ଭାରତର ଏହିସବୁ ସ୍ଥାନରେ ରହିଛି ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ, ଜୀବନର ସବୁ ସୁଖ ପାଇବା ପାଇଁ ଥରେ ଯାଇ ବୁଲି ଆସନ୍ତୁ

ଆପଣ ସମସ୍ତେ ଜ୍ୟୋତିର୍ଲିଙ୍ଗ ଓ ଶିବଲିଙ୍ଗ ସମ୍ପର୍କରେ ଶୁଣିଥିବେ । ମହାଶିବରାତ୍ରୀରେ ଶିବଲିଙ୍ଗରେ କ୍ଷୀର, ଜଳ , ଫୁଲ ଓ ଫଳ ଆଦି ଚଢ଼ାଯାଏ। ଜ୍ୟୋତିର୍ଲିଙ୍ଗ ର ପୂଜା କଲେ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ। ଅନେକ ଲୋକଙ୍କର ଏହା ଭ୍ରମ ଥାଏ ଯେ ଶିବଲିଙ୍ଗ ଓ ଜ୍ୟୋତିଲିଙ୍ଗ ସମାନ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ।

ଧର୍ମ ଶାସ୍ତ୍ର ଅନୁସାରେ ଶିବଲିଙ୍ଗ ତାହାକୁ କୁହାଯାଏ ଯାହାକୁ ସ୍ଥାପିତ କରାଯାଏ। କିନ୍ତୁ ଜ୍ୟୋତିର୍ଲିଙ୍ଗ ଯାହା ଆପେ ଆପେ ପାତାଳରୁ ବାହାରିଥାଏ। ଏମିତିରେ ଅନେକ ଶିବଲିଙ୍ଗ ପାତାଳ ଫୁଟା ଥିଲେ ବି ହିନ୍ଦୁ ଧର୍ମଶାସ୍ତ୍ରରେ ମୁଖ୍ୟତଃ ୧୨ଟି ଜ୍ୟୋତିର୍ଲିଙ୍ଗକୁ ସ୍ଥାନିତ କରାଯାଇଛି। ଭାରତର ବିଭିନ୍ନ ସ୍ଥାନରେ ଭଗବାନ ଜ୍ୟୋତିର୍ଲିଙ୍ଗ ରୂପେ ବିରାଜ ମାନ କରିଛନ୍ତି। କିନ୍ତୁ ଏହା କେଉଁଠି ହୁଏ ତ ସମସ୍ତଙ୍କୁ ସବୁ କିଛି ସ୍ଥାନ ସମ୍ପର୍କରେ ଜଣାନଥିବ। ଆଜି ଆମେ କହିବୁ ଦେଶରେ କେଉଁ ସ୍ଥାନରେ ଭଗବାନ କେଉଁନାମରେ ପୂଜା ପାଉଛନ୍ତି।

ଭାରତରେ ୧୨ଟି ଜ୍ୟୋତିର୍ଲିଙ୍ଗ ରହିଛି । ଏହାକୁ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କୁହାଯାଏ । ବିଶ୍ୱାସ ରହିଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ କଲେ ଅନେକ ପାପ କ୍ଷୟ ହୋଇଥାଏ । ପ୍ରାତଃ ସମୟରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ନାମ ସ୍ମରଣ କଲେ ଦିନଟି ମଧ୍ୟ ଭଲରେ କଟିଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭାରତରେ ଅବସ୍ଥିତ ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ବିଷୟରେ।

ସୋମନାଥ ଜ୍ୟୋତିର୍ଲିଙ୍ଗ :
ଏହା ଗୁଜୁରାଟରେ ଅବସ୍ଥିତ। ଖାଲି ଭାରତର ନୁହେଁ ଏହାକୁ ପୃଥିବୀର ପ୍ରଥମ ଜ୍ୟୋର୍ତିଲିଙ୍ଗ ବୋଲି ମଧ୍ୟ କୁହାଯାଇଥାଏ। ଏଠାରେ ବହୁ ଭକ୍ତଙ୍କ ଜନସମାଗମ ହୋଇଥାଏ। ଏହାଙ୍କୁ ଦର୍ଶନ କଲେ ସାତ ଜନ୍ମର ପାପ କ୍ଷୟ ହୋଇଥାଏ। ଏହା ଚନ୍ଦ୍ରଙ୍କର ଦ୍ୱାରା ସ୍ଥାପିତ ହୋଇଛି ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।

ମଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ:
ଏହା ଆନ୍ଧ୍ରପ୍ରଦେଶର କ୍ରିଷ୍ଣାନଦୀ ତଟରେ ଅବସ୍ଥିତ। ଏହି ପବିତ୍ର କୈଳାସ ପର୍ବତ ସଦୃଶ ପବିତ୍ର ବୋଲି ମାନ୍ୟତା ରହିଛି । ଏଠାକୁ ଆସି ପୂଜାର୍ଚ୍ଚନା କରୁଥିବା ଭକ୍ତ ମାନଙ୍କ ଜୀବନର ସମସ୍ତ ଦୁଃଖ ଦୁରେଇ ଯାଇଥାଏ।

ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ:
ଏହା ମଧ୍ୟପ୍ରଦେଶର ଉଜୟିନୀ ଠାରେ ଅବସ୍ଥିତ। ଏହା ଏକମାତ୍ର ଜ୍ୟୋତିର୍ଲିଙ୍ଗ ଯାହା ଦକ୍ଷିଣମୁଖୀ ଅଟେ। ଏହାର ପ୍ରାତଃ ଆରତୀ ନିମନ୍ତେ ଏହା ପୃଥିବୀ ପ୍ରସିଦ୍ଧ ଅଟେ। ମାନ୍ୟତା ଅନୁଯାୟୀ ଏଠାରେ ପୂଜା କଲେ ଆୟୁ ବୃଦ୍ଧି ହୋଇଥାଏ।

ଓଁ କାରେଶ୍ୱର ଜ୍ୟୋତିର୍ଲିଙ୍ଗ:
ଏହା ମଧ୍ୟପ୍ରଦେଶର ଇନ୍ଦୋରରେ ଅବସ୍ଥିତ। ଏହାର ନିକଟରେ ନର୍ମଦା ନଦୀ ପ୍ରବାହିତ ହେଉଛି। ଏଠାକାର ଲିଙ୍ଗ ଓଁକାର ଭଳି ହୋଇଥିବାରୁ ଏହାର ନାମ ଏପରି ହୋଇଛି।

କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ :
ଏହା ଉତ୍ତରପ୍ରଦେଶର କାଶୀରେ ଅବସ୍ଥିତ। କାଶୀ ଏକ ପବିତ୍ର ଧର୍ମସ୍ଥାନ । ଏଠାକୁ ଆସି ବହୁ ଭକ୍ତ ପ୍ରଭୁଙ୍କୁ ପୂଜା କରି ମନସ୍କାମନା ପୂରଣ କରିଥାଆନ୍ତି।

କେଦାରନାଥ ଜ୍ୟୋତିର୍ଲିଙ୍ଗ :
ଏହା ଉତ୍ତରାଖଣ୍ଡରେ ଅବସ୍ଥିତ। ଏହି ଜ୍ୟୋତିର୍ଲିଙ୍ଗ ସମ୍ପର୍କରେ ଅନେକ ତଥ୍ୟ ସ୍କନ୍ଧ ପୁରାଣ ଏବଂ ଶିବପୁରାଣରେ ବର୍ଣ୍ଣନା କରାଯାଇଛି। ଏହି ତୀର୍ଥ ସ୍ଥାନ ଭଗବାନ ଶଙ୍କରଙ୍କର ଅତ୍ୟନ୍ତ ପ୍ରିୟ। ଯେଉଁ ପ୍ରକାର କୈଳାସ ପର୍ବତର ମହତ୍ୱ ରହିଛି ସେହିଭଳି ଏହି ସ୍ଥାନର ମଧ୍ୟ ମହତ୍ୱ ରହିଛି।

ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ :
ଏହା ମହାରାଷ୍ଟ୍ରର ପୁନେ ରେ ଅବସ୍ଥିତ। ଏହା ମୋଟେଶ୍ୱର ମହାଦେବ ନାମରେ ମଧ୍ୟ ପ୍ରସିଦ୍ଧ। ସୂର୍ଯ୍ୟ ଉଦୟ ପରେ ଏଠାରେ ଦର୍ଶନ କଲେ ସାତ ଜନ୍ମର ପାପ ଧୋଇ ହୋଇଥାଏ ବୋଲି କୁହାଯାଏ।

ତ୍ରୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ :
ଏହା ମହାରାଷ୍ଟ୍ରର ନାସିକରେ ଅବସ୍ଥିତ। ଏହାର ନିକଟରେ ଗୋଦାବରୀ ନଦୀ ଓ ବ୍ରହ୍ମଗିରି ପର୍ବତ ରହିଛି। ଏଠାରେ ମଧ୍ୟ ବହୁ ଭକ୍ତଙ୍କ ଭିଡ଼ ଜମିଥାଏ।

ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ :
ଏହା ଝାଡ଼ଖଣ୍ଡର ଦେଓଗଡ଼ରେ ଅବସ୍ଥିତ। ଏହାକୁ ବୈଦ୍ୟନାଥ ଧାମ ବୋଲି ମଧ୍ୟ କୁହାଯାଇଥାଏ।

ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ :
ଏହା ଗୁ୍ଜୁରାଟର ଦ୍ୱାରକାରେ ଅବସ୍ଥିତ। ପ୍ରଭୁ ମହେଶ୍ୱର ନାଗ ମାନଙ୍କର ଦେବତା ଥିବାରୁ ଏଠାକାର ଜ୍ୟୋତିର୍ଲିଙ୍ଗର ନାମ ଏପରି ହୋଇଛି।

ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗ :
ଏହା ତାମିଲନାଡ଼ୁରେ ଅବସ୍ଥିତ। ୪ ଧାମରୁ ଏହା ଏକ ପ୍ରମୁଖ ଧାମ ଅଟେ।ଶାସ୍ତ୍ରରେ ରହିଥିବା ମାନ୍ୟତା ଅନୁଯାୟୀ ଏହି ଲିଙ୍ଗ ପ୍ରଭୁ ଶ୍ରୀରାମଙ୍କ ଦ୍ୱାରା ସ୍ଥାପିତ ହୋଇଥିବାରୁ ଏହାର ନାମ ରାମେଶ୍ୱରମ ହୋଇଛି।

ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ :
ଏହା ମହାରାଷ୍ଟ୍ରର ଔରାଙ୍ଗବାଦସ୍ଥିତ ଏଲୋରା ଠାରେ ଅବସ୍ଥିତ। ଏହାକୁ ଆସି ପୂଜାର୍ଚ୍ଚନା କରିବା ଦ୍ୱାରା ଶାନ୍ତି, ଧନସମ୍ପତ୍ତି ସବୁ ପ୍ରାପ୍ତି ହୋଇଥାଏ। ଭଗବାନ ଶିବଙ୍କ ୧୨ଟି ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଏହା ଶେଷ ଜ୍ୟୋତିର୍ଲିଙ୍ଗ । ବୌଦ୍ଧ ଭିକ୍ଷୁକମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏଲୋରାର ଏହି ପ୍ରସିଦ୍ଧ ଗୁମ୍ଫା ଏହି ମନ୍ଦିର ନିକଟରେ ଅବସ୍ଥିତ। ଏଠାରେ ଶ୍ରୀ ଏକନାଥଜୀ ଗୁରୁ ଏବଂ ଶ୍ରୀ ଜନାର୍ଦନ ମହାରାଜାଙ୍କ ସମାଧି ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.