ଦରଦାମ୍ ବୃଦ୍ଧି ଯୋଗୁ ଚିନ୍ତାରେ ଥିଲେ ଆପଣାନ୍ତୁ କିଛି ସହଜ ଉପାୟ, କମିଯିବ ଅନେକ ଖର୍ଚ୍ଚ

ବର୍ତ୍ତମାନ ଦେଶରେ ଯେଭଳି ଭାବେ ବେକାରୀ ଓ ଦରଦାମ୍‌ ବୃଦ୍ଧି ହେଉଛି ତାହା ଯେ ଆଉ ନିୟନ୍ତ୍ରଣ ହୋଇପାରିବ ନାହିଁ, ତାହା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଏ ସମସ୍ୟାର ସମାଧାନ ଆଦୌ ସହଜ ନୁହେଁ କି ସ୍ୱଳ୍ପ ସମୟ ମଧ୍ୟରେ ଏହାକୁ କିଛିଟା ନିୟନ୍ତ୍ରଣ କରିବାର କ୍ଷମତା ବି କାହା ପାଖରେ ନାହିଁ। ଗ୍ରାମ୍ୟ ବହୁଳ ଦେଶ ଭାରତରେ ଗାଁରେ ରହୁଥିବା ଗରିବଟି ଉପରେ ଏ ଦରଦାମ ବୃଦ୍ଧି, ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ତେଣୁ ସେହି ଗାଁର ଗରିବ ଲୋକଟିର ମୁଣ୍ଡରେ ପଡ଼ିଥିବା ଏହି ବୋଝର ଓଜନ କିପରି ହାଲକା ହୋଇପାରିବ ତାକୁ ନେଇ ରାଜଧାନୀର ଏକ ଚା’ ଖଟିରେ ଆଲୋଚନା ଚାଲିଥିଲା, ଯାହା ଶୁଣିଲେ କେବଳ ସମସ୍ୟାକୁ ନେଇ ନୁହେଁ ସମାଧାନକୁ ନେଇ ଚର୍ଚ୍ଚା ହେବାର ଅଧିକ ଆବଶ୍ୟକ ଅଛି ବୋଲି ଆପଣ ବି କହିବେ।

ଆଲୋଚନାର ସାରାଂଶ ଥିଲା, ଆମ ରାଜ୍ୟର ପାରମ୍ପରିକ ଚଳଣି ହିଁ ଏଭଳି ଦରବୃଦ୍ଧିକୁ ଦମନ କରିବାରେ ବେଶ୍‌ ସହାୟକ ହୋଇଥାନ୍ତା। କିନ୍ତୁ ପାଶ୍ଚାତ୍ୟ ଚଳଣି ଢାଞ୍ଚା ଯୋଗୁଁ ଗାଁର ଲୋକମାନେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଆଉ ଏସବୁ ଏ ମୋବାଇଲ ଓ ଟିଭି ଯୋଗୁଁ ହେଉଥିବା ତାଙ୍କ ଆଲୋଚନାରୁ ବେଶ୍‌ ସ୍ପଷ୍ଟ ଜଣାପଡୁଥିଲା। ଗାଁର ଲୋକମାନେ ସାଧାରଣତଃ ଚାଷ ଉପରେ ନିର୍ଭରଶୀଳ। ଆଉ ତା’ ସହ ଲୋକଙ୍କର ନିଜର କୌଳିକ ବୃତ୍ତି ଥିଲା। ଆଉ ସେ କୌଳିକ ବୃତ୍ତି ପାଇଁ ପରସ୍ପର ପରସ୍ପର ଉପରେ ନିର୍ଭରଶୀଳ ଥିଲେ। ଫଳରେ ଏକ ଇକୋସିଷ୍ଟମ ଗାଁରେ ରହୁଥିଲା। ଯଦିଓ ମହାଜନ ଓ ଗରିବ ମଧ୍ୟରେ ଏକ ଚଳଣିଗତ ବିରାଟ ତାରତମ୍ୟ ଥିଲା। କିନ୍ତୁ ଆଧୁନିକତା ଆଳରେ ବୃତ୍ତି ବିଲୁପ୍ତ ହେବା ସହ ସେସବୁ ଆଧୁନିକୀକରଣ ହୋଇ କର୍ପୋରେଟ ଢାଞ୍ଚା ଆଡ଼କୁ ମୁହାଁଇବାକୁ ଲାଗିଲା। ଫଳରେ ସବୁ ପ୍ରକ୍ରିୟା ଏମିତି ବିକୃତ ହୋଇଗଲା ଯେ, ଆଜି ଗାଁରେ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟ, ଜୀବିକା ଅର୍ଜନ ଆଦି ପାଇଁ ଆଉ କାହା ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଉ ଏହି ମୋବାଇଲ, ଟିଭିର ବହୁଳ ବ୍ୟବହାରର ଫାଇଦା ନେଇ କର୍ପୋରେଟ ସଂସ୍ଥାର ବିଚକ୍ଷଣ ବ୍ୟକ୍ତିତ୍ୱମାନେ ଏମିତି କଥା ଶୁଣାଇଲେ ଓ ଦେଖାଇଲେ ଯେ ସବୁ ପାରମ୍ପରିକ ଢାଞ୍ଚାକୁ ଭୁଲି ବାବୁ ସାହେବ ଢାଞ୍ଚାକୁ ଆପଣାଇ ଲୋକେ ଅନ୍ୟ ଉପରେ ନିର୍ଭରଶୀଳ ହେବାକୁ ଲାଗିଲେ। ଯେତେବେଳେ ବ୍ୟକ୍ତି ବା ଦେଶ ଅନ୍ୟ ଉପରେ ନିର୍ଭରଶୀଳ ହୋଇ ରହିବ, ସେତେବେଳେ ଗୋଲାମ ହୋଇ ସର୍ବସ୍ୱ ହରାଇବାର ସମ୍ଭାବନା ଅଧିକ ନିଶ୍ଚିତ ରହିବ।

ଉଦାହରଣସ୍ୱରୂପ, ଗାଁରେ ପ୍ରତ୍ୟେକ ଲୋକ ନିଜ ବାଡ଼ିରେ ବର୍ଷତମାମ କିଛି ନା କିଛି ପନିପରିବା ଲଗାଉଥିଲେ। ଆଉ ସେ ସବୁ ଦୈନିକ ଖାଦ୍ୟରେ ଗ୍ରହଣ କରୁଥିଲେ। ଫଳରେ ଅଧିକ ଅର୍ଗାନିକ ଖାଦ୍ୟ ଶରୀରକୁ ଯାଉଥିଲା ଓ ଲୋକେ ସୁସ୍ଥ ରହୁଥିଲେ। ତେଣୁ ଲୋକଙ୍କୁ ସବୁବେଳେ ମେଡିକାଲ ଯିବାକୁ ପଡୁନଥିଲା କି ଆଜି ଭଳି ମଧୁମେହ, କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ୁନଥିଲା। ଏଥିସହ ଉଭୟ ପୋଷଣ ଓ ଖାଦ୍ୟ ପାଇଁ ଅର୍ଥବ୍ୟୟର ପରିମାଣ ମଧ୍ୟ କମ୍‌ ରହୁଥିଲା। ଦିନକୁ ଦିନ ଲୋକସଂଖ୍ୟା ବଢ଼ୁଥିବା ହେତୁ ଖାଦ୍ୟର ଆବଶ୍ୟକତା ବି ବଢ଼ିଲା। କିନ୍ତୁ ଲୋକେ ବାଡ଼ିରେ ପନିପରିବା ଚାଷ ଛାଡ଼ି ଦେବାରୁ ପରିବା ଚାଷ ସମେତ ଅନ୍ୟ ଚାଷର ବ୍ୟବସାୟୀକରଣ ହେଲା। ଫଳରେ କମ୍‌ ସମୟରେ ଅଧିକ ଉତ୍ପାଦନ ପାଇଁ ବିଭିନ୍ନ ରାସାୟନିକ ସାମଗ୍ରୀ ଓ କୌଶଳ ବ୍ୟବହାର ହେଲା, ଯାହା ରସାୟନ ଶିଳ୍ପକୁ ଲାଭାନ୍ଵିତ କରିବା ସହ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ବଢ଼ାଇଲା। ଏହା ମଧ୍ୟ ଦରଦାମ୍‌ ବୃଦ୍ଧିର ଏକ କାରଣ ପାଲଟିଲା।

ସେହିପରି ରୋଷେଇ ଘରେ ଖାଇବା ତେଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିନା ତେଲରେ ରୋଷେଇ ଅସମ୍ଭବ ହୋଇଥିବାରୁ ଲୋକଙ୍କ ଅସହାୟତାର ସୁଯୋଗ ନେଇ ତେଲ କମ୍ପାନୀ ଦରଦାମ୍‌ ବଢ଼ାଇ ଚାଲିଲେ। ଏହି କେମିକାଲଯୁକ୍ତ ତେଲ ଖାଇ ଅଧିକ ଟଙ୍କା ବ୍ୟୟ କରି ଲୋକ କିନ୍ତୁ ରୋଗରେ ପଡ଼ିଲେ। ଫଳରେ ଲୋକେ ଖାଦ୍ୟରେ ଖର୍ଚ୍ଚ କଲେ, ତା’ପରେ ରୋଗରେ ବି ଖର୍ଚ୍ଚ ବଢ଼ିଲା। ଏହା ମଧ୍ୟ ଦରବୃଦ୍ଧିର ଏକ କାରଣ ପାଲଟିଲା। ଏସବୁକୁ ଦୃଷ୍ଟିରେ ରଖି ସରକାର ପୁରୁଣା ପାରମ୍ପରିକ ଢାଞ୍ଚାକୁ ଫେରାଇ ଆଣି ଦରବୃଦ୍ଧି ନିୟନ୍ତ୍ରଣ ପାଇଁ କୃଷି ବିଭାଗ, ହର୍ଟିକଲଚର ବିଭାଗ ଓ ପଞ୍ଚାୟତିରାଜ ବିଭାଗରେ ସମନ୍ଵୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଲେ। ଯଥା- ‘ମୋ ବଗିଚା’ ଯୋଜନା। ଏହି ଯୋଜନାରେ ଏସ୍‌ଏଚ୍‌ଜି ମହିଳାଙ୍କୁ ନିଜ ବାଡ଼ିରେ ସ୍ୱଳ୍ପ ଜାଗାରେ ଉନ୍ନତ କୌଶଳରେ ବର୍ଷତମାମ ଏକ ଛୋଟ ପରିବାର ପାଇଁ ପନିପରିବା, ଫଳ ଆଦି ପାଇପାରିବାର ବ୍ୟବସ୍ଥା କଲେ। କିନ୍ତୁ ଏହି ଯୋଜନାର ଗୁରୁତ୍ୱକୁ ୯୦ ପ୍ରତିଶତ ଲୋକ ବୁଝିପାରିଲେ ନାହିଁ। ଫଳରେ ରାଜକୋଷରୁ ଟଙ୍କା ତ ଖର୍ଚ୍ଚ ହେଲା କିନ୍ତୁ ଲୋକେ ସୁଫଳ ପାଇପାରିଲେ ନାହିଁ। ସେହିପରି ହର୍ଟିକଲଚର ବିଭାଗ ଓ ମୂଳ କୃଷି ବିଭାଗ ଜରିଆରେ ପ୍ରତିବର୍ଷ ଲୋକଙ୍କୁ ମୁଗ, ବିରି, ସୋରିଷ ଆଦି ଅନେକ ଚାଷ କରିବାକୁ ପ୍ରୋତ୍ସାହିତ କରିବା ନାଁରେ କୋଟି କୋଟି ଟଙ୍କା ଦେଉଛନ୍ତି। କିନ୍ତୁ ତାହା ବି ଫେଲ୍‌ ମାରିଛି। ଏହିପରି ଅନେକ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନଥିବାରୁ ପାରମ୍ପରିକ ଚଳଣିକୁ ପୁନର୍ବାର ଫେରାଇ ଅଣାଯାଇପାରୁନାହିଁ। ଫଳରେ ଅନ୍ୟ ଉପରେ ନିର୍ଭରଶୀଳତା ବଢ଼ୁଛି, ଯାହା ଦରବୃଦ୍ଧିର ଏକ ପ୍ରମୁଖ କାରଣ ପାଲଟୁଛି ବୋଲି ଚର୍ଚ୍ଚା ହୋଇଥିଲା।

Leave A Reply

Your email address will not be published.