ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ୍ ହାରିଲା ଭାରତ, ୪ୱିକେଟରେ ମ୍ୟାଚ ହାତେଇଲା କଙ୍ଗାରୁ ଦଳ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ଚାଲିଥିବା ପ୍ରଥମ ଟି –୨୦ ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ୪ ୱିକେଟ ଥାଇ ମ୍ୟାଚ୍ ଜିତିନେଇଛି। ୨୦୮ ରନର ବିଶାଳ ସ୍କୋର କରିଥିଲେ ହେଁ ମୋହାଲିର ହାଇ ସ୍କୋରିଂ ପିଚରେ ଏହି ସ୍କୋରକୁ ବଞ୍ଚାଇ ପାରି ନାହିଁ ଭାରତ। ପୁଣି ଥରେ ନିରାଶ କଲେ ଭାରତୀୟ ବୋଲର। ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ଗ୍ରୀନଙ୍କ ବିସ୍ଫୋରକ ୬୧ ରନ ଏବଂ ମାଥ୍ୟୁ ଓ୍ଵାଦେଙ୍କ ଅପରାଜିତ ୪୫ ରନ ବଳରେ ଅଷ୍ଟ୍ରେଲିଆ ୨୦୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି।

ଅଷ୍ଟ୍ରେଲିଆ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ୩.୩ ଓଭରରେ ଦୁଇ ଓପନର ଫିଞ୍ଚ ଏବଂ ଗ୍ରୀନ ୩୯ ରନ ଯୋଡିଥିଲେ। ଏହା ପରେ ଗ୍ରୀନ ଏବଂ ଷ୍ଟିଭ୍ ସ୍ମିଥ୍ ଦଳର ଇନିଂସକୁ ମଜବୁତ କରିଥିଲେ। ଗ୍ରୀନ ମାତ୍ର ୩୦ ବଲରୁ ୮ଚୌକା ଏବଂ ୪ ଛକା ସହ ୬୧ ରନ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।

ସ୍ମିଥ୍ ୩୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୧) ରନ୍‌, ଜୋସ୍ ଇଙ୍ଗ୍ଲିସ ୧୭ ରନରେ ଆଉଟ୍ ହୋଇଥିଲେ । ୧୪୫ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡିଥିବା ଅଷ୍ଟ୍ରେଲିଆକୁ ମାଥ୍ୟୁ ଓ୍ଵାଦେ ଏବଂ ଟିମ୍ ଡେଭିଡଙ୍କ ବ୍ୟାଟିଂ ବିଜୟ ଆଡକୁ ନେଇଥିଲା। ଓ୍ଵାଦେ ଧୂଆଁଧାର ବ୍ୟାଟିଂ କରି ମାତ୍ର ୨୧ ବଲରୁ ୬ ଚୌକା ଏବଂ ୨ ଛକା ବଳରେ ୪୫ ରନର ଅପରାଜିତ ଇନିଂସ ଖେଳି ଅଷ୍ଟ୍ରେଲିଆକୁ ଜିତାଇଥିଲେ। ପାଟ୍ କମିନ୍ସ ଶେଷକୁ ଚୌକା ମାରିଥିଲେ। ଦଳ ୧୯.୨ ଓଭରରେ ୬ ଓ୍ଵିକେଟ୍ ହରାଇ ୨୧୧ ରନ କରି ୪ ଓ୍ଵିକେଟରେ ବିଜୟ ହାସଲ କରିଛି।

ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ୫୨ ରନ ଦେଇ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ହର୍ଷଲ ପଟେଲ୍ ମଧ୍ୟ ୪୯ ରନ ଦେଇଥିବା ବେଳେ ଅକ୍ଷର ପଟେଲ୍ ୧୭ ରନରେ ୩ ଓ୍ଵିକେଟ୍ ନେବାରେ ସଫଳ ହୋଇଥିଲେ। ଉମେଶ ଯାଦବ ୨ ଓଭରରେ ୨୭ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

ମୋହାଲିରେ ସିରିଜର ଏହି ପ୍ରଥମ ଟି-୨୦ ମ୍ୟାଚରେ କଙ୍ଗାରୁ ଦଳ ଆଗରେ ଟିମ୍ ଇଣ୍ଡିଆ ରଖିଥିଲା ୨୦୯ ରନର ଟାର୍ଗେଟ୍ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନେଇଥିଲା । ଆଉ ତାଙ୍କ ବୋଲର ବି ଘରୋଇ ଦଳର ବ୍ୟାଟରଙ୍କୁ ବଡ଼ ବଡ଼ ଝଟ୍କା ଦେଇଥିଲେ । ଅଧିନାୟକ ରୋହିତ ଶର୍ମା ୧୧ ଏବଂ ଫର୍ମକୁ ଫେରିଥିବା କୁହାଯାଉଥିବା ବିରାଟ କୋହଲି ୨ ରନ୍ କରି ଆଉଟ୍ ହୋଇଥିଲେ । ତେବେ କେଏଲ୍ ରାହୁଲ ୫୫ ରନ୍ (୩୫ ବଲ୍, ୪ ଚୌକା, ୩ ଛକା) ଏବଂ ସୂର୍ଯ୍ୟ କୁମାର ଯାଦବ ମାତ୍ର ୨୫ ବଲରେ ୪୬ ରନ୍ (୨ ଚୌକା, ୪ ଛକା) କରିଥିଲେ।

ଏହାପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ହିରୋଗିରି ଦେଖାଇ ମାତ୍ର ୩୦ଟି ବଲରୁ ୭୧ ରନ୍ ସ୍କୋର କରିଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ । ତାଙ୍କ ଇନିଂସରେ ସେ ମାରିଛନ୍ତି ୭ଟି ଚୌକା ଓ ୫ଟି ଛକା । ଫଳରେ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୨୦୮ ରନ୍ କରିଥିଲା।

Also Read : ଟି-୨୦ ବିଶ୍ୱକପ ପୂର୍ବରୁ ଆଇସିସି ନେଲା ବଡ ନିଷ୍ପତ୍ତି, ବଦଳିଲା କ୍ରିକେଟରେ ଏହିସବୁ ନିୟମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.