ଆଜି କଳିଙ୍ଗରେ ହକି ବିଶ୍ୱ ଯୁଦ୍ଧର ଅନ୍ତିମ ଦିନ : ମୁକାବିଲା ବଡ଼ଭାଇ ଓ ସାନ ଭାଇ ଭିତରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି କଳିଙ୍ଗରେ ଶେଷ ହେବ ୧୮ ଦିନର ବିଶ୍ୱ ଯୁଦ୍ଧ ହକି ବିଶ୍ୱ କପ୍‌ । ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ର ଫାଇନାଲ୍‌ ଲଢ଼େଇ ହେବ ରାତି ୭ଟାରେ ନେଦରଲାଣ୍ଡସ ଓ ବେଲଜିୟମ୍‌ ମଧ୍ୟରେ ।

ଟକ୍କର ହେବ ଜୋରଦାର

ଦୁଇ ୟୁରୋପୀୟ ଦଳ ନେଦରଲାଣ୍ଡସ ଓ ବେଲଜିୟମ୍‌ । ଏମାନଙ୍କ ମଧ୍ୟରେ ବିଶେଷ ଫରକ ନାହିଁ । କାରଣ ଉଭୟଙ୍କ ହକି ସଂସ୍କୃତି ପ୍ରାୟ ସମାନ । ବେଲଜିୟମକୁ ହକିରେ ନେଦରଲାଣ୍ଡସ ସାନଭାଇ ବୋଲି କୁହାଯାଏ ।କାରଣ ଏମାନେ ନେଦରଲାଣ୍ଡକୁ ଅନୁସରଣ କରି ଉପରକୁ ଉଠିଛନ୍ତି । ଏହା ବ୍ୟତୀତ ଉଭୟ ଉଭୟଙ୍କ ଦୋଷ ଦୁର୍ବଳତା ଏବଂ ଶକ୍ତିକୁ ଆଗରୁ ଅନେକ ଥର ପରଖି ସାରିଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ୟୁରୋ ହକି ନେସନ୍ସ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଦୁଇ ଦଳ ଭିତରେ କଡ଼ା ମୁକାବିଲା ହୋଇଥିଲା । ବହୁ ବାଦ ବିବାଦ ଓ ପାଟିତୁଣ୍ଡ ଭିତରେ ଶେଷରେ ନେଦରଲାଣ୍ଡସ ୪-୨ ଗୋଲ୍‌ରେ ଜିତିଥିଲା । ଉଭୟ ଦଳ ଆକ୍ରଣାତ୍ମକ ହକି ଖେଳନ୍ତି ଓ ପ୍ରାୟତଃ ସମାନ ଷ୍ଟାଇଲ୍‌ରେ । ପୁଣି ଦୁଇ ଦଳରେ ଭଲ ପେନାଲଟି କର୍ଣ୍ଣର ସ୍ପେସାଲିଷ୍ଟ ଏବଂ ଗୋଲ୍‌କିପର ରହିଛନ୍ତି ।

ବେଲଜିୟମ୍‌:

ବେଲଜିୟମ୍‌ ଟିମ୍‌ ପ୍ରଥମଥର ବିଶ୍ୱ କପ୍‌ ଫାଇନାଲ୍‌କୁ ଆସିଛି । ତେବେ ଏହା ପୂର୍ବରୁ ଦଳ ୟୁରୋ କପ୍‌ ଏବଂ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛି । ଦଳରେ ନେଦରଲାଣ୍ଡସ ତୁଳନାରେ ଅଧିକ ଅଭିଜ୍ଞ ଖେଳାଳି ଅଛନ୍ତି । କାରଣ ଦୀର୍ଘ ବର୍ଷ ଧରି ସେମାନେ ଦଳରେ ଖେଳୁଛନ୍ତି । ଡ୍ରାଗ୍‌ ଫ୍ଲିକର ଆଲେକଜାଣ୍ଡାର ହେଣ୍ଡରିକ୍ସ, ଫୁଲ୍‌ବ୍ୟାକ୍‌ ଆର୍ଥର ଭାନ୍‌ ଡୋରେନ୍‌, ଲୋଇକ୍‌ ଲିଉପେର୍ଟଙ୍କ ଉପରେ ପ୍ରତିପକ୍ଷର ବିଶେଷ ନଜର ରହିବ । ହେଣ୍ଡରିକ୍ସ ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭ଟି ଗୋଲ୍‌ ସ୍କୋର କରିଛନ୍ତି ।

BELGIUM-1

ନେଦରଲାଣ୍ଡସ :

ଏହି ୟୁରୋପୀୟ ଦଳ ପୂର୍ବରୁ ବିଶ୍ୱ କପ୍‌ରେ ତିନି ଥର ସ୍ୱର୍ଣ୍ଣ ପଦକ, ତିନି ଥର ରୌପ୍ୟ ପଦକ ଏବଂ ଦୁଇ ଥର ବ୍ରୋଞ୍ଜ ପଦକ ଜିତିଛି । ଲଗାତର ଦ୍ୱିତୀୟଥର ପାଇଁ ଫାଇନାଲ୍‌ରେ ପହଞ୍ଚିଛି । ଅବଶ୍ୟ ଦଳ ୨୦ ବର୍ଷ ତଳେ ହିଁ ଶେଷଥର ବିଶ୍ୱ କପ୍‌ ଜିତିଥିଲା ।
ଷ୍ଟ୍ରାଇକର ୟୋରେନ୍‌ ହେର୍ଜବର୍ଜର, ଗୋଲ୍‌କିପର ବ୍ଲାକ୍‌ ପ୍ରିମିନ୍‌ ହେଉଛନ୍ତି ଦଳର ପ୍ରମୁଖ ଓ ଷ୍ଟାର ଖେଳାଳି । ଯାହାଙ୍କ ଉପରେ ସମସ୍ତେ ନିଭର କରିବେ । କୋଚ୍‌ ମାକ୍ସ କାଲଡାସ୍‌ କହିଛନ୍ତି ଯେ ବେଲଜିୟମ ଦଳ ଆମରି କୌଶଳରେ ଖେଳିଥାଏ । ତେଣୁ ଆମକୁ କିଛି ନୂଆ ରଣନୀତିରେ ମୁକାବିଲା କରିବାକୁ ପଡ଼ିବ । ଆମ ଭିତରେ ଥିବା ପ୍ରତିନ୍ଦ୍ୱନ୍ଦ୍ୱିତା ଯୋଗୁଁ ଜୋରଦାର ଲଢ଼େଇ ହେବ । ଯାହା ଖୁବ୍‌ ଭଲ ଲାଗିବ ।କାରଣ ଆମେ ଆକ୍ରମଣ କରିବାକୁ ଭଲ ପାଉ ସେମାନେ ମଧ୍ୟ ସେହି ଭାବରେ ଖେଳନ୍ତି । ଫାଇନାଲ୍‌ ଲଢ଼େଇରେ ଖୁବ୍‌ ମଜା ଆସିବ ବୋଲି କୋଚ୍‌ କହିଛନ୍ତି ।

NETHERLANDS TEAM-2ମୁହାଁମୁହିଁ :

ଉଭୟ ଦଳ ମୋଟ୍‌ ୧୩ ଥର ସାମନା ସାମନି ହୋଇଛନ୍ତି । ସେଥିରୁ ନେଦରଲାଣ୍ଡସ ୬ ଥର ଓ ବେଲଜିୟମ ୫ ଥର ବିଜୟୀ ହୋଇଛନ୍ତି । ତେବେ ବିଶ୍ୱ କପ୍‌ରେ ସେମାନେ ୩ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ଯାକ ମ୍ୟାଚ୍‌ ଜିତିଛି ନେଦରଲାଣ୍ଡସ ଦଳ । ସେମିଫାଇନାଲ୍‌ରେ ବେଲଜିୟମ ୬-୦ ଗୋଲ୍‌ରେ ଇଂଲଣ୍ଡକୁ ହରାଇଥିବା ବେଳେ ନେଦରଲାଣ୍ଡସ କଡ଼ା ଟକ୍କର ପରେ ସଡନ୍‌ ଡେଥ୍‌ରେ ହରାଇଥିଲା ଗତଥର ଚାମ୍ପିଅନ୍‌ ଆଷ୍ଟ୍ରଲିଆକୁ । କିନ୍ତୁ ଗତକାଲିର କଠିନ ମ୍ୟାଚ୍‌ ନେଦରଲାଣ୍ଡସ ମନୋବଳକୁ ଆହୁରି ଦୃଢ଼ କରିଥିବ ଆଜିର ଲଢ଼େଇ ପାଇଁ ।

ବ୍ରୋଞ୍ଜ୍‌ ପାଇଁ ଖେଳିବେ ଅଷ୍ଟ୍ରେଲିଅ-ଇଂଲଣ୍ଡ

ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ବ୍ରୋଞ୍ଜ୍‌ ପଦକ ପାଇଁ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ମୁକାବିଲା ହେବ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ । ଦୁଇ ଦଳ ଭିତରେ ଆଷ୍ଟ୍ରେଲିଆ ହେଉଛି ଶକ୍ତିଶାଳୀ । ତେବେ ଏଥର ଚାମ୍ପିଅନ୍‌ ହୋଇ ହ୍ୟାଟ୍ରିକ୍‌ କରିବାର ଆଶା ରଖିଥିଲା । କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସେମିଫାଇନାଲ୍‌ରେ ନେଦରଲାଣ୍ଡସ ଠାରୁ ପେନାଲଟି ସୁଟ୍‌ଆଉଟ୍‌ରେ ହାରିଗଲା । ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଇଂଲଣ୍ଡକୁ କଙ୍ଗାରୁ ଦଳ ଭାରୀ ପଡ଼ିବ । ଏହି ମ୍ୟାଚ୍‌ ଅପରାହ୍ନ ୪.୩୦ ମିନିଟ୍‌ରେ ଆରମ୍ଭ ହେବ ।

ଚମତ୍କାର ଆୟୋଜନ

ଗତ ନଭେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ହକି ମହାକୁମ୍ଭରେ ସାରା ବିଶ୍ୱରୁ ୧୬ଟି ଶ୍ରେଷ୍ଠ ଦଳ ଭାଗ ନେଇଥିଲେ । ଆୟୋଜନ ଯେମିତି ଚମତ୍କାର ଖେଳ ମଧ୍ୟ ସେହିଭଳି ସଂଘର୍ଷପୂର୍ଣ୍ଣ ହୋଇଛି । ଦର୍ଶକ ଯେଭଳି ସମର୍ଥନ ଦେଇଛନ୍ତି ସେହିଭଳି ମଜାଦାର ମ୍ୟାଚ୍‌ ମଧ୍ୟ ଦେଖିଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ତତ୍ୱାବଧନାରେ ଶୃଙ୍ଖଳିତ ଓ ସବ୍ୟବସ୍ଥିତ ଆୟୋଜନକୁ ସାରା ବିଶ୍ୱରୁ ପ୍ରଶଂସା ମିଳିଛି । କାଁ ଭାଁ କିଛି ସମସ୍ୟାକୁ ଛାଡ଼ି ଦେଲେ ସବୁ କିଛି ଶୃଙ୍ଖାଳର ସହ ଶେଷ ହେବାକୁ ଯାଉଛି ।
ଆଜି ଅନ୍ତିମ ଦିନରେ ଉଦଯାପନୀ ଉତ୍ସବରେ ଅତିଥି ହେବେ କ୍ରିକେଟ୍‌ର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ତେଣୁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ସଂଘର୍ଷପୂର୍ଣ୍ଣ ଟାଇଟଲ୍‌ ଲଢ଼େଇ ଦେଖିବାକୁ ମିଳିବ ।

ହିମାଂଶୁ ପତିମିଶ୍ର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.