ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ କାଠମାଣ୍ଠୁ ବିମାନ ବନ୍ଦରରୁ ଗିରଫ; ନାବାଳିକା ଦୁଷ୍କର୍ମ ନେଇ ରହିଛି ଅଭିଯୋଗ

ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କୁ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ଉପରେ ୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ରହିଥିଲା। ଲାମିଛାନେ ପ୍ରଥମେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ, କିନ୍ତୁ ପରେ ଆତ୍ମସମର୍ପଣ କରିବାକୁ ରାଜି ହୋଇଥିଲେ। ଦୁଷ୍କର୍ମ ଅଭିଯୋଗ ଲାଗିବା ପରେ ସନ୍ଦୀପ ନେପାଳ ଛାଡ଼ି ଦେଇଥିଲେ ଏବଂ ପୋଲିସ ସନ୍ଦୀପଙ୍କୁ ଖୋଜୁଥିଲେ। ପରେ ଲାମିଛାନେ କହିଥିଲେ ଯେ ସେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ୬ ଅକ୍ଟୋବରରେ ସେ ଦେଶକୁ ଫେରିବେ।

ସେପଟେ ଲାମିଛାନେ ନିଜ ସ୍ପଷ୍ଟୀକରଣରେ ଫେସବୁକରେ ଲେଖିଥିଲେ କି, ‘ମୁଁ ବହୁତ ଆଶା ଏବଂ ଶକ୍ତି ସହିତ ଏହି କଥା ନିଶ୍ଚିତ କରୁଛି ଯେ ମୁଁ ଏହି ୬ ଅକ୍ଟୋବରରେ ନେପାଳରେ ପହଞ୍ଚୁଛି ଏବଂ ମିଥ୍ୟା ଅଭିଯୋଗ ବିରୋଧରେ ଆଇନଗତ ଲଢ଼େଇ ଲଢ଼ିବା ପାଇଁ ନିଜକୁ ନେପାଳର ଅଧିକାରୀମାନଙ୍କୁ ହସ୍ତାନ୍ତର କରିବି। ମୁଁ ପୁଣିଥରେ ଦୋହରାଉଛି ଯେ ମୁଁ ନିର୍ଦ୍ଦୋଷ ଏବଂ ନ୍ୟାୟ ବ୍ୟବସ୍ଥାରେ ମୋର ଅତୁଟ ବିଶ୍ୱାସ ଅଛି। ମୁଁ ସମସ୍ତ ଆଇନ ବ୍ୟବସ୍ଥାରେ ବିଶ୍ୱାସ କରେ। ମୁଁ ବହୁତ ଜଲ୍‌ଦି ନ୍ୟାୟ ପାଇବାକୁ ଆଶା କରୁଛି’।

କହି ରଖୁଛୁ କି, ସନ୍ଦୀପଙ୍କ ଠିକଣା ଜଣା ନ ପଡ଼ିବାରୁ ନେପାଳ ପୋଲିସ ଇଣ୍ଟରପୋଲରୁ ସାହାଯ୍ୟ ମାଗିଥିଲା। ନେପାଳ ପୋଲିସର ଅନୁରୋଧ କ୍ରମେ ନେପାଳର ଜାତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେଙ୍କ ବିରୋଧରେ ‘ଡିଫ୍ୟୁଜନ’ ନୋଟିସ୍‌ ଜାରି କରାଯାଇଥିଲା। ନେପାଳୀ କୋର୍ଟ ୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୮ ସେପ୍ଟେମ୍ବରରେ ଲାମିଛାନେଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.