ଏହି ସ୍ଥାନରେ ଦେବୀ ଲକ୍ଷ୍ମୀ ଆଜି ବି କରୁଛନ୍ତି କୃଷ୍ଣଙ୍କ ପୂଜା, ଜାଣନ୍ତୁ ଏହି ସ୍ଥାନ ପଛର କାହାଣୀ

କୃଷ୍ଣ ଏବଂ ଶ୍ରୀରାଧାରାଣୀଙ୍କ ଭଲପାଇବା ଓ ପରସ୍ପର ପ୍ରତି ଅଭିମାନକୁ ବୁଝାଇବାର କାହାଣୀ ତ ଆପଣମାନେ ନିଶ୍ଚୟ ପଢିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ରାଧା କୃଷ୍ଣଙ୍କ ଅଭିମାନ ବିଷୟରେ ନୁହେଁ ବରଂ ଦେବୀ ଲକ୍ଷ୍ମୀ ଏବଂ କୃଷ୍ଣଙ୍କ ଅଭିମାନ ବିଷୟରେ କହିବୁ। ତେବେ ଆସନ୍ତୁ ଜାଣିବା କାହିଁକି ଦେବୀ ଲକ୍ଷ୍ମୀ କୃଷ୍ଣ ଉପରେ ରାଗିଥିଲେ ଏବଂ କେଉଁଠାରେ ମୁରଲୀଧରଙ୍କୁ ଅପେକ୍ଷା କରି ରହିଥିଲେ?

ଆମେ ଆପଣଙ୍କୁ ଯେଉଁ ମନ୍ଦିର ବିଷୟରେ କହିବାକୁ ଯାଉଛୁ ସେହି ମନ୍ଦିର ବେଲଓ୍ଵନରେ ଅବସ୍ଥିତ। ବେଲବନ ବୃନ୍ଦାବନଠାରୁ ଯମୁନାକୁ ଯାଇଥିବା ରାସ୍ତାରେ ଅବସ୍ଥିତ। ଏହି ମନ୍ଦିର ଖୁବ୍‌ ପୁରୁଣା ଏବଂ ପ୍ରସିଦ୍ଧ। କୁହାଯାଏ ଏହି ସ୍ଥାନରେ ପୂର୍ବରୁ ବେଲ ଗଛର ଘଞ୍ଚ ଜଙ୍ଗଲ ଥିଲା। ଏହିକାରଣରୁ ଏହି ସ୍ଥାନ ବେଲବନ ନାମରେ ଜଣାଶୁଣା। ଏହି ଜଙ୍ଗଲରେ ଭଗବାନ ଶ୍ରୀକୃଷ୍ଣ ଏବଂ ବଳରାମ ନିଜର ସାଙ୍ଗମାନଙ୍କ ସହ ଗାଈ ଚରାଇବାକୁ ଆସିଥିଲେ ଏବଂ ଏହି ଜଙ୍ଗଲ ମଧ୍ୟରେ ମାଁ ଲକ୍ଷ୍ମୀଙ୍କ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ।

କୁହାଯାଏ ଥରେ ବ୍ରଜରେ ଶ୍ରୀକୃଷ୍ଣ ରାଧା ଏବଂ ୧୬, ୧୦୮ ଗୋପୀଙ୍କ ସହ ରାସଲୀଳା କରୁଥିଲେ। ମାଁ ଲକ୍ଷ୍ମୀଙ୍କୁ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ରାସଲୀଳା ଦର୍ଶନ କରିବାର ଇଛା ଥିଲା। ଏଥିପାଇଁ ସେ ସିଧା ବ୍ରଜରେ ପହଞ୍ଚିଥିଲେ। କିନ୍ତୁ ଗୋପୀମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଏହି ରାସ ଲୀଳା ଦେଖିବା ପାଇଁ ପ୍ରବେଶର ଅନୁମତି ନଥିଲା। ଏହିକାରଣରୁ ତାଙ୍କୁ ଅଟକା ଯାଇଥିଲା। ଏହାପରେ ସେ ଅଭିମାନ କରି ବୃନ୍ଦାବନ ଆଡକୁ ମୁହଁ କରି ବସିଥିଲେ ଏବଂ ତପସ୍ୟା କରିଥିଲେ।

କୁହାଯାଏ ଯେତେବେଳେ ମାତା ଲକ୍ଷ୍ମୀ ତପସ୍ୟା କରିବାକୁ ବସିଥିଲେ ସେତେବେଳେ ଶ୍ରୀକୃଷ୍ଣ ରାସଲୀଳା କରି ଥକି ଯାଇଥିଲେ ଏବଂ ମାଁ ଲକ୍ଷ୍ମୀଙ୍କୁ ସେ ଭୋକ ଲାଗିବା କଥା କହିଥିଲେ। ଏହି ସମୟରେ ମାଁ ଲକ୍ଷ୍ମୀ ନିଜର ଶାଢୀ ଚିରି ସେଥିରେ ଅଗ୍ନି ପ୍ରଜ୍ୱଳିତ କରି ନିଜ ହାତରେ ଖେଚୁଡି ତିଆରି କରିଥିଲେ। ଏହା ଦେଖି ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥିଲେ। ଏହି ସମୟରେ ମାଁ ଲକ୍ଷ୍ମୀ ଶ୍ରୀକୃଷ୍ଣଙ୍କୁ ବ୍ରଜରେ ରହିବା ପାଇଁ କହିଥିଲେ। ଏହାପରେ ଶ୍ରୀକୃଷ୍ଣ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ। ମାନ୍ୟତା ଅନୁଯାୟୀ ଏହିସବୁଘଟଣା ପୌଷ ମାସରେ ଘଟିଥିବାରୁ ଏଠାରେ ପୌଷ ମାସରେ ବଡ ମେଳାର ଆୟୋଜନ କରାଯାଇଥାଏ। ଏଥିସହ ମାନ୍ୟତା ରହିଛି ଆଜି ମଧ୍ୟ ଏଠାରେ ମାତା ଲକ୍ଷ୍ମୀ ଭଗବାନ କୃଷ୍ଣଙ୍କର ପୂଜା କରୁଛନ୍ତି।

ବେଲଓ୍ଵନରେ ପୌଷ ମାସ ସମୟରେ ଏକ ସ୍ୱତନ୍ତ୍ର ମେଳାର ଆୟୋଜନ କରାଯାଇଥାଏ। ଏଠାରେ ପୌଷ ମାସର ପ୍ରତ୍ୟେକ ଗୁରୁବାରରେ ଖେଚୁଡି ମହୋତ୍ସବର ଆୟୋଜନ କରାଯାଇଥାଏ। ଏହି ମେଳାରେ ଭକ୍ତମାନେ ଅନେକ ଦୂର-ଦୂରାନ୍ତରୁ ଆସିବା ସହ ନିଜ ସାଥିରେ ଖେଚୁଡି ତିଆରି କରିବା ସାମଗ୍ରୀ ନେଇ ଆସିଥାନ୍ତି। ଏହାପରେ ସେଠାରେ ଚୁଲି ବନାଇ ଖେଚୁଡି ପ୍ରସ୍ତୁତ କରିଥାନ୍ତି ଏବଂ ସେହି ଖେଚୁଡିକୁ ପ୍ରସାଦ ରୂପେ ବାଣ୍ଟିବା ପରେ ନିଜେ ଗ୍ରହଣ କରିଥାନ୍ତି।

Leave A Reply

Your email address will not be published.