ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା! ସିନ୍ଧୁ ନଦୀରେ ଓଲଟିଲା ବରଯାତ୍ରୀ ଡଙ୍ଗା, ୨୩ ମୃତ

ପାକିସ୍ତାନରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଏଠାରେ ପଞ୍ଜାବ ଓ ସିନ୍ଧ ସୀମା ନିକଟସ୍ଥ ସିନ୍ଧୁ ନଦୀରେ ଏକ ବରଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନଙ୍କ କହିବା ହେଲା, ଦୁର୍ଘଟଣା ସୋମବାର ରାତିରେ ଘଟିଛି। ତେବେ ସ୍ଥାନୀୟ ଲୋକେ ନଦୀରୁ ୪୫ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ଯେତେବେଳେ କି, ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମିଳିଥିବା ସୂଚନା ମୁତାବକ, ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଥିଲେ, ଯାହାଫଳରେ ଏହି ଦୁର୍ଘଟଣା ଘଟିଥିଲା। ଡଙ୍ଗାରେ ମହିଳା ଓ ଶିଶୁ ମଧ୍ୟ ଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍‌ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ଏବଂ ଆହତଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

ଖବର ଅନୁସାରେ, ମୃତକଙ୍କ ଭିତରୁ କିଛି ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ, ଶବାନା (୧୮), ହମିଦାନ୍‌ (୨୨) ଓ ଅଲ୍ଲାହ ଦାନୀ (୧୪)। ସେହିପରି ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ମହମ୍ମଦ ଅକରମ୍‌, ମହମ୍ମଦ ରମଜାନ, ଲକମାନ ଓ ମହମ୍ମଦ ଅମିନ୍‌ଙ୍କୁ ଚିହ୍ନଟ କରାଯାଇଛି।

ତେବେ ଦୁର୍ଘଟଣା ଖବର ପାଇବା କ୍ଷଣି ଜିଲ୍ଲା ପ୍ରଶାସନ ଘଟଣାସ୍ଥଳକୁ ପ୍ରଶାସନିକ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳଙ୍କୁ ପଠାଇଥିଲା। ସେମାନେ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। କୁହାଯାଉଛି ଯେ ହୁସୈନ କାଲା ନାମକ ଯୁବକଙ୍କ ବରଯାତ୍ରୀ ଦଳ ଡଙ୍ଗାରେ ବସି ସରଦାରପୁର ଯାଉଥିବା ବେଳେ ଡଙ୍ଗାଟି ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଘଟଣା ଆଖପାଖ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

Leave A Reply

Your email address will not be published.