ଶହେ ବର୍ଷ ପରେ ଖୋଲିବ ମହାରାଣୀଙ୍କ ଚିଠି ରହସ୍ୟ, ଠିକଣାରେ ଅଛି ସିଡନୀ ମେୟରଙ୍କ ନାଁ

କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ହେଲେ ବ୍ରିଟିଶ ରାଜ ପରିବାରର ଇତିହାସ ଓ ବର୍ତ୍ତମାନକୁ ବୋଧହୁଏ ଅନେକ ତପସ୍ୟା କରିବାକୁ ହେବ। ଏଠି ରହସ୍ୟ ଫିଟିବା ଭାରି କଷ୍ଟକର। ଗତ ସେପଟେମ୍ବର ୮ ତାରିଖରେ ମହାରାଣୀ ଏଲିଜାବେଥ୍‌-୨ଙ୍କର ମୃତ୍ୟୁ ହୋଇଛି। ଏଯାଏ ଶୋକ ପାଳନ କରୁଛି ପୂରା ରାଜ୍ୟଗୋଷ୍ଠୀ ଦେଶ। ଆଉ ପ୍ରତିଦିନ ଏହି ରାଜ ପରିବାରକୁ ନେଇ ଆସୁଛି ନୂଆ ନୂଆ କଥା। ଏବେ ଏବେ ଆସିଛି ଗୁପ୍ତ ବାକ୍ସରେ ମହାରାଣୀଙ୍କ ଗୁପ୍ତ ଚିଠି। ଆଉ ଯାହାକୁ ଏବେ ଖୋଲିବା ମନା। କେବେ ଚିଠି ଖୋଲିବାକୁ ନିର୍ଦ୍ଦେଶ ରହିଛି ଜାଣିଛନ୍ତି କି ? ୨୦୮୫ ମସିହାରେ। ଏକଥା ଜଣାପଡ଼ିବା ପରେ ଏବେ ସାରା ବିଶ୍ୱରେ ହଇଚଇ। କାରଣ ସମସ୍ତେ ଉତ୍କଣ୍ଠାରେ ରହିଛନ୍ତି କି ମହାରାଣୀ କଣ ଏମିତି ଲେଖି ଯାଇଛନ୍ତି ସେ ଚିଠିରେ, ଯାହାକୁ ଆଜିଠାରୁ ପ୍ରାୟ ୬୩ ବର୍ଷ ପରେ ଖୋଲିବାକୁ ହେବ।
ରାଣୀ ଏଲିଜାବେଥ୍ ଦ୍ଵିତୀୟ ଯିଏକି ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ମୃତ୍ୟକୁ ନେଇ ସାରା ବିଶ୍ବରେ ଚାଲିଛି ଚର୍ଚ୍ଚା। କେହି କହୁଛନ୍ତି ଆଞ୍ଜେଲ ନମ୍ବର ୨୨୨ରେ ସେ ନିଜ ଇଚ୍ଛାରେ ମୃତ୍ୟୁ ବରଣ କରିଛନ୍ତି। ପୁଣି କିଏ କହିଛି ରାଣୀଙ୍କ ମୃତ୍ୟୁ ପରେ ଖୋଲି ପାରେ ଅନେକ ରହସ୍ୟ। ବ୍ରିଟେନ୍‌ରେ ରାଜା ପରମ୍ପରା କେଉଁ କାଳରୁ ଗଡ଼ି ଆସୁଛି। ଏହି ପରିବାରକୁ ପ୍ରତ୍ୟେକ ବ୍ୟକ୍ତି ଖୁବ୍‌ ସମ୍ମାନ ଦେଇଥାନ୍ତି। ରାଣୀ ଏଲିଜାବେଥ୍ ଦ୍ୱିତୀୟ ଗତ ସେପ୍ଟେମ୍ବର ୮ ତାରିଖରେ ସ୍କଟଲ୍ୟାଣ୍ଡର ବଲ୍ମୋରଲ ଦୁର୍ଗରେ ମୃତ୍ୟୁ ବରଣ କରିଛନ୍ତି। ଯିଏକି ବ୍ରିଟେନ୍ର ସବୁଠାରୁ ଲମ୍ବା ସମୟ ଧରି ରାଜଗାଦିରେ ବସିଥିବା ରାଜପରିବାରର ଉତ୍ତରାଧିକାରୀ।

queen Elizabeth 2
queen Elizabeth 2

ତେବେ ବର୍ତ୍ତମାନ ରାଣୀଙ୍କ ମୃତ୍ୟୁ ପରେ ତାଙ୍କ ହାତ ଲେଖା ଚିଠିକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ରାଣୀ ଏଲିଜାବେଥଙ୍କ ଏହି ଚିଠି ରହିଛି ଏକ ନିବୁଜ ଗୁପ୍ତ କୋଠାରୀରେ। ବିଶେଷ କରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖିବା ପାଇଁ ଯେଭଳି ଗୁପ୍ତ କୋଠରୀ କରାଯାଏ ତାହା ସେହିଭଳି ତିଆରି ହୋଇଛି । ଆଉ ଏହି ଗୁପ୍ତ କୋଠରୀ ରହିଛି ଅଷ୍ଟ୍ରେଲିଆରେ। ଅଷ୍ଟ୍ରେଲିଆର ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ମହାରାଣୀ ଏଲିଜାବେଥଙ୍କ ଏହି ଚିଠି ସିଡନୀରେ ଥିବା ଏକ ଐତିହାସିକ ଭବନରେ ରହିଛି । ବନ୍ଦ କୋଠରୀରେ ଥିବା ଏହି ଚିଠିରେ କୁଆଡ଼େ ସିଡନୀବାସୀଙ୍କୁ ସମ୍ବୋଧିତ କରାଯାଇଛି। ଯାହା ଲେଖା ଯାଇଥିଲା ୧୯୮୬ ମସିହା ନଭେମ୍ବର ମାସରେ । ଅର୍ଥାତ୍‌ ୩୬ ବର୍ଷ ତଳେ ଏହାକୁ ଲେଖିଥିଲେ ରାଣୀ ଏଲିଜାବେଥ। କୌତୁହଳର ବିଷୟ ହେଉଛି ଏହା ଆଉ ୬୩ ବର୍ଷ ଯାଏ ଖୋଲାଯାଇ ପାରିବ ନାହିଁ।

ତେବେ ଚିଠିରେ କ’ଣ ଲେଖା ଅଛି ସେ ବିଷୟରେ କେହି ଜାଣନ୍ତି ନାହାନ୍ତି। କାରଣ ଏହାକୁ ଅତ୍ୟନ୍ତ ସୁରକ୍ଷିତ ଭାବେ ଗୁପ୍ତ କୋଠରୀରେ ଗୋଟିଏ କାଚବାକ୍ସ ଭିତରେ ରଖାଯାଇଛି। ଏମିତିକି ଏହି ଚିଠି ବିଷୟରେ ମହାରାଣୀଙ୍କ ନିକଟତମ କର୍ମଚାରୀ ଏବଂ ତାଙ୍କ ଅଫିସ୍‌ କାମ କରୁଥିବା ଅଧିକାରୀଙ୍କୁ ଜଣା ନାହିଁ। ଚିଠି ଉପରେ ସିଡନୀର ମେୟରଙ୍କୁ ସମ୍ବୋଧିତ କରି ଲେଖା ଯାଇଛି, ଆଉ ଏଥିରେ ଏକଥା ମଧ୍ୟ ରାଣୀ ଲେଖିଛନ୍ତି କି ୨୦୮୫ ମସିହାରେ ଆପଣଙ୍କ ଦ୍ୱାରା ଗୋଟିଏ ଦିନ ବଛାଯିବ। ଉପଯୁକ୍ତ ଦିନରେ, ଆପଣ ଦୟା କରି ଏହି ଚିଠି ଖୋଲି ସିଡନୀ ନାଗରିକମାନଙ୍କୁ ମୋର ବାର୍ତ୍ତା ଜଣାଇବେ।” ଏହି ଚିଠିରେ କେବଳ ରାଣୀ ଏଲିଜାବେଥଙ୍କ ଦସ୍ତଖତ ରହିଛି। ତେବେ ଚିଠିରେ କ’ଣ ଲେଖା ଅଛି ସେକଥା କେବଳ ୨୦୮୫ ମସିହାରେ ହୁଏତ ଜଣା ପଡ଼ିବ। କାରଣ ଏହି ଚିଠିକୁ ତା ପୂର୍ବରୁ ଖୋଲିବା ମନା।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଶୁକ୍ରବାର ଏକ ବିବୃତିରେ କହିଛନ୍ତି ଯେ ଅଷ୍ଟ୍ରେଲିଆ ଗସ୍ତରେ ସବୁଠାରୁ ଅଧିକ ୧୬ ଥର ଆସିଛନ୍ତି ମହାରାଣୀ ଏଲିଜାବେଥ। ଏବେ ସମସ୍ତେ ସେଇକଥା ଭାବୁଛନ୍ତି କି ସିଡନୀବାସୀଙ୍କ ପାଇଁ କଣ ଏମିତି ବାର୍ତ୍ତା ଲେଖି ଯାଇଛନ୍ତି ମହାରାଣୀ। ଯାହା ୧୯୮୬ରେ ଲେଖା ଯାଇଛି ଓ ଖୋଲିବ ୨୦୮୫ରେ। ଅର୍ଥାତ ଗୋଟିଏ ଶତାବ୍ଦୀ ପରେ। ତେଣୁ ସେ ସମୟ ନ ଆସିବା ଯାଏ ଏହି ଷ୍ଟ୍ରଙ୍ଗରୁମ କିମ୍ବା ଚିଠିକୁ ଖୋଲାଯିବ ନାହିଁ ବୋଲି ସେଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି। ରାଜ୍ୟଗୋଷ୍ଠୀ ବା କମନେଓ୍ଵଲଥ୍‌ ଦେଶ ହିସାବରେ ମହାରାଣୀ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଭଳି ଦେଶର ମଧ୍ୟ ପ୍ରମୁଖ ଭାବେ କାର୍ଯ୍ୟ କରନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି କି ଆମ ଦେଶ ପ୍ରତି ରାଣୀଙ୍କର ଅତ୍ୟନ୍ତ ଶ୍ରଦ୍ଧା ଥିଲା। ଆହୁରି ମଧ୍ୟ କୁହାଯାଉଛି କି ଅଷ୍ଟ୍ରେଲିଆ ସରକାର ରାଣୀଙ୍କୁ ଦେଶର ପ୍ରମୁଖ ଭାବେ ଗ୍ରହଣ କରିବାକୁ ରାଜି ନଥିଲେ। ରାଣୀଙ୍କୁ ହଟାଇବା ପାଇଁ ୧୯୯୯ରେ ସରକାରଙ୍କ ତରଫରୁ ଜନମତ ସଂଗ୍ରହ କରାଯାଇଥିଲା। ତେବେ ଅଷ୍ଟ୍ରେଲିଆବାସୀ କିନ୍ତୁ ରାଣୀଙ୍କ ସପକ୍ଷରେ ମତ ଦେଇଥିଲେ। ଆଉ ଏହି ଜନମତରେ ସରକାର ହାରି ଯାଇଥିଲେ। ତେଣୁ ଅଷ୍ଟ୍ରେଲିଆକୁ ସେ ଖୁବ୍‌ ଭଲ ପାଉଥିଲେ ବୋଲି ଏତେଥର ସେଠାକୁ ଆସିଥିଲେ।

ଆସନ୍ତା ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ରାଣୀଙ୍କ ଶବ ସତ୍କାର କରାଯିବ। ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନରେ ଅନ୍ତିମ ସଂସ୍କାର ହେବ। ଏହା ପୂର୍ବରୁ ଚାରି ଦିନ ବ୍ରିଟିଶ ରାଣୀଙ୍କ ମୃତଦେହ ୱେଷ୍ଟମିନିଷ୍ଟର ହଲରେ ରଖାଯିବ। ବର୍ତ୍ତମାନ ରାଣୀଙ୍କ ସଂସ୍କାର ପାଇଁ ପ୍ରକ୍ରିୟା ଚାଲିଛି । ଅନେକ ଦେଶରୁ ନେତା ମନ୍ତ୍ରୀ ରାଣୀଙ୍କ ଶେଷ ଦର୍ଶନ ପାଇଁ ବ୍ରିଟେନ ଯାଉଛନ୍ତି। ଆଉ ଅନ୍ତିମ ସଂସ୍କାର ଦିନ ମଧ୍ୟ ଅନେକ ଦେଶର ମୁଖ୍ୟମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ଏହାପରେ ମହାରାଣୀଙ୍କ ପୁଅ ଚାର୍ଲସ ତୃତୀୟ ରାଜା ଭାବେ ରାଜଗାଦିରେ ବସିବେ। ତେବେ ରାଣୀଙ୍କ ଚିଠିକୁ ନେଇ ଜାରି ରହିଥିବା ଏ ଆଲୋଚନା ଓ ଚର୍ଚ୍ଚା ତାଙ୍କ ଶବ ସତ୍କାର ସହ ଶେଷ ହେବ ନାହିଁ। ଆଗକୁ ବି ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.