ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଚାଲିଗଲା ମହିଳାଙ୍କ ଜୀବନ, କ୍ଷମା ମାଗିଲେ ପୋଲିସ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତବେଳେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇ ଦେଇଥିଲା ପୋଲିସ। ଏଥି ଯୋଗୁ ସୃଷ୍ଟି ହୋଇଥିବା ଟ୍ରାଫିକରେ ଫସି ଜଣେ ଅସୁସ୍ଥ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଉଛନ୍ତି ଇଣ୍ଡିଆନ ଆସୋସିଏଶନ ଅଫ୍‌ ଇଣ୍ଡଷ୍ଟ୍ରିଜ୍‌ର ଓମେନ୍ସ ଓ୍ବିଙ୍ଗ୍‌ ଅଫ୍‌ କାନପୁର ଚାପ୍ଟରର ମୁଖ୍ୟ ବନ୍ଦନା ମିଶ୍ର । ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ପୋଲିସ ମହିଳାଙ୍କ ପରିବାର ବର୍ଗଙ୍କୁ କ୍ଷମା ମାଗିଛି। ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୁଚନା ଅନୁଯାୟୀ କିଛି ଦିନ ତଳେ ବନ୍ଦନା କରୋନାରୁ ସୁସ୍ଥ ହୋଇଥିଲେ। ତେବେ ଶୁକ୍ରବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପରିବାର ଲୋକ ହସ୍ପିଟାଲ ନେଇଥିଲେ। କିନ୍ତୁ ଏହି ଜରୁରୀ କାଳୀନ ମେଡିକାଲ ଗସ୍ତ ବେଳେ ରାଷ୍ଟ୍ରପତି ମଧ୍ୟ କାନପୁର ଆସୁଥିଲେ। ବନ୍ଦନା ମିଶ୍ରଙ୍କୁ ଯେଉଁ ରାସ୍ତାରେ ପରିବାର ଲୋକ ସାଙ୍ଗରେ ଧରି ହସ୍ପିଟାଲ ଯିବାର ଥିବା ଉକ୍ତ ରୁଟ୍‌କୁ ପୋଲିସ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବନ୍ଦ କରିଦେଇଥିଲା।

ଏଥିପାଇଁ ପ୍ରବଳ ଟ୍ରାଫିକ ଜାମ ହୋଇଥିଲା ଓ ଠିକଣା ସମୟରେ ବନ୍ଦନା ମଧ୍ୟ ହସ୍ପିଟାଲରେ ପହଞ୍ଚି ପାରି ନଥିଲେ। କଟକଣା କୋହଳ ହେବା ପରେ ପରିବାର ଲୋକ ତାଙ୍କୁ ଧରି ହସ୍ପିଟାଲରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଚ୍ଛାୟା ଖେଳି ଯାଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କାନପୁର ପୋଲିସ ମୁଖ୍ୟ ଅମୀମ ଅରୁଣ କ୍ଷମା ମାଗିଛନ୍ତି।

ପୋଲିସ କମିଶନରେଟ୍‌ କାନପୁର ନଗରର ଟ୍ୱିଟର ଆକାଉଣ୍ଟରେ ଅମୀମ କହିଛନ୍ତି, “ବନ୍ଦନା ମିଶ୍ରଙ୍କ ନିଧନ ପାଇଁ କାନପୁର ପୋଲିସ ଓ ବ୍ୟକ୍ତିଗତ ଭାବେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଭବିଷ୍ୟତ ପାଇଁ ଏହା ବଡ଼ ଶିକ୍ଷା। ଆମେ ପ୍ରତିଜ୍ଞା କରୁଛୁ ଯେ ଆମ ଟ୍ରାଫିକ ବ୍ୟବସ୍ଥା ଏମିତି କରିବୁ ଯେ ଲୋକମାନଙ୍କୁ ବହୁତ କମ ସମୟ ପାଇଁ ଅଟକାଇବାକୁ ପଡ଼ିବ। ଏହାଦ୍ୱାରା ଏପରି ଘଟଣାର ଆଉ ପୁନରାବୃତ୍ତି ହେବନାହିଁ।” ଆଉ ଏକ ଟ୍ୱିଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ଜାଣି ଗଭୀର ଭାବେ ମର୍ମାହତ ହୋଇଥିବା କୁହାଯାଇଛି।

 

Leave A Reply

Your email address will not be published.