ଚାମ୍ପିଅନ ଆର୍ଜେଣ୍ଟିନା ଟିମ୍ ଫୁଟବଲ ବିଶ୍ୱକପ୍ରୁ ବାଦ୍ : ପର୍ତ୍ତୁଗାଲକୁ ହରାଇ କ୍ୱାର୍ଟରରେ ଉରୁଗୁଏ

ନୂଆଦିଲ୍ଲୀ : ଦୁଇ ଥରର ଚାମ୍ପିଅନ ଆର୍ଜେଣ୍ଟିନା ଫୁଟବଲ ବିଶ୍ୱକପ୍ରୁ ବାଦ୍ ପଡିଛି । ପ୍ରି-କ୍ୱାର୍ଟରରେ ଫ୍ରାନସଠାରୁ ହାରିଛି ଦଳ । ୪-୩ ଗୋଲରେ ମ୍ୟାଚ୍ ଜିତିଥିଲା ଫ୍ରାନ୍ସ । ବେଶ ସଂଘର୍ଷପୂର୍ଣ୍ଣ ଥିଲା ମ୍ୟାଚ୍। ପ୍ରଥମେ ଗୋଲ କରି ଲିଡ୍ ନେଇଥିଲା ଫ୍ରାନ୍ସ। କିନ୍ତୁ ପରେ ୨ଟି ଗୋଲ କରି, ଆର୍ଜେଣ୍ଟିନା ହାସଲ କରିଥିଲା ଅଗ୍ରଣୀ। ଫ୍ରାନ୍ସ କିନ୍ତୁ ଲଢୁଆ ଖେଳ ପ୍ରଦର୍ଶନ କରି ଲଗାତର ତିନିଟି ଗୋଲ କରିଥିଲା । ଦଳ ୪-୨ରେ ଲିଡ୍ କରିଥିଲା । ଶେଷ ମୁହୂର୍ତ୍ତରେ ଆର୍ଜେଣ୍ଟିନା କେବଳ ଆଉ ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା ।

ସେପଟେ ପର୍ତ୍ତୁଗାଲକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଉରୁଗୁଏ । ଗତକାଲି ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା । ପର୍ତ୍ତୁଗାଲର ପ୍ରବଳ ସଂଘର୍ଷ ସତ୍ତ୍ୱେ ଉରୁଗୁଏଠାରୁ ହାରି ଯାଇଥିଲା । ଉରୁଗୁଏ ଆରମ୍ଭରୁ ପର୍ତ୍ତୁଗାଲକୁ ଚାପରେ ରଖିଥିଲା । ଏଡିନସ୍ କାଭାନି ସପ୍ତମ ମିନିଟ୍ରେ ଗୋଲ କରି ଉରୁଗୁଏକୁ ଆଗକୁ ନେଇଥିଲେ । ତାରକା ଖେଳାଳି ରୋନାଲ୍ଡୋ ଗୋଲ ଦେବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଉରୁଗୁଏ ପକ୍ଷରୁ ଏଡିନସ୍ କାଭାନି ଦୁଇଟି ଗୋଲ ଦେଇଥିଲେ । ସେହିପରି ପର୍ତ୍ତୁଗାଲ ପକ୍ଷରୁ ପେପେ ଗୋଟିଏ ଗୋଲ ଦେଇଥିଲେ । ଫଳରେ ୨-୧ରେ ପର୍ତ୍ତୁଗାଲକୁ ହରାଇଥିଲା ଉରୁଗୁଏ । ଏହି ବିଜୟ ସହ କ୍ୱାର୍ଟର ଫାଇନାଲରେ ଉରୁଗୁଏ ପ୍ରବେଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.