UAEର ଦୁଇ ଖେଳାଳି ଭାରତୀୟ ବୁକିଙ୍କଠାରୁ ନେଇଥିଲେ ୪୦୮୩ ଡଲାର୍‌! ୮ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୟୁଏଇର ଦୁଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମଦଙ୍କ ଉପରେ ୮ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଆମିର ଓ ଅଶଫାକ ଦୁହେଁ ଭାରତୀୟ ବୁକିଙ୍କ ସହ ମିଶି ନିଜ ଦେଶରେ ଟି୨୦ ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡରେ ମ୍ୟାଚ୍‌ ଫିକ୍ସ କରିବାକୁ ପ୍ରୟାସ କରିଥିଲେ। ଏ ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ଗୁରୁବାର ସେମାନଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଆଇସିସିର Anti-Corruption Tribunal ପାକିସ୍ତାନରେ ଜନ୍ମିତ ଏହି ଦୁଇ କ୍ରିକେଟରଙ୍କୁ ୧୩ ସେପ୍ଟେମ୍ବର ୨୦୨୦ରେ ଦୋଷାରୋପ କରିଥିଲା ଏବଂ ସେମାନଙ୍କ ଦଣ୍ଡ ସେହିଦିନଠାରୁ ହିଁ ଲାଗୁ ହେବ। ଆଇସିସି ତରଫରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ମୁତାବକ, ଦୁଇଜଣଙ୍କ ଉପରେ ଭ୍ରଷ୍ଟାଚାର ନିରୋଧୀ ସଂହିତାର ଅନୁଚ୍ଛେଦ ୨.୧.୩, ୨.୪.୨, ୨.୪.୩, ୨.୪.୪ ଏବଂ ୨.୪.୫କୁ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ରହିଛି।

ବିଜ୍ଞପ୍ତିରେ ଆଇସିସି ଏହା କହିଛି ଯେ ‘ଏହି ପ୍ରତିବନ୍ଧକ ୧୩ ସେପ୍ଟେମ୍ବର ୨୦୨୦ରୁ ଲାଗୁ ହେବ, ଯେବେ ସେମାନଙ୍କୁ ୟୁଏଇରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ କ୍ୱାଲିଫାୟର ୨୦୧୯ ସହ ଜଡ଼ିତ ଭ୍ରଷ୍ଟ ଆଚରଣ ପାଇଁ ଅସ୍ଥାୟୀ ରୂପେ ନିଲମ୍ବିତ କରାଯାଇଥିଲା’। ଏହି ଦୁଇ କ୍ରିକେଟର ଭାରତୀୟ ବୁକିଙ୍କଠାରୁ ୟୁଏଇର ୧୫,୦୦୦ ଡିରହମ୍‌ ଅର୍ଥାତ୍‌ ପାଖାପାଖି ୪୦୮୩ ଡଲାର ନେଇଛନ୍ତି। ଆଇସିସିର ଚାର୍ଜଶିଟ୍‌ରେ ଏହି ବୁକିଙ୍କୁ ‘ମିଷ୍ଟର ଓ୍ଵାଇ’ ରୂପେ ଚିହ୍ନଟ କରାଯାଇଛି। ତେବେ ହୟାତ୍‌ ଜଣେ ଦ୍ରୁତ ବୋଲର ହୋଇଥିବା ବେଳେ ଅଶଫାକ ଜଣେ ବ୍ୟାଟ୍ସମ୍ୟାନ।

ସୂଚନାଥାଉ କି, ଆମିର ୟୁଏଇ ପାଇଁ ୧୩ ଧଳା ବଲ୍‌ ମ୍ୟାଚ୍‌ ଖେଳିଛନ୍ତି ଏବଂ ମିଡିୟମ ପେସ୍‌ ବୋଲିଂ କରି ୧୭ ଓ୍ଵିକେଟ ହାସଲ କରିଛନ୍ତି। ସେହିପରି ଡାହାଣ ହାତୀ ବ୍ୟାଟ୍ସମ୍ୟାନ ଅଶଫାକ ୟୁଏଇ ପାଇଁ ୨୮ ଧଳା ବଲ୍‌ ମ୍ୟାଚ ଖେଳିଛନ୍ତି।

Leave A Reply

Your email address will not be published.