ତାଡକାସୁରର ଉତ୍ପାତରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ କାର୍ତ୍ତିକେୟ ନିର୍ମାଣ କରିଥିଲେ ଏହି ମନ୍ଦିର

ଶ୍ରାବଣ ମାସ ସୋମବାର ଶିବ ମନ୍ଦିର ଦର୍ଶନ କରିବା ତଥା ପ୍ରମୁଖ ତୀର୍ଥ ଆଦି ସ୍ଥାନକୁ ଯିବାଦ୍ୱାରା ଶୁଭଫଳ ମିଳିଥାଏ । ଖାସ୍‌ ଏଥିପାଇଁ ଶ୍ରାବଣ ମାସରେ ଦେଶର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ଏଥିମଧ୍ୟରୁ ଅନେକ ପ୍ରାଚୀନ ମନ୍ଦିରର ରହସ୍ୟ କାରଣରୁ ଏଠାକୁ ଦେଶର କୋଣ ଅନୁକୋଣରୁ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି । ତେବେ ଗୁଜୁରାଟର ବଡୋଦରାରେ ଏଭଳି ଏକ ଶିବ ମନ୍ଦିର ରହିଛି ଯାହାର ବିଶେଷତ୍ୱ ହେଉଛି, ଭକ୍ତଙ୍କୁ ମାତ୍ର କିଛି ସମୟ ପାଇଁ ଦର୍ଶନ ଦେଇ ଏହି ମନ୍ଦିର ଉଭାନ ହୋଇଯାଇଥାଏ । ଅବଶ୍ୟ କିଛି ଘଣ୍ଟା ପରେ ପୁଣି ଥରେ ଦର୍ଶନ ଦେଇଥାନ୍ତି ମହାଦେବ । ଏହି ରୋମାଞ୍ଚକର ଘଟଣାକୁ ଦର୍ଶନ କରିବା ପାଇଁ ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ ।

ଭଗବାନ ଶିବଙ୍କର ଏହି ମନ୍ଦିର ସ୍ତମ୍ଭେଶ୍ୱର ମନ୍ଦିର ନାମରେ ପ୍ରସିଦ୍ଧ । ସମୁଦ୍ର ଗର୍ଭରେ ଏହା ଅବସ୍ଥିତ ହୋଇଥିବା ବେଳେ ଏହାକୁ ଶିବଙ୍କ ପୁତ୍ର କୁମାର କାର୍ତ୍ତିକେୟ ଏହାକୁ ସ୍ଥାପିତ କରିଥିଲେ ବୋଲି ମାନ୍ୟତା ରହିଛି । ତେବେ ସମୁଦ୍ର ମଧ୍ୟରେ ରହିଥିବା ଏହି ମନ୍ଦିର ଭକ୍ତଙ୍କୁ ଦର୍ଶନ ଦେଇ ପୁଣି ଥରେ ଗାଏବ ହୋଇଯାଆନ୍ତି । ତେବେ କିଛି ଘଣ୍ଟା ପରେ ଏହା ପୁଣି ଦେଖାଦେଇଥାନ୍ତି। ଏହି ଘଟଣାକୁ କେହି କେହି ପ୍ରଭୁଙ୍କ ଲୀଳା କହୁଥିବା ବେଳେ ଏହା ମନ୍ଦିରର ଏକ ବିରାଟ ରହସ୍ୟ ହୋଇ ରହିଛି ।

ତେବେ ପ୍ରକୃତରେ ସମୁଦ୍ରର ଜଳସ୍ତର ଦିନକୁ ୨ ଥର ବୃଦ୍ଧି ପାଉଥିବାର ଏମିତି ହୋଇଥାଏ । ସମୁଦ୍ରର ଜଳସ୍ତର ଏତେ ବଢିଯାଏ ଯେ, ଏହି ମନ୍ଦିର ପାଣି ଭିତରେ ଲୀନ ହୋଇଯାଏ । ତେବେ ସନ୍ଧ୍ୟାରେ ପୁଣି ଜଳସ୍ତର କମିବାରୁ ମନ୍ଦିର ଉପରକୁ ଦୃଶ୍ୟମାନ ହୋଇଥାଏ । ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଏପରି ଘଟଣା ଦେଖିବାକୁ ମିଳିଥାଏ । ତେବେ ପ୍ରତିଦିନ ସମୁଦ୍ରରେ ମନ୍ଦିର ବୁଡିବା ଏବଂ ଦୃଶ୍ୟମାନ ହେଉଥିବା ଘଟଣାକୁ ଭକ୍ତ ଅନେକ ରୂପ ଦେଇଛନ୍ତି । ସମୁଦ୍ର ପ୍ରତିଦିନ ଭଗବାନ ଶିବଙ୍କ ଅଭିଷେକ କରେ ବୋଲି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସ ରହିଛି।

mandir
Photo credit: NativePlanet

ସମୁଦ୍ରରେ ଯେବେ ଜଳସ୍ତର ବୃଦ୍ଧି ହୋଇଥାଏ, ସେହି ସମୟ ପାଇଁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଇ ଦିଆଯାଏ । ସ୍କନ୍ଧ ପୁରାଣ ଏବଂ ଶିବ ପୁରାଣର ରୁଦ୍ର ସଂହିତାରେ ସ୍ତମ୍ଭେଶ୍ୱର ତୀର୍ଥକୁ ନେଇ ଏକ କଥା ରହିଛି । କଠୋର ତପସ୍ୟା କରି ରାକ୍ଷସ ତାଡକାସୁର ଶିବଙ୍କ ନିକଟରୁ ବରପ୍ରାପ୍ତି କରିଥିଲେ ଯେ ତାଙ୍କ ବଦ୍ଧ କେବଳ ଶିବଙ୍କ ପୁତ୍ର ହିଁ କରିପାରିବେ । ଏହାପରେ ତାଡକାସୁରର ଉତ୍ପାତରୁ ଲୋକମାନଙ୍କୁ ମୁକ୍ତି ଦେବା ପାଇଁ କେବଳ ୬ ଦିନରେ ହିଁ କୁମାର କାର୍ତ୍ତିକେୟ ତାଡକାସୁରର ବଦ୍ଧ କରିଥିଲେ । ଏହାପରେ ସେହି ସ୍ଥାନରେ ଏହି ମନ୍ଦିର ନିର୍ମାଣ କରିଥିଲେ କାର୍ତ୍ତିକ । ତେବେ ଏହି ମନ୍ଦିରକୁ ୧୫୦ ବର୍ଷ ପୂର୍ବେ ସନ୍ଧାନ କରାଯାଇଥିଲା।

 

Also Read : ମାଆଙ୍କୁ ହତ୍ୟା କରି ପ୍ରାୟଶ୍ଚିତ ପାଇଁ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ଋଷି ଜମଦାଗ୍ନୀ, ଆପଣ ବି ଥରେ ଦର୍ଶନ କରନ୍ତୁ ଏହି ମନ୍ଦିର

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.