ଘର କାନ୍ଥରେ ଅଶ୍ୱତ୍‌ଥ ଗଛ ଉଠିବା ବହୁତ ଅଶୁଭ! ଉଠିବା ମାତ୍ରେ ହିଁ ତୁରନ୍ତ କରନ୍ତୁ ଏହି କାମ…

ହିନ୍ଦୁ ଧର୍ମ ଅନୁସାରେ, ଅଶ୍ୱତ୍‌ଥ ଗଛରେ ସବୁ ଦେବଦେବୀ ବାସ କରନ୍ତି। ଏହାକୁ ଶ୍ରେଷ୍ଠ ବୃକ୍ଷ କୁହାଯାଏ। ଶନିବାର ବ୍ୟତୀତ କିଛି ପୂଜା, ପର୍ବାଣୀ ସମୟରେ ମଧ୍ୟ ଅଶ୍ୱତ୍‌ଥ ଗଛକୁ ପୂଜାର୍ଚ୍ଚନା କରାଯାଇଥାଏ। ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ଅଶ୍ୱତ୍‌ଥ ଗଛକୁ ବହୁତ ଶୁଭ ବୋଲି ବିବେଚନା କରାଯାଇଛି। କିନ୍ତୁ ଏହି ଗଛ ଘରେ ରହିବା ଆଦୌ ଶୁଭ ହୋଇ ନ ଥାଏ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୁଏ। କିନ୍ତୁ ଅନେକ ବାର ଦେଖାଯାଏ ଯେ ଘର କାନ୍ଥରେ ଆପେ ହିଁ ଅଶ୍ୱତ୍‌ଥ ଗଛ ଉଠିଥାଏ। ଯଦି ଏମିତି ହୁଏ, ତା’ ହେଲେ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏଥିପାଇଁ ଉପାୟ ବି କୁହାଯାଇଛି। ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ, ଆସନ୍ତୁ ଜାଣିବା…

ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ପାଖରେ ଅଶ୍ୱତ୍‌ଥ ଗଛ ରହିବା ଅଶୁଭ ହୋଇଥାଏ। ଅଶ୍ୱତ୍‌ଥ ଗଛ ପାର୍କ, ମନ୍ଦିର କିମ୍ବା ରାସ୍ତା ପାର୍ଶ୍ୱରେ ରହିବା ହିଁ ଭଲ। ଯଦି ଘର ଭିତରେ କିମ୍ବା ଘର ପାଖରେ ଏହି ଗଛ ଉଠେ, ତା’ ହେଲେ ଏହାକୁ ନଷ୍ଟ କରନ୍ତୁ ନାହିଁ, ବରଂ ଏହାର ସୁରକ୍ଷା କରନ୍ତୁ। ଅଶ୍ୱତ୍‌ଥ ଗଛକୁ ମାଟି ସହିତ ଖୋଳି କୌଣସି ଉଚିତ୍‌ ସ୍ଥାନରେ ଲଗାଇ ଦିଅନ୍ତୁ, ଯେଉଁଠି ଏହା ସୁରକ୍ଷିତ ଭାବରେ ବଢ଼ିପାରିବ। ଏହାଦ୍ୱାରା ଉଭୟ ଘର ଏବଂ ଗଛର ସୁରକ୍ଷା ହୋଇପାରିବ।

ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଅଶ୍ୱତ୍‌ଥ ଗଛକୁ ପୂଜା କରିବାର ଅନେକ ଲାଭ ବିଷୟରେ ବର୍ଣ୍ଣିତ ରହିଛି। ଖାସ୍‌ କରି, ଶନିବାର ଦିନ ଅଶ୍ୱତ୍‌ଥ ଗଛକୁ ପୂଜା କରିବା ଏବଂ ଏହା ତଳେ ସୋରିଷ ତେଲର ଦୀପ ଜଳାଇବା ଦ୍ୱାରା ବହୁତ ଫାଇଦା ମିଳିଥାଏ। ଏହାଦ୍ୱାରା ଶନି ଦୋଷ ଦୂର ହୋଇ ଯାଇଥାଏ। ଅନେକ ପ୍ରକାରର କଷ୍ଟରୁ ମୁକ୍ତି ମିଳିଥାଏ। ବାଧାବିଘ୍ନ ଦୂର ହୋଇଥାଏ ଏବଂ କାମରେ ସଫଳତା ମିଳିଥାଏ। କୁହାଯାଏ, ଅଶ୍ୱତ୍‌ଥ ଗଛରେ ମା’ ଲକ୍ଷ୍ମୀ ବାସ କରନ୍ତି। ତେଣୁ ଏହି ଗଛକୁ ପୂଜା କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତୁ ଏବଂ ଧନ, ସମ୍ପତ୍ତି ବୃଦ୍ଧି ହୋଇଥାଏ।

ଅନ୍ୟପଟେ ଆୟୁର୍ବେଦରେ ଅଶ୍ୱତ୍‌ଥ (ଓସ୍ତ) ଗଛକୁ ଔଷଧୀୟ ଗୁଣର ଭଣ୍ଡାର ବୋଲି କୁହାଯାଏ। ଏହି ଗଛ ବହୁ ପ୍ରକାରର ରୋଗ ଉପଚାର ପାଇଁ ଲାଭକାରୀ ହୋଇଥାଏ। ଓସ୍ତ ଗଛର ପତ୍ର ଚୋବାଇବା କିମ୍ବା ଏହାର ଡାଳରେ ଦାନ୍ତ ଘଷିବା ଦ୍ୱାରା ମୁହଁର ଦୁର୍ଗନ୍ଧ ଓ ପାଇରିଆ ଭଲ ହେଇଥାଏ। ଏହିପରି ୫-୭ଟି ସବୁଜ ଓସ୍ତ ପତ୍ରକୁ ୨୫୦ ମିଲି ଲିଟର ପାଣିରେ ଭଲ ଭାବରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଏଥିରେ ୧ ଚାମଚ ମିଶ୍ରି ଗୁଣ୍ଡ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ, ୟୁରିନ ସଂକ୍ରମଣ ସମସ୍ୟା ଭଲ ହୋଇଥାଏ। ୧୦ଟି କଅଁଳ ଓସ୍ତ ପତ୍ରକୁ ୪୦୦ ଗ୍ରାମ କ୍ଷୀର ସହ ଭଲ ଭାବରେ ଫୁଟାଇ ଦିଅନ୍ତୁ। ତା’ ପରେ ଏହାକୁ ଛାଣି ଏଥିରେ ସ୍ୱାଦ ଅନୁସାରେ ମିଶ୍ରି ଗୁଣ୍ଡ ମିଶାଇ ଜଳଖିଆ ସମୟରେ ସକାଳେ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Leave A Reply

Your email address will not be published.