ସାଇକେଲ କିଣିବା ପାଇଁ କୁନି ପିଲାଟି କୁମ୍ପିରେ ଜମା କରିଥିଲା ପଇସା, ଭାଙ୍ଗିକି ଦାନ କରିଦେଲା କୋଭିଡ ରୋଗୀଙ୍କୁ

ଦେଶରେ କରୋନା ଭାଇରସ ଯୋଗୁ ଏବେ ଚାରିଆଡେ ହାହାକାର ପରିସ୍ଥିତି। କେଉଁଠି ଲୋକେ ପଇସା ପାଇଁ ଚିନ୍ତିତ ତ କେଉଁଠି ଚିକିତ୍ସା ଏବଂ ଔଷଧ ପାଇଁ। ଏମିତି ସ୍ଥିତିରେ ସବୁଠାରୁ ଅଧିକ ଗରିବ ଲୋକ ହିଁ ମୁସ୍କିଲର ସାମ୍ନା କରୁଛନ୍ତି। ଏହାରି ଭିତରେ ତାମିଲନାଡୁରୁ ଏକ ଭଲ ଖବର ସାମ୍ନାକୁ ଆସିଛି।

ଏଠାରେ ଏକ କୁନି ପିଲା ନିଜ ସାଇକେଲ କିଣିବା ପାଇଁ ଜମା କରିଥିବା ପଇସାକୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରି ଲୋକଙ୍କ ହୃଦୟ ଜିତି ଯାଇଛି। ହରିଶ ନାମକ କୁନି ପିଲାଟି ନିଜ ବାପାଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ୧୦୦୦ ଟଙ୍କା ଦାନ କରିଛି। ସହାୟତା ରାଶି ସାଙ୍ଗକୁ ସେ ନିଜ ହାତଲେଖା ନୋଟ ମଧ୍ୟ ପଠାଇଛି, ଯେଉଁଥିରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଲୋକଙ୍କୁ ସହାୟତା କରିବାକୁ କହିଛି।

ପିଲାଟିର ନାଁ ହରିଶ ବର୍ମନ। ସେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢ଼େ। ହରିଶ କହିଛି, ସେ ନିଜ ପାଇଁ ଏକ ନୂଆ ସାଇକେଲ କିଣିବାକୁ ଚାହୁଁଥିଲା। କିନ୍ତୁ କରୋନା ସଙ୍କଟକୁ ଦେଖି ସାଇକେଲ କିଣିବା ଇଚ୍ଛା ଛାଡ଼ି ଦେଇଥିଲା ଏବଂ ସେହି ପଇସାରେ ଲୋକଙ୍କୁ ସହାୟତା କରିବାକୁ ନିର୍ଣ୍ଣୟ ନେଇଥିଲା।

ସେପଟେ କୁନି ପିଲାଟିର ଏହି ମହତ କାମ ଦେଖି ମଦୁରାଇ ଉତ୍ତର ବିଧାୟକ କେ ଥଲପତି ତାକୁ ନୀଳ ଓ ଲାଲ ରଙ୍ଗର ଏକ ନୂଆ ସାଇକେଲ କିଣେଇ ତା’ ମନ ଖୁସି କରି ଦେଇଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ମଧ୍ୟ ହରିଶ ସହ ଫୋନରେ କଥା ହୋଇ ତାକୁ ଧନ୍ୟବାଦ ଜଣାଇଛନ୍ତି। ଭିଡିଓକୁ ଏ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.