲୋକସେବା ଭବନରେ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.