ରାଷ୍ଟ୍ରପତିଙ୍କ ଅଭିବାଦନ ବେଳେ ‘ମହାମହିମ’ ଶବ୍ଦକୁ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ, ଜାଣନ୍ତୁ କାରଣ

ଭାରତୀୟ ଜନତା ପାର୍ଟିର ନେତୃତ୍ୱାଧୀନ ଏନ୍‌ଡିଏର ରାଷ୍ଟ୍ରପତି ପଦର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି। ଏବେ ସେ ଦେଶର ୧୫ ତମ ରାଷ୍ଟ୍ରପତି ବନିଯାଇଛନ୍ତି। ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ତାଙ୍କୁ ଚାରି ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କ ବିଜୟରେ ଗୋଟେ ପଟେ ବିଜେପି ପକ୍ଷରୁ ସାରା ଦେଶରେ ଉତ୍ସବ ପାଳନ କରାଯାଉଥିବା ବେଳେ ଅନ୍ୟପଟେ ତାଙ୍କ ଗାଁରେ ମଧ୍ୟ ଖୁସିର ମାହୋଲ୍ଲ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳର ନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପହଞ୍ଚି ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ତେବେ ପ୍ରାୟତଃ ଦେଖାଯାଏ ଯେ ଲୋକମାନେ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇବା ବେଳେ ‘ମହାମହିମ’ କିମ୍ବା ‘ହିଜ୍‌ ଏକ୍ସିଲେନ୍ସି’ (His Excellency) ଶବ୍ଦ ବ୍ୟବହାର କରିଥାନ୍ତି। କିନ୍ତୁ ବୋଧେ କମ୍‌ ଲୋକ ଜାଣିଥିବେ ଯେ ରାଷ୍ଟ୍ରପତିଙ୍କୁ ଅଭିବାଦନ ବେଳେ ଏସବୁ ଶବ୍ଦ ବ୍ୟବହାର କରିବା ଉପରେ ରୋକ୍‌ ଲଗାଯାଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତିଙ୍କୁ ଅଭିବାଦନରେ ଏସବୁ ଶବ୍ଦ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ରାଷ୍ଟ୍ରପତି ପଦରେ ଥିବା ବେଳେ ପ୍ରଣବ ମୁଖାର୍ଜୀ ତାଙ୍କ ଅଭିବାଦନ ବେଳେ ଏହି ଦୁଇଟି ଶବ୍ଦ ‘ହିଜ୍‌ ଏକ୍ସିଲେନ୍ସି’ ଓ ‘ମହାମହିମ’ର ବ୍ୟବହାର ଉପରେ ରୋକ୍‌ ଲଗାଇଥିଲେ। ଏହା ପୂର୍ବରୁ ପ୍ରୋଟୋକଲ ଅନୁସାରେ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅଭିବାଦନ ପୂର୍ବରୁ ତାଙ୍କ ନାଁ ଆଗରେ ‘ହିଜ୍‌ ଏକ୍ସିଲେନ୍ସି’ କିମ୍ବା ‘ମହାମହିମ’ ଭଳି ଶବ୍ଦ ବ୍ୟବହାରର ପ୍ରଥା ଚାଲି ଆସିଥିଲା। ୨୦୧୨ ମସିହା ଅକ୍ଟୋବର ମାସରେ ପ୍ରଣବ ମୁଖାର୍ଜୀ ଏହି ପ୍ରଥା ଉପରେ ରୋକ୍‌ ଲଗାଇଥିଲେ। ସେ ଏହି ଶବ୍ଦକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଣବ ମୁଖାର୍ଜୀ ‘ହିଜ୍‌ ଏକ୍ସିଲେନ୍ସି’ ଓ ‘ମହାମହିମ’ ଭଳି ଶବ୍ଦ ପରିବର୍ତ୍ତେ ‘ରାଷ୍ଟ୍ରପତି ମହୋଦୟ’ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ସେ ରାଷ୍ଟ୍ରପତିଙ୍କ ଅଭିବାଦନ ପୂର୍ବରୁ ପରମ୍ପରା ମୁତାବକ ଭାରତୀୟ ଅଭିବାଦନ ଶ୍ରୀ କିମ୍ବା ଶ୍ରୀମତୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ପ୍ରଣବ ମୁଖାର୍ଜୀ ଏକ୍ସିଲେନ୍ସି ଭଳି ଶବ୍ଦକୁ କେବଳ ବିଦେଶୀ ଅତିଥିଙ୍କୁ ଔପଚାରିକ ସାକ୍ଷାତ ବେଳେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥିଲେ।

Also Read: ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌, ସେୟାର କଲେ ଦେହରେ ସୂତା ଖିଅଟିଏ ବି ନ ଥିବା ଫଟୋ

Leave A Reply

Your email address will not be published.