କଳାହାଣ୍ଡିର ଦେବୀ ମା’ ମାଣିକେଶ୍ଵରୀଙ୍କ ପୂଜା ଅତି ନିଆରା: ପ୍ରତିବର୍ଷ ଆୟୋଜିତ ହୁଏ ପ୍ରସିଦ୍ଧ ଛତର ଯାତ୍ରା, ମା’ଙ୍କ ସହ ମନ୍ଦିରକୁ ଯାଆନ୍ତି ପାରା

ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବହୁତ୍ ପୁରୁଣା ଓ ଗଭୀର। ଏହାର ଅନେକ କିମ୍ବଦନ୍ତୀ ରହିଛି, ଯାହାକି ଦେଶର କୋଣ ଅନୁକୋଣରୁ ଅନେକ ଲୋକଙ୍କୁ ଏହାର କଳା, କୀର୍ତ୍ତି ଓ ସଂସ୍କୃତି ପ୍ରତି ଆକର୍ଷିତ କରିଥାଏ। ୧୨ ମାସରେ ତେର ପର୍ବ ପୁଣି ଆୟୋଜନ ହୁଏ ଅନେକ ଯାନିଯାତ୍ରା। ତେବେ ଆପଣ ଜାଣିଥିବେ କଳାହାଣ୍ଡି ଜିଲ୍ଲା ହେଉଛି ଆଦିବାସୀ ବହୁଳ ଜିଲ୍ଲା। ଆଦିବାସୀଙ୍କ ଆଶା, ବିଶ୍ୱାସ ଓ ସଂସ୍କୃତିକୁ ନେଇ ରହିଛି ବହୁ କିମ୍ବଦନ୍ତୀ। ଆଦିବାସୀ ପରମ୍ପରାର ଏକ ଉଦାହରଣ ହେଉଛି ପ୍ରସିଦ୍ଧ ଛତର ଯାତ୍ରା।

ସମଗ୍ର ରାଜ୍ୟରେ ଗୋଟିଏ ପଟେ ଦଶହରା ଅବସରରେ ଶାରଦୀୟ ଦୁର୍ଗା ପୂଜା ଚାଲିଥିବା ବେଳେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୂଜା ଅତି ନିଆରା। ଶାକ୍ତ ଭୂମି କଳାହାଣ୍ଡି ଜିଲ୍ଲାରେ ମା’ ମାଣିକେଶ୍ୱରୀଙ୍କ ପୂଜା, ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ର ରେ ପୂଜାପାଇ ଥାନ୍ତି। ଏମିତିକି ୧୨ ମାସରେ ୧୩ ପର୍ବ ମଧ୍ୟରୁ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନ୍ୟତମ।
ଶ୍ରଦ୍ଧାଳୁ ବର୍ଷ ତମାମ ମା’ ମାଣିକେଶ୍ୱରୀଙ୍କୁ ମନ୍ଦିରର ଗର୍ଭଗୃହ ମଧ୍ୟରେ ଦର୍ଶନ ଲାଭ କରିଆସୁଥିବା ବେଳେ ଛତର ଯାତ୍ରାରେ ମା’ ମାଣିକେଶ୍ୱରୀ ଭକ୍ତଙ୍କୁ ରାଜପଥ ବିଜେ କରି ଚାଲି ଚାଲି ଦର୍ଶନ ଦେଉଥିବା ଏକ ନିଆରା ଯାତ୍ରା ଛତ୍ରର ଯାତ୍ରା।

Maa Manikeswari para
Picture credit – knewsodisha

କେଉଁ ଆବାହମାନ କାଳରୁ କଳାହାଣ୍ଡି ନାଗବଂଶୀୟ ରାଜା ମା’ ମାଣିକେଶ୍ୱରୀଙ୍କୁ ସ୍ଥାପନ କରିଥିଲେ। ଇତିହାସ କହେ ଶତ୍ରୁ କବଳରୁ ସବୁ ବେଳେ ମା’ ମାଣିକେଶ୍ୱରୀ ବଞ୍ଚେଇ ଥାନ୍ତି। ତାଙ୍କ ଅପାର କୃପାରୁ ମହାରାଜ ଯୁଦ୍ଧ ବିଜୟ ଲାଭ କରିଥିଲେ। ମା’ ମାଣିକେଶ୍ୱରୀଙ୍କୁ ଭବାନୀପାଟଣା ପଶ୍ଚିମ ଦ୍ଵାର ଦେଶରେ ଥିବା ଫାଶି ଡଙ୍ଗର ନିକଟ ଜେନା ଖାଲରେ ମହାଅଷ୍ଟମୀ ମଧ୍ୟ ରାତ୍ରରେ ଗୁପ୍ତ ରୀତି ଅନୁସାରେ ଷୋଡ଼ଶ ଉପଚାରରେ ପୂଜାକରି ମହାନବମୀ ପ୍ରାତଃ କାଳରେ ମାଙ୍କ ଉଦେଶ୍ୟରେ ତାଙ୍କ ପ୍ରତ୍ୟକ ଚାଲିବା ପାଦ ଦେଶରେ ସେବାୟତ ଓ ମାନସିକ ଧରି ବଳି ଚଡାଉ ଥିଲେ ।

ଅଦ୍ୟାବଧି ସେହି ପ୍ରଥା ଚାଲି ଆସୁଛି। ମା’ ମାଣିକେଶ୍ୱରୀଙ୍କ ମନ୍ଦିର ଭିତରେ ମହାକାଳ ଭୈରବ ରହିଛନ୍ତି। ମା’ ମାଣିକେଶ୍ୱରୀଙ୍କ ମନ୍ଦିର ଭିତରେ ମହାକାଳ ଭୈରବଙ୍କୁ ପଶୁ ବଳି ଦେଇ ଗୁପ୍ତ ରୀତି ନୀତିରେ ପୂଜା ପରେ ମହାଷ୍ଟମୀ ମଧ୍ୟ ରାତ୍ରରେ ମନ୍ଦିର ସେବାୟତ, ଜେନା, ଯାନୀ, ସୁଆର, ମୁଣ୍ଡଛେନା, ଆଦି ମା’ ମାଣିକେଶ୍ୱରୀଙ୍କୁ ଫାଶୀ ଡଙ୍ଗର ଜେନା ଖାଲକୁ ନେଇ ଥାଆନ୍ତି ।ସେଠାରେ ପୁଣି ମାଆଙ୍କ ପୂଜା କରି ପରେ ମହାଷ୍ଟମୀ ଓ ମହାନବମୀ ମଧ୍ୟରେ ମା’ ଙ୍କ ପ୍ରତୀକ ସ୍ୱରୂପ ଛତରକୁ କଳାହାଣ୍ଡିର ବିର ବାଦ୍ୟ ଘୁମୁରାର ତାଳେ ତାଳେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ମାନସିକଧାରୀମାନେ ମା’ଙ୍କ ଉଦେଶ୍ୟରେ ମାନସିକ ପୁରା ହେବାପରେ ପୂଜା କରି ନୈବେଦ୍ୟ ଧୂପ, ଦ୍ୱୀପ ଜାଳି ଦର୍ଶନ କରିଥାନ୍ତି। ମା’ ମାଣିକେଶ୍ୱରୀଙ୍କ ଜେନା ଖାଲ ଠାରୁ ମନ୍ଦିର ପ୍ରାୟ ୪ କିଲୋମିଟର ବାଟ ଚାଲି ଚାଲି ରାଜ ରାସ୍ତାରେ ସେବାୟତ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ବିଜେ କରି ମହାନବମୀ ମଧ୍ୟରେ ମଂଦିରକୁ ପ୍ରବେଶ କରିଥାନ୍ତି। ବିଭିନ୍ନ ବେଶ ଭୁଷାରେ ସେବାୟତ , କଳାହାଣ୍ଡିର ବିର ବାଦ୍ୟ ଘୁମୁରା , ଢୋଲ, ନିଶାନ, ଘଣ୍ଟ , ଘଣ୍ଟା, ମାଦଳ ଶଙ୍ଖ ନେଇ ଥାନ୍ତି। ମନ୍ଦିର ନିକଟରେ କଳାହାଣ୍ଡି ମହାରାଜ ମା’ଙ୍କ ପ୍ରତୀକ ସ୍ୱରୁପ ଛତରକୁ ପାଛୋଟି ନେବା ପାଇଁ ଜଗି ରହିଥାନ୍ତି। ମାଙ୍କ ଚ୍ଛତର ମନ୍ଦିର ନିକଟକୁ ପହଁଚିବା ପରେ ନାଗବଂଶୀୟ ମହାରାଜ ମାଙ୍କ ପ୍ରତୀକ ସ୍ୱରୁପ ଛତରକୁ ପାଛୋଟି ନେଇ ଗୁପ୍ତ ରୀତି ନୀତିରେ ତନ୍ତ୍ର, ମନ୍ତ୍ର , ଏବଂ ଯନ୍ତ୍ରରେ ପୂଜା କରିଥାନ୍ତି ।

ଏହି ଛତର ଯାତ୍ରା ଦିନ କେବଳ ଯେ କଳାହାଣ୍ଡି ଜିଲ୍ଲାର ଲୋକେ ଦର୍ଶନ କରିଥାନ୍ତି ତାହା ନୁହେଁ, ରାଜ୍ୟ ତଥା ରାଜ୍ୟ ବାହାରୁ ଦେଶ ତଥା ଦେଶ ବାହାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଲାଗି ରହିଥାଏ ଏହି ଛତର ଦେଖିବା ପାଇଁ। ମାଙ୍କ ପ୍ରତି ସମସ୍ତଙ୍କ ଅଗାଢ଼ ବିଶ୍ୱାସ ରହିଛି। ମା’ ମାଣିକେଶ୍ଵରୀଙ୍କ କୃପାରୁ କଳାହାଣ୍ଡି ଜିଲ୍ଲାରେ ଭଲ ଫସଲ ଅମଳ ହେବା ସହ ଏଠାକାର ଅଧିବାସୀଙ୍କୁ ରୋଗ ବ୍ୟାଧିରୁ ମା’ ଘଣ୍ଟ ଘୋଡେଇ ରହିଛନ୍ତି ବୋଲି ସମସ୍ତଙ୍କ ବିଶ୍ବାସ ରହିଛି। ଏଠାରେ ଆହୁରି ଗୋଟିଏ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ମଧ୍ୟ ଦେଖାଯାଏ।

ମାନସିକଧାରୀମାନେ ମାଙ୍କ ଉଦେଶ୍ୟରେ ସାନ୍ତିର ପ୍ରତୀକ ପାରାକୁ ମା’ ମାଣିକେଶ୍ୱରୀଙ୍କ ପ୍ରତୀକ ସ୍ୱରୂପ ଛତର ଉପରକୁ ଉଡେଇ ଥାନ୍ତି ଏବଂ ସେହି ପାରମାନେ ମଧ୍ୟ କୁଆଡେ ଉଡି ନଯାଇ ମାଙ୍କ ପ୍ରତୀକ ଛତର ଉପରେ ଉଡି ଉଡି ଯାଇ ଜୀବନକୁ ଧନ୍ୟ ମନେକରି ଘୁମୁରି ଘୁମୁରି ମନ୍ଦିରକୁ ମାଙ୍କ ପ୍ରତୀକ ଛତର ଉପରେ ବସି ଯାତ୍ରା କରିଥାନ୍ତି । ଏଭଳି ନିଆରା ଦୃଶ୍ୟ ମା’ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମାର ପ୍ରତ୍ୟକ୍ଷ ଓ ଦିବ୍ୟ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଧନ୍ୟ ମନେ କରୁଥିବା ବେଳେ ମାଣିକେଶ୍ୱରୀଙ୍କ ସଂସ୍କୃତି ପରମ୍ପରାକୁ ଉଦଯିବିତ କରିଥାଏ।
ତେବେ ଏହା ହେଉଛି କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀଙ୍କ ଏକ ନିଆରା ପରମ୍ପରା। ଯାହାକୁ ଦେଖିବା ପାଇଁ ଲାଗେ ଅନେକ ଭକ୍ତଙ୍କ ଭିଡ।

Leave A Reply

Your email address will not be published.