ପ୍ରକୃତି କେବେ ବଦଳେନି, ପାକିସ୍ତାନ ଏତେ ବଦଳିଗଲା କେମିତି ? ପାକିସ୍ତାନ ଜେଲ୍‌ରେ ଗୀତା ବାଇବେଲ୍‌ ପାଠ ହେବ !

ଏକଥା ସମସ୍ତେ କୁହନ୍ତି କି, ପ୍ରକୃତି କେବେ ବଦଳେନି । ଯଦି ବଦଳେ ତେବେ କେବଳ ପରିସ୍ଥିତିକୁ ନେଇ । ନହେଲେ ମୂଳରୁ ଯିଏ ଯେମିତି ସେମିତି ହିଁ ରହିଥାଏ । ଅର୍ଥାତ କିଛି ମଣିଷ ନିଜର ପ୍ରକୃତିକୁ ବଦଳାଇବାର ଦାବି ନିଜେ କରନ୍ତି । କିନ୍ତୁ ତାହା କେବେ ବି ସତ ହୋଇନଥାଏ । ସବୁଠୁ ବଡ ଉଦାହରଣ ହେବ ଯଦି ଆମ ଦେଶର ପାରମ୍ପରିକ ଶତ୍ରୁ କଥା କହିବା । ସିଏ ହେଉଛି ପାକିସ୍ତାନ, ଯିଏ ବଦଳିବାର ନାଟକ ତ କରିପାରେ ହେଲେ ପ୍ରକୃତରେ କେବେ ବଦଳିବନି ଏକଥା ସମସ୍ତେ ଜାଣନ୍ତି । ଏହାରି ଭିତରେ ବଡ କଥା ଏବେ ଏଇଆ କି ପାକିସ୍ତାନର ଏକ ଘୋଷଣା କାହାରିକୁ ହଜମ ହେଉନି । ହଁ ଯଦି ଏହି ଘୋଷଣା ସତରେ ପରିଣତ ହୁଏ ତେବେ ଯାଇ କିଛି ବୁଝାପଡ଼ିବ ଯେ ପ୍ରକୃତ କଥାଟା କଣ । ଲଙ୍କାରେ ହରି ନାମ ଭଳି ପାକିସ୍ତାନ ଏତେ ବଦଳିଗଲା କେମିତି ? ଏବେ ସବୁ ମହଲରେ ଏଇ ଚର୍ଚ୍ଚା ଚାଲିଛି ।

ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ନବନିଯୁକ୍ତ ସରକାରଙ୍କର ଏକ ଅଭିନବ ଘୋଷଣା । ଘୋଷଣା ଏଇଆ କି ନିଜ ପବିତ୍ର ଧର୍ମ ଗ୍ରନ୍ଥକୁ କଣ୍ଠସ୍ଥ କଲେ ବା ପଢ଼ିଲେ କଏଦୀ ହେବେ ମୁକ୍ତ । ସେ ପୁଣି କିଛି ମାସ ଭିତରେ । ଏହା ଦ୍ୱାରା ଏଠାକାର ସଂଖ୍ୟାଲଘୁ ସମ୍ପ୍ରଦାୟର କଏଦୀଙ୍କୁ ଆଗରୁ ଛାଡ଼ି ଦେବାକୁ ବା ଦଣ୍ଡର ସମୟ କମ କରିବାର ପ୍ରସ୍ତାବ ଦିଆଯାଇଛି ।ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ ଇଲାହିଙ୍କୁ ପଞ୍ଜାବ ରାଜ୍ୟର ଗୃହ ବିଭାଗ ଜିଲ୍ଲାରେ ଥିବା ଖ୍ରୀଷ୍ଟିଆନ, ହିନ୍ଦୁ ଓ ଶିଖ କଏଦୀଙ୍କ ପାଇଁ ଦଣ୍ଡ ଅବଧିରେ ୩ରୁ ୬ ମାସ ପୂର୍ବରୁ ମୁକ୍ତ କରିବାର ପ୍ରସ୍ତାବ ପଠାଇଛନ୍ତି ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ପଞ୍ଜାବ ସରକାରଙ୍କ ଗୃହ ବିଭାଗ ଖ୍ରୀଷ୍ଟିଆନ ଓ ହିନ୍ଦୁ କଏଦୀଙ୍କୁ ସେମାନଙ୍କ ପବିତ୍ର ଗ୍ରନ୍ଥ ବାଇବେଲ ଓ ଭଗବତ ଗୀତା ଆଦିକୁ କଣ୍ଠସ୍ଥ କରିବା ପାଇଁ କହିଛନ୍ତି । ଯାହାଫଳରେ କଏଦୀଙ୍କ ଦଣ୍ଡର ଅବଧି ୩ରୁ ୬ ମାସର କମାଇ ଦିଆଯିବ । ମୁକ୍ତିର ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ପଠା ଯାଇଛି। ପଞ୍ଜାବ ଜେଲ ସେବାର ଅଧିକାରୀ ୱେବସାଇଟ ଅନୁସାରେ ପବିତ୍ର କୋରାନକୁ ମନେପକାଉଥିବା ମୁସଲିମ କଏଦୀଙ୍କୁ ଦଣ୍ଡର ଅବଧୀରେ ୬ମାସରୁ ୨ବର୍ଷ ପୂର୍ବରୁ ବି ମୁକ୍ତି ମିଳି ପାରେ ।

ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ପରେ ଏହି ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ପାଇଁ ପଠାଯିବ । ଏହା ପରେ ଗୃହ ବିଭାଗ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ଦଣ୍ଡ ଅବଧିରେ ଏହି ନୋଟିସ୍‌ ଜାରି କରିବ । ଏହି ପଦକ୍ଷେପ ଦ୍ୱାରା ସଂଖ୍ୟାଲଘୁ ସମ୍ପ୍ରଦାୟର କଏଦୀମାନେ ନିଜର ପବିତ୍ର ଧର୍ମ ଗ୍ରନ୍ଥକୁ ପଢ଼ିବାର ସୁଯୋଗ ମୀଳିବ ଏବଂ ଏଥିରୁ ସେମାନେ ଅପରାଧରୁ ଦୂରେଇ ରହିବା ପାଇଁ ପ୍ରେରଣା ପାଇବେ ।
ମାର୍ଚ୍ଚରେ ଉଚ୍ଚ ନ୍ୟାୟାଳୟ ପଞ୍ଜାବ ସରକାରଙ୍କଠାରୁ ଏ ସମ୍ବନ୍ଧରେ ରିପୋର୍ଟ ତଲବ କରିଥିଲେ । ଜଣେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତି ଏ ନେଇ କୋର୍ଟରେ ଆବେଦନ କରିଥିଲେ । ପାକିସ୍ତାନ ଜେଲ ନିୟମ ୧୯୭୮ର ୨୧୫ ଧାରା ହିସାବରେ ମୁସଲମାନଙ୍କୁ ଦିଆଯାଉଥିବା ମୁକ୍ତିର ସୁଯୋଗ ଅନ୍ୟ ଧର୍ମର କଏଦୀଙ୍କୁ ମଧ୍ୟ ଦେବା ପାଇଁ ଅନୁରୋଧ କରିଥିଲେ । ଆନୁମାନ କରାଯାଉଛି କି ପାକିସ୍ତାନର ବର୍ତ୍ତମାନ ପଞ୍ଜାବ ପ୍ରଦେଶର ବିଭିନ୍ନ ଜେଲ୍‌ରେ ୩୪ ଖ୍ରୀଷ୍ଟିଆନ, ହିନ୍ଦୁ ଓ ଶିଖଙ୍କ ସହ ୧୧୮୮ ସଂଖ୍ୟାଲଘୁ କଏଦୀ ଅଛନ୍ତି ।

ତେବେ କଥା ହେଉଛି ପାକିସ୍ତାନର ଏ ଘୋଷଣା କେତେ ଦୂର ବାସ୍ତବତାରେ ପରିଣତ ହେବ ତାହା ତ ଦେଖିବାର କଥା । କିନ୍ତୁ ଏହି ଘୋଷଣାକୁ ଅନେକ ହଜମ କରି ପାରୁନାହାନ୍ତି । କାରଣ ପାକିସ୍ତାନର କାର୍ଯ୍ୟକଳାପ ପୂରା ବିଶ୍ୱବାସୀ ଜାଣନ୍ତି । ଆଉ ଏସବୁ ଯୋଜନା ଦ୍ୱାରା ତାର ଆଗାମୀ ଚାଲ୍‌ କଣ ହୋଇପାରେ ତାହା ହିଁ ବଡ ପ୍ରଶ୍ନ । ଆଉ ସତରେ ଯଦି ପାକ୍‌ ସରକାର ଏଭଳି କରନ୍ତି ତେବେ ନିଶ୍ଚୟ ଏକ ଉଦାହରଣ ହେବ ।

Leave A Reply

Your email address will not be published.