ଖେରସନ୍‌ ଓ ଲୁହାନ୍‌ସ୍କରେ ଆଗକୁ ବଢ଼ୁଛି ୟୁକ୍ରେନ୍‌ ସେନା, ୨୪ ଘଣ୍ଟାରେ ମୁକ୍ତ କରିଛି ୯ ଜନବସତି

ନୂଆଦିଲ୍ଲୀ : ଖେରସନ୍‌ ଓ ଲୁହାନ୍‌ସ୍କରେ ଆଗକୁ ବଢ଼ୁଛି ୟୁକ୍ରେନ୍‌ ସେନା । ୨୪ ଘଣ୍ଟାରେ ଖେରସନ୍‌ର ୩ ଜନବସତି ଓ ଲୁହାନ୍‌ସ୍କର ୬ ଜନବସତିକୁ ମୁକ୍ତ କରିଛି। ରୁଷ୍‌ ସେନା କବଳରୁ ଗୋଟିଏ ପରେ ଗୋଟିଏ ଜନବସତି ଦଖଲମୁକ୍ତ କରି ଆଗକୁ ବଢ଼ୁଛି କିଭ୍‌ ବ୍ରିଗେଡ୍‌ । ବ୍ରିଟିଶ ଗୁଇନ୍ଦା ରିପୋର୍ଟ ମୁତାବକ, ଖେରସନ୍‌ରେ ରୁଷ୍‌ ସେନାକୁ ୨୦ କିଲୋମିଟର ପଛକୁ ହଟାଇ ଦେଇଛି ୟୁକ୍ରେନ୍‌ ସେନା। ନିପ୍ରୋ ନଦୀ ତଟକୁ ନିଜ ନିୟନ୍ତ୍ରଣକୁ ନେଉଛି।

ୟୁକ୍ରେନ୍‌ର ୪ ଅଞ୍ଚଳକୁ ରୁଷ୍‌ ବେଆଇନ୍‌ ଭାବେ ନିଜ ସୀମାରେ ସାମିଲ ଘୋଷଣା ପରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ପ୍ରତିଆକ୍ରମଣକୁ ଆହୁରି ପ୍ରଚଣ୍ଡ କରିଛି ଜେଲେନ୍‌ସ୍କି ବାହିନୀ। ରୁଷ୍‌ ସେନାର ଅନେକ ଅସ୍ତ୍ରଶସ୍ତ୍ର ଅକାମୀ କରି ଦେଉଛି। ଓଡେଶା ଓ ମାଇକୋଲୋଭ୍‌ ଅଞ୍ଚଳରେ ଗତକାଲି ୬ଟି ରୁଷୀୟ ଡ୍ରୋନ୍‌କୁ ଖସାଇ ଦେଇଛି କିଭ୍‌ ସେନା।

ତେବେ ଯୁଦ୍ଧ କ୍ଷେତ୍ରରେ ପରାଜୟର ସାମ୍ନା କରୁଥିବା କ୍ରେମ୍‌ଲିନ୍‌ ବର୍ବରତା ଜାରି ରଖିଛି। ଜାପୋରଝିଆରେ ୨୪ ଘଣ୍ଟାରେ ମାଡ଼ କରିଛି ୭ ମିସାଇଲ। ଏଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି । ଧୂଳିସାତ ହୋଇଛି ବଡ଼ବଡ଼ ଅଟ୍ଟାଳିକା। କିଛି ଲୋକ ବିଲ୍‌ଡିଂର ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଯୁଦ୍ଧ କ୍ଷେତ୍ରରେ ଏବେ ଇରାନ୍‌ର ଆତ୍ମଘାତୀ ଡ୍ରୋନ୍‌ ବ୍ୟବହାର କରୁଛି ରୁଷ୍‌ ସେନା । କିଭ୍‌ ଉପରେ ଇରାନୀ ଡ୍ରୋନ୍‌ରେ ହମ୍‌ଲା କରିଛି। ଜେଲେନ୍‌ସ୍କି କହିଛନ୍ତି, ପୁଟିନ୍‌ ଯେଉଁ ଅସ୍ତ୍ର ଆଣିବାର ଅଛି ଆଣନ୍ତୁ । କିନ୍ତୁ ସେ ଯୁଦ୍ଧ ହାରି ସାରିଛନ୍ତି। କୌଣସି ଅସ୍ତ୍ର ରୁଷ୍‌କୁ ଯୁଦ୍ଧରେ ଜିତାଇ ପାରିବନି ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.