ଚଳିତ ବର୍ଷ ହାତୀ ବାହନରେ ଧରାବତରଣ କରିବେ ମା’ ଦୁର୍ଗା , ଜାଣନ୍ତୁ କଣ ଦେଉଛି ସଂକେତ

ପିତୃପକ୍ଷ ପରେ ଆରମ୍ଭ ହୋଇଯିବ ଶାରଦୀୟ ନବରାତ୍ର। ଆଶ୍ୱିନ ମାସ ଶୁକ୍ଲପକ୍ଷ ପ୍ରତିପଦା ୨୬ ସେପ୍ଟେମ୍ବର ସୋମବାର ଦିନ ନବରାତ୍ରି ପ୍ରାରମ୍ଭ ହେବ ଯାହା ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ନବରାତ୍ରୀ ସମୟରେ ମା ଦୁର୍ଗାଙ୍କର ନଅ ପ୍ରକାର ରୂପକୁ ପୂଜା କରାଯାଏ। ନବରାତ୍ରରେ ଦୁର୍ଗାଙ୍କ ପୂଜା ମନୋବାଞ୍ଛିତ ଫଳ ପ୍ରଦାନ କରିଥାଏ। ଜୀବନର ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ। ଚଳିତବର୍ଷ ସୋମବାର ନବରାତ୍ର ଆରମ୍ଭ ହେଉଛି। ମା ଦୁର୍ଗା ହାତୀ ବାହନରେ ଧରାବତରଣ କରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ନବରାତ୍ରୀ ରବିବାର କିମ୍ବା ସୋମବାରରୁ ଆରମ୍ଭ ହୁଏ ସେତେବେଳେ ମା ଦୁର୍ଗା ହାତୀ ବାହନରେ ଧରାବତରଣ କରିଥାନ୍ତି। ସେହିପରି ଯଦି ନବରାତ୍ରୀ ଗୁରୁବାର କିମ୍ବା ଶୁକ୍ରବାରରୁ ଆରମ୍ଭ ହୁଏ ତେବେ ମାତା ରାନୀ ପାଲିଙ୍କିରେ ଆସିଥାନ୍ତି। ଏଥି ସହିତ, ଯଦି ନବରାତ୍ରୀ ମଙ୍ଗଳବାର କିମ୍ବା ଶନିବାର ଠାରୁ ଆରମ୍ଭ ହୁଏ ତେବେ ମା ଘୋଡାରେ ଆସନ୍ତି ଓ ବୁଧବାର ନବରାତ୍ରି ପଡିଲେ ମା ଦୁର୍ଗା ନୌକାରେ ଆସନ୍ତି।

ଏକ ବିଶ୍ୱାସ ଅଛି ଯେ ଯେତେବେଳେ ମାତା ରାନୀ ନବରାତ୍ରିରେ ହାତୀ ବାହାନରେ ଆସନ୍ତି ବର୍ଷା ହେବାର ସମ୍ଭାବନା ବହୁତ ବଢିଯାଏ। ଏହି କାରଣରୁ ଫଳରେ ସବୁଜିମା ଭରିଯିବା ସହ ଧରା ଧନଧାନ୍ୟରେ ଭରି ହୋଇଯାଏ। ମା ହାତୀରେ ଆସିବା ଯୋଗୁ ଫସଲ ଭଲ ହୋଇଥାଏ। ଏଣୁ ମା ହାତୀରେ ଆସିଲେ ଅନ୍ନ-ଧନର ଭଣ୍ଡାର ଭରିଯାଏ ବୋଲି ମାନ୍ୟତା ରହିଛି। ମା ହାତୀ ଓ ନୌକାରେ ଆସିଲେ ସାଧକଙ୍କ ଲାଗି ମଙ୍ଗଳକାରୀ ମନେ କରାଯାଏ।

୪ଟି ନବରାତ୍ରୀ ମଧ୍ୟରୁ ଶାରଦୀୟ ନବରାତ୍ରୀକୁ ମୁଖ୍ୟ ନବରାତ୍ରୀ ଭାବରେ ବିବେଚନା କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶାରଦୀୟ ନବରାତ୍ରୀ ଶରତ ଋତୁରେ ଆଶ୍ୱିନ ଶୁକ୍ଳପକ୍ଷରୁ ଆରମ୍ଭ ହୋଇ ୯ଦିନ ପର୍ଯ୍ୟନ୍ତ ଚାଲିଥାଏ। ନବରାତ୍ରୀରେ କଳସ ସ୍ଥାପନର ଅତ୍ୟନ୍ତ ଗୁରୁତ୍ୱ ରହିଛି। କଳସ ସ୍ଥାପନ ବିନା ନବରାତ୍ରୀ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ନବରାତ୍ରୀକୁ ଘଟ ସ୍ଥାପନା ମଧ୍ୟ କୁହାଯାଏ। ଘଟ ସ୍ଥାପନା ଏକପ୍ରକାରର ଦେବୀ ମାତାଙ୍କର ଆହ୍ୱାନ ଅଟେ। କୁହାଯାଏ ଯେ ଭୁଲ ସମୟରେ ଘଟ ସ୍ଥାପନା କରିବା ଦ୍ୱାରା ମାତାଙ୍କର କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ପରିପ୍ରେକ୍ଷୀରେ , ଶୁଭ ସମୟରେ କଳସ ସ୍ଥାପନା କରିବା ଶୁଭ ଫଳାଫଳ ଦେଇଥାଏ।

ଲାଲ ରଙ୍ଗ ମାତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ସେଥିପାଇଁ ଆପଣଙ୍କୁ ମାତାଙ୍କର ସ୍ଥିତି ପାଇଁ ନାଲି ରଙ୍ଗର ଆସନ ଆଣିବା ଉଚିତ। ଏହା ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ଆପଣ କଳସ ସ୍ଥାପନା ପାଇଁ ମାଟିପାତ୍ର , ବାର୍ଲି , ମାଟି , ପାଣିରେ ପୂର୍ଣ୍ଣ କଳସ , ଲାଲି ସୂତା , ଅଳେଇଚ , ଲବଙ୍ଗ, କପୁର , ରୋଲି , ଗୋଟା ସୁପାରୀ , ଗୋଟା ଚାଉଳ , ଆମ୍ବ କିମ୍ବା ଅଶୋକ ପତ୍ର , ନଡ଼ିଆ , ଚୁନରି , ସିନ୍ଦୂର , ଫଳ ଫୁଲ ଏବଂ ଶ୍ରୁଙ୍ଗାର ଆଣନ୍ତୁ।

puja

ଏହିପରି ଭାବରେ କଳସ ସ୍ଥାପନ କରନ୍ତୁ:-

ନବରାତ୍ରୀ ଦିନ ଆପଣ ସକାଳୁ ଉଠି ସ୍ନାନ କରି , ପୂଜା ଘର ସଫା କରନ୍ତୁ।

ତାପରେ ମାଆଙ୍କ ସମ୍ମୁଖରେ ଅଖଣ୍ଡ ଦୀପ ଜଳାନ୍ତୁ ଏବଂ ମାଟି ପାତ୍ରରେ ମାଟି ଭର୍ତ୍ତି କରି ବାର୍ଲି ରଖନ୍ତୁ।

ଏବେ ତମ୍ବା ପାତ୍ରରେ ସ୍ୱସ୍ତିକ ଚିହ୍ନ ପ୍ରସ୍ତୁତ କରନ୍ତୁ ଏବଂ ଲାଲି ସୁତାକୁ ପାତ୍ର ଉପରେ ବାନ୍ଧନ୍ତୁ।

ବର୍ତ୍ତମାନ ଏଥିରେ ପାଣିରେ ଭରନ୍ତୁ ଏବଂ କିଛି ବୁନ୍ଦା ଗଙ୍ଗା ପାଣି , ତାପରେ ଦୁବ , ମୁଦ୍ରା , ସୁପାରୀ , ଅତର ଏବଂ ଅକ୍ଷତ ଢାଳନ୍ତୁ।

ତାପରେ କଳସରେ ଆମ୍ବ କିମ୍ବା ଅଶୋକ ପତ୍ର ଲଗାନ୍ତୁ।

ତାପରେ ନଡ଼ିଆକୁ ଏକ ଲାଲି କପଡ଼ାରେ ଗୁଡ଼ାଇ କଳସ ଉପରେ ରଖି ଦିଅନ୍ତୁ।

ତାପରେ କଳସକୁ ମାଟି ପାତ୍ର ଉପରେ ରଖିଦିଅନ୍ତୁ , ଯେଉଁଥିରେ ଆପଣ ବାର୍ଲି ବୁଣିଥିଲେ।

ତାପରେ ଆପଣ ମାତାଙ୍କର ନଅଟି ବ୍ରତ ରଖିବାକୁ ପ୍ରତିଜ୍ଞା କରନ୍ତୁ।

Leave A Reply

Your email address will not be published.