ରାଜନୀତିର ମୈଦାନ ହେଉ କିମ୍ବା ଖେଳର ମୈଦାନ, ଭାରତ ଓ ପାକିସ୍ତାନ ସବୁବେଳେହୋଇଥାନ୍ତି ଦୁନିଆର ସବୁଠାରୁ ଦୁଇ ବଡ ପ୍ରତିଦ୍ୱନ୍ଦୀ । ସର୍ବଦା ଦୁଇ ଦେଶ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳେ ଆଉ ଯେତେବେଳେ ଏହି ଦୁଇ ଦେଶ ଖେଳର ମୈଦାନରେ ସମ୍ନାସାମ୍ନି ହୁଅନ୍ତି ତ ମାହୋଲ ଖୁବ ଗରମ ହୋଇଥାଏ । ସାରା ପୃଥିବୀର ନଜର ରହିଥାଏ ଭାରତ ପାକିସ୍ତାନର ସବୁ ହାଇ ଭୋଲ୍ଟେଜ ମ୍ୟାଚ ଉପରେ । ଫ୍ୟାନ୍ସଙ୍କଠୁ ଆରମ୍ଭ କରି ଖେଳାଳିଙ୍କ ପର୍ଯ୍ୟନ୍ତ, ସମସ୍ତେ ଥାନ୍ତି ପ୍ରେସରରେ ।
ତ ଆମକୁ ମନେ ପକାଇବାକୁ ପଡ଼ିବନି ଯେ ସୁପର ସଣ୍ଡେରେ ଆସନ୍ତା କାଲି ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ମଞ୍ଚେଷ୍ଟରର ଓଲଡ ଟ୍ରାଫୋର୍ଡ଼ କ୍ରିକେଟ ଗ୍ରାଉଣ୍ଡରେ ପରସ୍ପରକୁ ପୁଣି ଭେଟୁଛନ୍ତି ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ଦୁଇ ଦେଶ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇସାରିଛି । ଆସନ୍ତା କାଲିର ମ୍ୟାଚକୁ ମିଶାଇ ଭାରତ ସପ୍ତମ ଥର ପାଇଁ ୱାର୍ଲଡ କପରେ ପାକିସ୍ତାନକୁ ହରାଇ ନୂଆ ଇତିହାସ ସୃଷ୍ଟି କରିବାକୁ ନିଶ୍ଚିତ ଚେଷ୍ଟା କରିବ । ଏହା ଏଠାରେ କହିବା ବିଧେୟ ଯେ ପୂର୍ବରୁ ଭାରତ କୌଣସି ବି ବିଶ୍ୱ କପ ମ୍ୟାଚରେ ପାକିସ୍ଥାନଠାରୁ ପରାଜୟ ବରଣ କରି ନାହିଁ ।
କିନ୍ତୁ ଆପଣ ଜାଣିଛନ୍ତି କି ଭାରତୀୟ ଟିମର କେଉଁ ଖେଳାଳି ଆସନ୍ତା କାଲିର ମ୍ୟାଚରେ ପାକିସ୍ତାନ ପାଇଁ ଘାତକ ହୋଇ ପାରନ୍ତି? ଆମେ ଆଜି ଆପଣଙ୍କୁ ଜଣେଇବୁ ଏମିତି ପାଞ୍ଚ ଜଣ ଭାରତୀୟ ଖେଳାଳିଙ୍କ ବିଷୟରେ ଯେଉଁମାନେ କି ପାକିସ୍ତାନ ହାତରୁ ମ୍ୟାଚ ଛଡାଇ ଆଣିବାର କ୍ଷମତା ରଖିଛନ୍ତି । ଏହି ପାଞ୍ଚ ଜଣ ଖେଳାଳୀଙ୍କର ପ୍ରଦର୍ଶନ ପାକିସ୍ତାନ ବିପକ୍ଷରେ ସବୁଠାରୁ ଭଲ ରହିଛି । କାଲି ମ୍ୟାଚ ସମୟରେ ପୁରା ଦେଶ ତଥା ବିଶ୍ଵବ୍ୟାପୀ ଫ୍ୟାନ୍ସଙ୍କର ନଜର ଏହି ପାଞ୍ଚ ଖେଳାଳିଙ୍କ ଉପରେ ରହିବ । ତେବେ ଆସନ୍ତୁ ଜାଣିବା କିଏ ସେହି ପାଞ୍ଚ ଜଣ ଖେଳାଳି ।
ରୋହିତ ଶର୍ମା
ଏହି ଲିଷ୍ଟରେ ସବୁଠାରୁ ପ୍ରଥମ ନାମ ହେଉଛି ଟିମ ଇଣ୍ଡିଆର ବିସ୍ଫୋରକ ଓପନର ରୋହିତ ଶର୍ମାଙ୍କର । ଏପର୍ଯ୍ୟନ୍ତ ଖେଳା ଯାଇଥିବା ଦୁଇଟିଯାକ ମ୍ୟାଚରେ ରୋହିତଙ୍କର ଦମଦାର ପ୍ରଦର୍ଶନ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚରେ ଶିଖର ଧାୱନଙ୍କ ସହ ମିଶି ସେ ଭାରତକୁ ଏକ ବଡ ସ୍କୋର ହାସଲ କରିବା ପାଇଁ ସାହାଯ୍ୟ କରିଥିଲେ ଏବଂ ନିଜେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ତ ଆଶା କରାଯାଉଛି ଯେ ଆସନ୍ତା କାଲିର ମ୍ୟାଚରେ ମଧ୍ୟ ସେ ଭାରତକୁ ଏକ ବିସ୍ଫୋରକ ଓପନିଂ କରିବା ପାଇଁ ସାହାଯ୍ୟ କରିବେ । ଥରେ କ୍ରିଚରେ ସେଟ ହୋଇସାରିବା ପରେ ରୋହିତ ପାକିସ୍ତାନୀ ଆକ୍ରମଣକୁ ଇତସ୍ତତଃ କରିଦେଇପାରନ୍ତି ।
ବିରାଟ କୋହଲି
ଲିଷ୍ଟରେ ଥିବା ଦ୍ଵିତୀୟ ନାମ ହେଉଛି ଭାରତୀୟ ଅଧିନାୟକ ବିରାଟ କୋହଲିଂକର । ବିରାଟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି ଏବଂ ପୂର୍ବ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୨ ରନର ଏକ ବଡ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ବିରାଟଙ୍କର ଖାସିୟତ ଏହା ଯେ ପାକିସ୍ତାନ ବିପକ୍ଷରେ ତାଙ୍କର ବ୍ୟାଟ ସର୍ବଦା ଅଗ୍ନି ବର୍ଷା କରିଥାଏ ଏବଂ ପାକିସ୍ତାନ ବିପକ୍ଷ ସମସ୍ତ ମ୍ୟାଚରେ ତାଙ୍କର ରେକର୍ଡ ଜବରଦସ୍ତ ରହିଛି । ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିବା ଏହି ଭାରତୀୟ ବ୍ୟାଟସମ୍ୟାନ ରନ ସଂଗ୍ରହ କରିବାରେ ମାହିର ଅଟନ୍ତି, ବିଶେଷତଃ ଇନିଂସର ଶେଷ ଓଭର ଗୁଡିକରେ । ୨୦୧୫ ରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ବିଶ୍ୱକପ ମ୍ୟାଚରେ ସେ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ । ତେଣୁ ପାକିସ୍ତାନ ବିପକ୍ଷରେ ଥିବା ତାଙ୍କର ଟ୍ରାକ ରେକର୍ଡକୁ ଦେଖି ଏହା କୁହାଯାଇପାରେ ଯେ ଆସନ୍ତା କାଲି ମ୍ୟାଚରେ ସେ ନିଶ୍ଚିତ ଭାବରେ ଏକ ବିସ୍ଫୋରକ ଇନିଂସ ଖେଳିବେ ।
ହାର୍ଦ୍ଦିକ ପାଣ୍ଡ୍ୟା
ଲିଷ୍ଟରେ ତୃତୀୟ ନାମ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କର । ସେମିତିରେ ବି ତ ହାର୍ଦ୍ଦିକ ନିଜର ବିସ୍ଫୋରକ ବ୍ୟାଟିଙ୍ଗ ପାଇଁ ଖୁବ ଜଣାଶୁଣା। ମ୍ୟାଚ ଯେମିତି ସ୍ଥିତିରେ ଥାଉନା କାହିଁକି, ନିଜର ନ୍ୟାଚୁରାଲ ଗେମ ଖେଳିବା ପାଇଁ ଖୁବ ପପୁଲାର ହୋଇଥିବା ଏହି ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ପାକିସ୍ତାନ ଖେଳାଳୀଙ୍କର ହୋସ ଉଡାଇ ଦେବାର କ୍ଷମତା ରଖନ୍ତି । ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ତାଙ୍କର ବିସ୍ଫୋରକ ଇନିଂସ ଏବେବି ଲୋକଙ୍କ ମନରୁ ଲିଭି ନାହିଁ । ତେଣୁ ଆସନ୍ତା କାଲିର ମ୍ୟାଚରେ ସମସ୍ତଙ୍କ ନଜର ହାର୍ଦ୍ଦିକଙ୍କ ଉପରେ ରହିବା ସ୍ଵଭାଵିକ ।
ଯଶପ୍ରୀତ ବୁମରା
ଚତୁର୍ଥ ନାମ ହେଉଛି ବିଶ୍ୱର ବର୍ତ୍ତମାନର ସବୁଠାରୁ ସେନ୍ସେସନାଲ ବୋଲର ଯଶପ୍ରୀତ ବୁମରାଙ୍କର । ନିଜର ଶାର୍ପ ବୋଲିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଭାରତୀୟ ବୋଲର ଚଳିତ ବିଶ୍ୱକପରେ ସବୁ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ସୃଷ୍ଟି କରିସାରିଛନ୍ତି । ବୁମରା କେବଳ ପ୍ରାରମ୍ଭିକ ଓଭର ଗୁଡିକରେ ଵିକେଟ ନେବାରେ ମାହିର ନୁହେଁ, ଡେଥ ଓଭରରେ ମଧ୍ୟ ରନରେଟ ଦାବିବାରେ ସିଦ୍ଧହସ୍ତ । ପାକିସ୍ତାନ ଖେଳାଳିମାନଙ୍କ ପାଇଁ ବୁମରାଙ୍କୁ ଖେଳିବା ଏତେ ସହଜ ହେବନାହିଁ, ବିଶେଷତଃ ତାଙ୍କର ୟୋକର୍ସ ଗୁଡିକୁ ଯାହା ବିଶ୍ୱକପରେ ବୋଲରମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ଯୁଜବେନ୍ଦ୍ର ଚହଲ
ଲିଷ୍ଟର ଶେଷ ନାମ ହେଉଛି ଯୁଜବେନ୍ଦ୍ର ଚହଲଙ୍କର ଯିଏ କି ଭାରତ ପାଇଁ ମ୍ୟାଚ ୱନିଂ ଟ୍ରମ୍ପ କାର୍ଡ ହୋଇପାରନ୍ତି । ଚହଲଙ୍କର ବୋଲିଂ, ବିଶେଷତଃ ତାଙ୍କର ଗୁଗଲିକୁ ଖେଳିବା ପାକିସ୍ତାନୀ ବୋଲର ମାନଙ୍କ ପାଇଁ କାଠିକର ପାଠ ହୋଇପାରେ । ବିଶ୍ୱକପର ପ୍ରଥମ ମ୍ୟାଚରେ ନିଜର ଘାତକ ବୋଲିଂରେ ଦକ୍ଷିଣ ଆଫ୍ରିକାକୁ ଧରାଶାୟୀ କରିଥିବା ଏହି ଭାରତୀୟ ବୋଲର କାଲି ପାକିସ୍ତାନ ବିପକ୍ଷରେ ନିଜର ଜଲବା ଦେଖାଇବେ ବୋଲି ଆଶା କରାଯାଉଛି ।