ଅଧାଗଢ଼ା ମନ୍ଦିର ଓ ଜଳ ମହାଦେବଙ୍କ କିମ୍ବଦନ୍ତୀ, ନିଷ୍ଠା ଓ ଭକ୍ତି ନଥିଲେ ସ୍ପର୍ଶ କରି ପାରିବେନି ପ୍ରଭୁଙ୍କୁ

ଶମ୍ଭୁବାବାଙ୍କ ଲୀଳା ବଡ଼ ବିଚିତ୍ର। କେତେବେଳେ ସେ କେଉଁଠାରେ ଆବିର୍ଭୂତ ହୋଇଛନ୍ତି ତାହା ଜାଣିବା ବି କଷ୍ଟକର। ତେବେ ଏସବୁ ପୀଠମାନଙ୍କ ଭିତରୁ କିଛି ଲୋକଲୋଚନକୁ ଆସିଥିବା ବେଳେ ଅନ୍ୟ କିଛି ଅବହେଳତି ଅବସ୍ଥାରେ ରହିଛି। ହେଲେ ବାବାଙ୍କର କୃପା ଲୋକମାନଙ୍କୁ ସେଠାକୁ ଟାଣି ନେଉଛି। ଦୃଢ଼ ବିଶ୍ୱାସ ବଳରେ ଲୋକଙ୍କ ମାନସିକ ପୂରଣ ହେଉଥିବାରୁ ସେଠାକୁ ଯିବା ପାଇଁ ସବୁ ବାଧା ବିଘ୍ନକୁ ଅତିକ୍ରମ କରି ଚାଲି ଯାନ୍ତି।

ଆଜି ଆମେ ସେଭଳି ଏକ ପୀଠ ସମ୍ପର୍କରେ କହିବୁ। ଯାହା ରହିଛି ସୁଦୂର ବଲାଙ୍ଗିର ଜିଲ୍ଲାରେ । ଜିଲ୍ଲାର ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ରହିଛି ବାବାଙ୍କର ଏକ ପ୍ରସିଦ୍ଧ ଶୈବପୀଠ। ହରିଶଙ୍କର ମନ୍ଦିରରୁ ମାତ୍ର ୬ କିଲୋମିଟର ଦୂର ତଥା କନ୍ଦରାଭଟା ଗାଁଠାରୁ ୧ କିଲୋମିଟର ଦୂରରେ ରହିଛି ତ୍ରିଲିଙ୍ଗେଶ୍ୱର ଶିବ ମନ୍ଦିର। ଏହି ମନ୍ଦିର ଯେତିକି ସୁନ୍ଦର ତାର ପ୍ରାକୃତିକ ପରିବେଶ ଆହୁରି ମନୋରମ। ବାବାଙ୍କ ପ୍ରତି ଭକ୍ତି ଏବଂ ଏହି ସୁନ୍ଦର ପରିବେଶ ଲୋକଙ୍କୁ ନିଜ ଆଡକୁ ଟାଣିନିଏ।

ଏହି ତ୍ରିଲିଙ୍ଗେଶ୍ୱର ଶିବ ମନ୍ଦିର ଠାରୁ ପାହାଡ଼ ଜଙ୍ଗଲ ରାସ୍ତାରେ ଗଲାପରେ ଦେଖିବାକୁ ମିଳିଥାଏ ଜଳ ମହାଦେବଙ୍କ ପୀଠ l ଏଠାରେ କିନ୍ତୁ କୌଣସି ମନ୍ଦିର ନାହିଁ । ଝରଣା ମଧ୍ୟରେ ରହିଛନ୍ତି ଏହି ଶିବ ଲିଙ୍ଗ । ଯାହାକୁ କେବଳ ସ୍ପର୍ଶ କରି ଅନୁଭବ କରିହେବ।

ଏହି ଜଳ ମହାଦେବଙ୍କ ବିଷୟରେ ଅନେକ କିମ୍ବଦନ୍ତୀ ଏବଂ ଲୋକକଥା ରହି ଆସିଛି । ଏହା ଏକ ବୌଦ୍ଧ କ୍ଷେତ୍ର ବୋଲି ଗବେଷକମାନେ ମତ ଦେଇଥାନ୍ତି । ଏହି ଜଳ ମହାଦେବଙ୍କ ନିକଟରେ କେବଳ ପର୍ବ ପାଳନ କରାଯାଉଥିବା ଦିନମାନଙ୍କରେ ପୂଜାର୍ଚ୍ଚନା କରାଯାଏ । ତେବେ ଜଳମହାଦେବଙ୍କ ପ୍ରତିକାତ୍ମକ ଭାବରେ ତିଆରି କରାଯାଇଥିବା ତ୍ରିଲିଙ୍ଗେଶ୍ୱର ମନ୍ଦିରରେ ସମସ୍ତ ପର୍ବପର୍ବାଣି ପାଳନ କରାଯାଇଥାଏ ।

ଜଳ ମହାଦେବଙ୍କ ବିଷୟରେ ସେମିତି କିଛି ଲିଖିତ କିମ୍ବଦନ୍ତୀ ନାହିଁ । ତେବେ ଲୋକକଥା ଅନୁସାରେ ପ୍ରବଳ ଭୋଇଙ୍କ ପୂର୍ବଜମାନେ ଜଙ୍ଗଲକୁ କନ୍ଦା ଖୋଳିବାକୁ ଯାଇଥିଲେ । ସେତିକି ବେଳେ ଗୋଟିଏ ଜାଗାରେ ଜଣେ ମହାପୁରୁଷଙ୍କ ସହିତ ଦେଖା ହୋଇଥିଲା। ବାରମ୍ବାର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଜଣେ ମହାପୁରୁଷଙ୍କ ସହ ଦେଖା ହେବା ଘଟଣା ତାଙ୍କୁ ଆଶ୍ଚର୍ଯ୍ଯ କରୁଥିଲା । ହେଲେ ସେ ସାହସ କରି ପଚାରି ପାରୁନଥିଲେ । ଭକ୍ତର ମନକଥା ଜାଣି ଭଗବାନ ଶିବ ତାଙ୍କର ଉପସ୍ଥିତି ବିଷୟରେ ସ୍ୱପ୍ନାଦେଶରେ କହିଥିଲେ । ତା ପରଦିନ ସକାଳୁ ଗାଁ ଲୋକଙ୍କ ସହିତ ଯାଇ ଏକ ଗାତ ମଧ୍ୟରେ ଭଗବାନ ଶିବଙ୍କ ଉପସ୍ଥିତିକୁ ଲିଙ୍ଗ ଆକାରରେ ଅନୁଭବ କରିଥିଲେ ଭୋଇ ବଂଶଜ। ସେହି ଦିନରୁ ସେଠାରେ କନ୍ଧମାନେ ପ୍ରଭୁଙ୍କୁ ପୂଜା କରି ଆସୁଛନ୍ତି । ଆଉ ବିଶେଷ କଥା ହେଉଛି, ଝରଣା ପାଣି ଭିତରେ ଥିବା ଏହି ଶିବଲିଙ୍ଗକୁ ସ୍ପର୍ଶ କରିବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ । କୁହାଯାଏ କି ମନରେ ଭକ୍ତି ନଥିଲେ ସ୍ପର୍ଶ କରିବାକୁ ଚାହିଁଲେ ମଧ୍ୟ ଆପଣ ଶିବଲିଙ୍ଗକୁ ଅନୁଭବ କରି ପାରିବେ ନାର୍ହିଁ।

ପାହାଡ଼ିଆ ରାସ୍ତାରେ ୧ କିଲୋମିଟର ଯାଇ ପ୍ରଭୁଙ୍କୁ ଦର୍ଶନ କରିବା ସବୁଭକ୍ତଙ୍କ ପାଇଁ ସହଜ ହେଉନଥିଲା । ଏଣୁ ସତୁରୀ ଦଶକରେ ଶ୍ୟାମସୁନ୍ଦର ଦାସ ନାମକ ଜଣେ ସନ୍ଯାସୀ ପ୍ରତୀକାତ୍ମକ ଭାବରେ ଏକ ମନ୍ଦିର ତିଆରି କରିବା ପାଇଁ ମନସ୍ଥ କଲେ ଓ ମନ୍ଦିର କାର୍ଯ୍ଯ ଆରମ୍ଭ କରିଥିଲେ। ପାହାଡର ପାଦଦେଶରେ ଏହି ମନ୍ଦିର କାର୍ଯ୍ଯ ଅଧା ହୋଇଥିବା ବେଳେ ଶ୍ଯାମ ସୁନ୍ଦର ବାବାଙ୍କର ସାପ କାମୁଡ଼ାରେ ମୃତ୍ୟୁ ହେଲା । ସେହି ଦିନରୁ ମନ୍ଦିର ସେମିତି ଅଧାରେ ପଡି ରହିଥିଲା। ୨୦୧୦ ମସିହାରେ ପୂର୍ବତନ ପାଟଣା ଷ୍ଟେଟର ପଟାୟତ ମହାରାଜ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅନଙ୍ଗ ଉଦୟ ସିଂଦେଓ ମନ୍ଦିର କାର୍ଯ୍ଯ ସମ୍ପୂର୍ଣ କରିବା ସହିତ ଏଠାରେ ତ୍ରିଲିଙ୍ଗେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ ।

ବିଶ୍ୱାସ ରହିଛି ଯେ ଏହି ଜଳ ମହାଦେବ ପୀଠକୁ ଆସି ଯେକୌଣସି ମାନସିକ କଲେ ତାହା ପୂର୍ଣ୍ଣ ହୁଏ । ଏଣୁ ଏଠାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଜଳ ମହାଦେବ ଏକ ପୁରାତନ ଶୈବ ପୀଠ । ଏଣୁ ଏହି ପୀଠକୁ ପର୍ଯ୍ଯଟନ ସ୍ଥଳୀର ମାନ୍ଯତା ଦେବା ସହିତ ରାସ୍ତାଘାଟ, ଯାତ୍ରୀ ନିବାସ, ବିଦ୍ୟୁତ ଓ ପାନୀୟ ଜଳର ସୁବନ୍ଦୋବସ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ତେବେ ପ୍ରଭୁଙ୍କ ମହିମା ଏବେବି ହଜାର ହଜାର ଲୋକଙ୍କୁ ଟାଣି ଆଣୁଛି ତାଙ୍କ ପାଖକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.