ରାଜ୍ୟଗୋଷ୍ଠୀରେ ଭାରତକୁ ଆଉ ଏକ ସଫଳତା; ଭାରୋତ୍ତୋଳନରେ ବ୍ରୋଞ୍ଜ ଜିତିଲେ ଗୁରୁରାଜା ପୂଜାରୀ

ଭାରତକୁ ଆଉ ଏକ ସଫଳତା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶକୁ ମିଳିଛି ଦ୍ୱିତୀୟ ପଦକ। ଗୁରୁରାଜା ପୂଜାରୀ ପୁରୁଷ ଭାରୋତ୍ତୋଳନର ୬୧ କିଲୋ ଭାରବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଗୁରୁରାଜା ସ୍ନାଚ୍‌ରେ ୧୧୮ ସ୍କୋର ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୫୮ ସ୍କୋର କରିଛନ୍ତି। ଅର୍ଥାତ୍‌ ସେ ମୋଟ ୨୬୯ ସ୍କୋର କରି ବ୍ରୋଞ୍ଜ ପଦକ ହାତେଇଛନ୍ତି।

୨୯ ବର୍ଷୀୟ ଗୁରୁରାଜା ପୂଜାରୀଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଦ୍ୱିତୀୟ ପଦକ। ୨୦୧୮ର ଗୋଲ୍ଡକୋଷ୍ଟ୍‍ ଗେମ୍ସରେ ମଧ୍ୟ ସେ ପଦକ ନିଜ କାମରେ କରିଥିଲେ। ସେତେବେଳେ ସେ ରୌପ୍ୟ ପଦକ ଜିତିଥିଲେ।

ଗତବର୍ଷ ଡିସେମ୍ବରରେ ଗୁରୁରାଜା ତାଶକେଣ୍ଟ୍‌ରେ ହୋଇଥିବା ରାଜ୍ୟଗୋଷ୍ଠୀ ଚାମ୍ପିୟନଶିପ୍‌ରେ ୬୧ କିଲୋ ଭାରବର୍ଗରେ ରୌପ୍ୟ ଜିତିଥିଲେ। ଏହି ଚାମ୍ପିୟନଶିପ୍‌ରେ ସେ ଦୁଇଟି ପ୍ରୟାସରେ ମୋଟ ୨୬୫ କିଲୋ ଭାର ଉଠାଇଥିଲେ। ରୌପ୍ୟ ପଦକ ଜିତିବା ସହିତ ଗୁରୁରାଜା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ କ୍ୱାଲିଫାଏ କରିଥିଲେ।

ସୂଚନାଥାଉ କି, ଏଥି ପୂର୍ବରୁ ସଙ୍କେତ ମହାଦେବ ସରଗର ପୁରୁଷ ଭାରୋତ୍ତୋଳନର ୫୫ କିଲୋ ବର୍ଗରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି। ସଙ୍କେତ ସରଗର ସ୍ନାଚ୍ ଏବଂ କ୍ଲିନ୍ ଓ ଜର୍କରେ ମୋଟ ୨୪୮ କେଜି ଭାର ଉଠାଇ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି।

Medal

ସେ ପ୍ରଥମ ରାଉଣ୍ଡ ଅର୍ଥାତ୍ ସ୍ନାଚ୍‌ରେ ବେଷ୍ଟ୍ ୧୧୩ କେଜି ଭାର ଉଠାଇଥିଲେ। ଏହାପରେ ଦ୍ୱିତୀୟ ରାଉଣ୍ଡ ଅର୍ଥାତ୍ କ୍ଲିନ୍ ଆଣ୍ଡ ଜର୍କରେ ୧୩୫ କେଜି ଭାର ଉଠାଇ ପଦକ ହାତେଇ ଥିଲେ।

୨୧ ବର୍ଷୀୟ ସଙ୍କେତ କୋହ୍ଲାପୁରର ଶିବାଜୀ ବିଶ୍ୱବିଦ୍ୟାଳୟରେ ଇତିହାସର ଛାତ୍ର। ସେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୦ ଏବଂ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ରେ ବି ଚାମ୍ପିୟନ ଥିଲେ। ସଙ୍କେତ ୫୫ କେଜି ବର୍ଗରେ ଜାତୀୟ ରେକର୍ଡ (ମୋଟ ୨୪୪ କେଜି) ମଧ୍ୟ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.