ସପ୍ତାହରେ ଏଣିକି ୪ ଦିନ କାମ, ୩ ଦିନ ଛୁଟି ! ଜାଣନ୍ତୁ ମୋଦି ସରକାର କେଉଁ ସର୍ତ୍ତ ସହିତ ଜାରି କରିପାରନ୍ତି ଅଧିସୂଚନା

କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ସପ୍ତାହରେ ୩ ଦିନ ଛୁଟି ବ୍ୟବସ୍ଥା ଲାଗୁ କରିବାକୁ ବିଚାର କରୁଛନ୍ତି। ଏ ନେଇ ସରକାରଙ୍କ ତରଫରୁ ଖୁବ୍‌ଶୀଘ୍ର ଅଧିସୂଚନା ଜାରି ହୋଇପାରେ। କହି ରଖୁଛୁ, ଗତବର୍ଷ ସଂସଦରେ କର୍ମଚାରୀଙ୍କ ସହ ଜଡ଼ିତ ୪ଟି ବିଲ୍‌ ପାରିତ ହୋଇଥିଲା। ପାରିତ ବିଲ୍‌ରେ ବେତନ କୋଡ୍‌ଠୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ବିଷୟ ସାମିଲ ଥିଲା।

ସଂସଦରେ ପାରିତ ଏହି ୪ଟି ବିଲ୍‌କୁ କାର୍ଯ୍ୟରେ ପରିଣତ କରିବା ପାଇଁ ଶ୍ରମ ମନ୍ତ୍ରାଳୟ ନିୟମାବଳୀ ପ୍ରାୟତଃ ପ୍ରସ୍ତୁତ କରିସାରିଛି। ଏହା ଅନୁସାରେ, ସରକାର କର୍ମଚାରୀମାନଙ୍କ ପାଇଁ ସପ୍ତାହରେ ୪ଟି କାର୍ଯ୍ୟ ଦିବସ ଏବଂ ୩ଟି ସାପ୍ତାହିକ ଛୁଟି ଦିବସ ରଖିବା ଉପରେ ବିଚାର କରୁଛନ୍ତି। ଶ୍ରମ ମନ୍ତ୍ରାଳୟ ଅଧିକାରୀଙ୍କ କହିବା ହେଲା, ଏହି ବିକଳ୍ପ କମ୍ପାନୀ ଏବଂ ସଂସ୍ଥାଗୁଡ଼ିକୁ ଦିଆଯିବ। ଏହାକୁ ଆପଣାଇବା କିମ୍ବା ରଦ୍ଦ କରିବା ବିଷୟରେ ସେମାନଙ୍କ ରାୟ ନିଆଯିବ। ବିକଳ୍ପ ଚୟନ କରିଥିବା କମ୍ପାନୀ ନିଜ କର୍ମଚାରୀଙ୍କଠାରୁ ସପ୍ତାହରେ ୪ ଦିନ ଦୈନିକ ୧୨ ଘଣ୍ଟା କାମ ଆଦାୟ କରିପାରିବେ। ବାକି ୩ ଦିନ ସାପ୍ତାହିକ ଛୁଟି ରହିବ।

ତେବେ ନିୟମାବଳୀରେ ସ୍ପଷ୍ଟ କରାଯିବ କି, କମ୍ପାନୀ ଏବଂ କର୍ମଚାରୀଙ୍କ ମଧ୍ୟରେ ସହମତି ଭିତ୍ତିରେ ହିଁ ବିକଳ୍ପ ଚୟନ କରାଯିବାର ବ୍ୟବସ୍ଥା ଲାଗୁ ହେଉ। କୌଣସି ସଂସ୍ଥାରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଗୋଟିଏ ସମାନ ବ୍ୟବସ୍ଥା ହିଁ ଆପଣା ଯାଇପାରିବ। ଉଦାହରଣ ସ୍ୱରୂପ, ଯଦି କୌଣସି ସଂସ୍ଥା ନୂଆ ବ୍ୟବସ୍ଥା ଲାଗୁ କରେ, ତ ଏହାକୁ ସମାନ ରୂପରେ ସମସ୍ତ କର୍ମଚାରୀଙ୍କ ଉପରେ ଲାଗୁ କରିବାକୁ ହେବ।

୪ ଶ୍ରମ ଆଇନକୁ ଲାଗୁ କରିବା ପାଇଁ ସରକାର ନିୟମାବଳୀର ଖସଡ଼ା ଉପରେ ସମ୍ପୃକ୍ତ ପକ୍ଷର ରାୟ ମାଗିଥିଲେ। ନିୟମାବଳୀ ସାମ୍ନାକୁ ଆସିବା ପରେ କିଛି ଉଦ୍ୟୋଗିକ ସଙ୍ଗଠନ ହିଁ ନୂଆ ବ୍ୟବସ୍ଥା ଅଧୀନରେ ବିକଳ୍ପ ଦେବାର ପ୍ରସ୍ତାବ ଦେଇଥିଲେ। ଅଧିକାରୀମାନଙ୍କ କହିବା ମୁତାବକ, ସରକାର ସେମାନଙ୍କ ପ୍ରସ୍ତାବକୁ ନିୟମାବଳୀରେ ଅନ୍ତିମ ରୂପରେ ସାମିଲ କରିବା ଉପରେ ବିଚାର କରୁଛନ୍ତି।

Leave A Reply

Your email address will not be published.