ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦, ସିରିଜ ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେଉଥିବା ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ୫ ଓ୍ଵିକେଟରେ ଜିତିସାରିଛି। ଆଜି ରୋହିତଙ୍କ ବାହିନୀ ସିରିଜ ଉପରେ କବ୍‌ଜା କରିବା ପାଇଁ ମଇଦାନକୁ ଓହ୍ଲାଇବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ପ୍ରଥମ ବିଜୟ ହାସଲ କରିବା ସହ ଶୃଙ୍ଖଳା ବଞ୍ଚାଇବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏବଂ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ନିଜ ପ୍ରଥମ ମ୍ୟାଚ୍‌କୁ ଜିତି ସଫଳ ଆରମ୍ଭ କରିଛନ୍ତି।

ରାଞ୍ଚି ଜିଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ କାକରର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ। ରାତି ୮ଟା ପରେ ଅଧିକ କାକର ପଡୁଥିବାରୁ ଦ୍ୱିତୀୟ ଇନିଂସ ଖେଳିବା ଟିମ୍‌ ଉପରେ ବେଶ ପ୍ରଭାବ ପଡିବ।

ବୁଧବାର ରାଜସ୍ଥାନର ଜୟପୁରରେ ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି-୨୦ରେ ଶୀର୍ଷକ୍ରମର ଚମତ୍କାର ପ୍ରଦର୍ଶନ ସହ ଡେଥ୍ ଓଭରଗୁଡ଼ିକରେ ବୋଲରଙ୍କ ନିୟନ୍ତ୍ରଣଭରା ବୋଲିଂ ପାଇଁ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ତା ସହ ସବୁ ଫର୍ମାଟ୍‌କୁ ମିଶାଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ୭ ପରାଜୟବରଣ ଧାରାକୁ ବି ଭାଙ୍ଗିଥିଲା। ଆଜି ମଧ୍ୟ ଟିମ୍‌ ଇଣ୍ଡିଆ ଅପରିବର୍ତ୍ତିତ ଦଳ ସହ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ଅଧିକ।

ସମ୍ଭାବ୍ୟ ଭାରତ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ/ୟୁଝବେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ଦୀପକ ଚହର, ମହମ୍ମଦ ସିରାଜ, ଭୁବନେଶ୍ବର କୁମାର।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ମାର୍କ ଚାପମ୍ୟାନ୍, ‌ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଟିମ୍ ସାଉଦି, ଟ୍ରେଣ୍ଟ୍‌ ବୋଲ୍ଟ, ଲୋକି ଫର୍ଗୁସନ୍/ଆଦାମ ମିଲ୍‌ନେ, ଈଶ୍ ସୋଢି/ ଟଡ୍‌ ଆସ୍‌ଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.