ଆଉ ଏକ ଶୋଚନୀୟ ପରାଜୟ ଅପେକ୍ଷାରେ ଦକ୍ଷିଣ ଆଫ୍ରିକା, ଭାରତ ୩-୦ରେ ପୋଛି ନେବ ସିରିଜ୍‌

ରାଞ୍ଚି : ଆଉଥରେ ଫଲୋଅନ୍‌, ଆଉଥରେ ଇନିଂସ୍‌ ପରାଜୟ । ଏଭଳି ସ୍ଥିତିରେ ଅଛି ଦକ୍ଷିଣ ଆଫ୍ରିକା ଦଳ । ଆସନ୍ତାକାଲି ଚତୁର୍ଥ ଦିବସରେ ଆଉ ୨ଟି ଓ୍ଵିକେଟ୍‌ ନେଲେ ଭାରତ ସିରିଜ୍‌ ପୋଛି ନେବ । ଆଜି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ତାର ଦ୍ୱିତୀୟ ଇନିଂସ୍‌ରେ ୮ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଛି । ଏବେବି ଦଳ ଭାରତର ପ୍ରଥମ ପାଳି ସ୍କୋର ୪୯୭ ରନ୍‌ ଠାରୁ ୨୦୩ ରନ୍‌ ପଛରେ ରହିଛି ।

INDIA TEAM_2

ପ୍ରଥମ ପାଳିରେ ୧୬୨ ରନ୍‌ କରି ଅଲ୍‌ଆଉଟ୍‌ ହେବା ପରେ ଦ୍ୱିତୀୟ ଇନିଂସ୍‌ରେ ଆହୁରି ଶୋଚନୀୟ ଖେଳ ଦେଖାଇଥିଲା ଭ୍ରମଣକାରୀ ଦଳ । ୫ ରନ୍‌ରୁ ଓ୍ଵିକେଟ୍‌ ପତନ ଆରମ୍ଭ ହୋଇଥିଲା ଏବଂ ଲଗାତର ଭାବେ ପଡ଼ି ଚାଲିଥିଲା । ତା ସାଙ୍ଗକୁ ଭଲ ଖେଳି ଆସୁଥିବା ଓପ୍ନର ଏଲଗାର ଆହତ ହୋଇ ଆଉ ଖେଳିବାକୁ ଆସି ପାରିନଥିଲେ । ସେହିପରି ପ୍ରମୁଖ ଭାଗ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା ପରେ ଲିଣ୍ଡେ ୨୭, ବ୍ରୁଇନ୍‌ ଅପରାଜିତ ୩୦ ରନ୍‌ କରିବା ଫଳରେ ଦକ୍ଷିଣ ଆଫ୍ରିକା ଶହେ ରନ୍‌ ଟପି ପାରିଥିଲା । ଭାରତର ଦୁଇ ପେସ୍‌ ବୋଲର୍‌ ମହମ୍ମଦ ସାମି ଓ ଉମେଶ ଯାଦବ ୩ଟି ଓ ୨ଟି ଓ୍ଵିକେଟ୍‌ ନେଇଛନ୍ତି । ଆଜି ଗୋଟିଏ ଦିନରେ ଭାରତୀୟ ବୋଲର୍‌ ଦକ୍ଷିଣ ଆଫ୍ରିକାର ୧୪ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।
ପ୍ରଥମ ଦୁଇଟି ଟେଷ୍ଟ ଜିତି ଭାରତ ସିରିଜ୍‌ ବିଜୟୀ ହୋଇ ସାରିଛି । ତେବେ ଚଳିତ ଟେଷ୍ଟରେ ବିଜୟ ଫଳରେ ଘରୋଇ ଦଳ ୩-୦ରେ ସିରିଜ୍‌ ଜିତିବା ସହ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ରେ ନିଜର ସ୍ଥିତି ଦୃଢ଼ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.