ରାସ୍ତାରେ ଜମିଥିବା ବର୍ଷାପାଣିରେ ଗାଧୋଇଲେ କଂଗ୍ରେସ ବିଧାୟିକା! ଜାତୀୟ ରାଜପଥର ଶୋଚନୀୟ ଅବସ୍ଥାକୁ ନେଇ କଲେ ନିଆରା ପ୍ରତିବାଦ

ଝାଡ଼ଖଣ୍ଡର ମହଗାମା କଂଗ୍ରେସ ବିଧାୟିକା ଦୀପିକା ପାଣ୍ଡେ ସିଂ ଜାତୀୟ ରାଜପଥ ଉପରେ ବସି ନିଆରା ପ୍ରତିବାଦ ଜଣାଇଛନ୍ତି। ସେ ନିଜ ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିବା ୧୩୩ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି। ବୁଧବାର ବିଧାୟିକା ସେଠାରେ ଧାରଣାରେ ବସିବା ସହ ମହଗାମାରୁ ପୀରପନ୍ତି ରାସ୍ତା ଉପରେ ଜମି ରହିଥିବା ବର୍ଷାପାଣିରେ ପ୍ରତୀକାତ୍ମକ ସ୍ନାନ କରିଛନ୍ତି।

ଏ ନେଇ ବିଜେପି କହିଛି ଯେ ରାସ୍ତାର ରକ୍ଷଣାବେକ୍ଷଣା ଦାୟିତ୍ୱ ରାଜ୍ୟ ସରକାରଙ୍କ ପାଖରେ ରହିଛି। ହେଲେ ସେପଟେ ବିଧାୟିକା ଦାବି କରିଛନ୍ତି, କେନ୍ଦ୍ର ଏବେ ରାଜ୍ୟକୁ ପଇସା ଦେବା ବନ୍ଦ କରି ଦେଇଛି। ଏ ନେଇ ବାରମ୍ବାର ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବା ପରେ ବି କିଛି ସୁଫଳ ମିଳି ନ ଥିଲା। ଶେଷରେ ତାଙ୍କୁ ଏହି ପ୍ରତୀକାତ୍ମକ ବିରୋଧର ରାସ୍ତା ବାଛିବାକୁ ପଡ଼ିଥିଲା।

ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ ବିଧାୟିକା ଦୀପିକା ପାଣ୍ଡେ ସିଂ ଜଳମଗ୍ନ ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାପରେ ସେଠାରେ ସେ ଲୋଟାରେ ପାଣି ନେଇ ନିଜ ଉପରେ ଢାଳୁଛନ୍ତି। ବିଧାୟିକା କହିଛନ୍ତି କି, ଯେ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଠିକ୍‌ ନ ହୋଇଛି, ସେ ପର୍ଯ୍ୟନ୍ତ ସେ ବିରୋଧ ପ୍ରଦର୍ଶନ କରି ଚାଲିଥିବେ।

Leave A Reply

Your email address will not be published.