ହିନ୍ଦୁ ରୀତିନୀତିରେ କରାଗଲା ସାଇରସ୍‌ ମିସ୍ତ୍ରୀଙ୍କ ଅନ୍ତିମ ସଂସ୍କାର; ଦୁଇ ଦିନ ତଳେ କାର୍‌ ଦୁର୍ଘଟଣାରେ ହୋଇଥିଲା ମୃତ୍ୟୁ

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କ ମଙ୍ଗଳବାର ମୁମ୍ବାଇରେ ଅନ୍ତିମ ସଂସ୍କାର କରାଯାଇଛି। ୫୪ ବର୍ଷୀୟ ମିସ୍ତ୍ରୀଙ୍କର ରବିବାର କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମଧ୍ୟ ମୁମ୍ବାଇର ଓ୍ଵର୍ଲିରେ ଇଲେକ୍ଟ୍ରିକ୍‌ ଶବଦାହ ଗୃହରେ ତାଙ୍କର ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କରାଯାଇଛି। ମିସ୍ତ୍ରୀ ୨୦୧୨ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଟାଟା ସନ୍ସର ଅଧ୍ୟକ୍ଷ ଥିଲେ।

ପାରସୀ ସମ୍ପ୍ରଦାୟର ସଦସ୍ୟ, ବ୍ୟବସାୟୀ ଏବଂ ନେତାମାନେ ମିସ୍ତ୍ରୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ସାଇରସ୍‌ ମିସ୍ତ୍ରୀଙ୍କ ବଡ଼ ଭାଇ ଶାପୁର ମିସ୍ତ୍ରୀ, ଶ୍ୱଶୁର, ବରିଷ୍ଠ ଓକିଲ ଇକବାଲ ଛାଗଲା, ଉଦ୍ଦ୍ୟୋଗପତି ଅନିଲ ଅମ୍ବାନୀ, ଅଜିତ୍‌ ଗୁଲାବଚନ୍ଦ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।

ସାଇରସ୍‌ ମିସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା କି, ତାଙ୍କ ଶରୀରର ଇଣ୍ଟରନାଲ ଭାଇଟାଲ ଅର୍ଗାନ୍‌ ସମ୍ପୂର୍ଣ୍ଣ ରୂପେ ଆଘାତପ୍ରାପ୍ତ ହୋଇଥିଲା, ଯାହାକୁ ମେଡିକାଲ ଟର୍ମରେ pollytrauma କୁହାଯାଏ। ଏହି କାରଣରୁ ସାଇରସ୍‌ ମିସ୍ତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଜେଜେ ହସ୍ପିଟାଲ ପ୍ରଶାସନ ସାଇରସ୍‌ ମିସ୍ତ୍ରୀ ଏବଂ ତାଙ୍କ ସାଙ୍ଗ ଜାହାଙ୍ଗୀର ପଣ୍ଡୋଲେଙ୍କ ବ୍ୟବଚ୍ଛେଦ ରିପୋର୍ଟକୁ କାସା ଥାନାକୁ ହସ୍ତାନ୍ତର କରିଛନ୍ତି। ସୂଚନା ମୁତାବକ, ମଲ୍ଟିପଲ୍‌ ହେଡ୍‌ ଇଞ୍ଜୁରୀ ସହ ସାଇରସ୍‌ଙ୍କ ବାମ ପାର୍ଶ୍ୱ ଅଙ୍ଗରେ ଗୁରୁତର ଆଘାତ ଲାଗିଥିଲା।

ପାଲଘର ପୋଲିସ ମୁତାବକ, ଅନାୟତା ପଣ୍ଡୋଲେ ଗାଡ଼ିକୁ ଦ୍ରୁତ ଗତିରେ ଚଲାଉଥିଲେ। ସେ ଭୁଲ୍‌ ଦିଗରୁ ଅନ୍ୟ ଏକ ଗାଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲେ ଏବଂ ତାଙ୍କ ସ୍ୱାମୀ ତଥା ଜେଏମ୍‌ ଫାଇନାନ୍ସିଆଲର ସିଇଓ ଦରିୟସ୍‌ ପଣ୍ଡୋଲେ ତାଙ୍କ ପାର୍ଶ୍ୱସ୍ଥ ସିଟ୍‌ରେ ବସିଥିଲେ। ଯେତେବେଳେ କି, ଜାହାଙ୍ଗୀର ପଣ୍ଡୋଲେ କାର୍‌ର ପଛ ସିଟ୍‌ରେ ବସିଥିଲେ। ଧକ୍କା ଯୋଗୁ କାର୍‌ର ଆଗ ସିଟ୍‌ରେ ଲାଗିଥିବା ଏୟାରବ୍ୟାଗ୍‌ ଖୋଲି ଯାଇଥିଲା। କିନ୍ତୁ ପଛପାର୍ଶ୍ୱ ଏୟାରବ୍ୟାଗ୍‌ ଠିକ୍‌ ସମୟରେ ଖୋଲି ନ ଥିଲା। ଯଦି ତାହା ଖୋଲି ଯାଇ ଥାଆନ୍ତା, ତା’ ହେଲେ ସାଇରସ୍‌ଙ୍କ ଜୀବନ ବଞ୍ଚିପାରି ଥାଆନ୍ତା।

ରିପୋର୍ଟ ମୁତାବକ, ମର୍ସିଡିଜ୍‌ ଜିଏଲ୍‌ସି ୨୨୦ଡିରେ ଅତି କମ୍‌ରେ ୭ଟି ଏୟାରବ୍ୟାଗ୍‌ ଦିଆଯାଇଛି। ମିସ୍ତ୍ରୀଙ୍କ କାର୍‌ ରାସ୍ତାରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଗୁଜରାଟର ଅହମ୍ମଦାବାଦରୁ ଫେରୁଥିବା ବେଳେ ମୁମ୍ବାଇ ନିକଟ ପାଲଘରରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ।

ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଯାଉଥିଲେ। ହଠାତ୍‌ ଏହି ସମୟରେ ତାଙ୍କ କାର ଡିଭାଇଡରକୁ ଶକ୍ତ ଧକ୍କା ଦେଇଥିଲା। କାରରେ ୪ ଜଣ ଥିଲେ, ସେମାନଙ୍କ ମଧ୍ୟରୁ ମିସ୍ତ୍ରୀଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଗୁଜରାଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରିପୋର୍ଟ ମୁତାବକ, ମିସ୍ତ୍ରୀ ମର୍ସିଡିଜ୍ କାରରେ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣା ବିଳମ୍ବିତ ରାତି ପ୍ରାୟ ୩ଟା ୧୫ ମିନିଟ୍‌ରେ ଘଟିଥିଲା। ଏଠାରେ ସୂର୍ଯ୍ୟ ନଦୀ ଉପରେ ଥିବା ଏକ ବ୍ରିଜରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.